ପାଖରେ ରଖନ୍ତୁ ନଗଦ, ଅକ୍ଟୋବର ୨ 'ନୋ ୟୁପିଆଇ ଡେ'
ନୂଆଦିଲ୍ଲୀ : ଦେଶର ବିଭିନ୍ନ ବ୍ୟବସାୟୀ ସଂଗଠନ ପକ୍ଷରୁ ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ) କୁ 'ନୋ ୟୁପିଆଇ ଡେ' (No UPI Day) ଭାବେ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବାକୁ ଥିବା ନୂତନ ୟୁପିଆଇ ଚାର୍ଜ ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ବିରୋଧରେ ଏହି ପ୍ରତିବାଦ କରାଯାଉଛି।ଫେଡେରେଶନ ଅଫ ଅଲ ଇଣ୍ଡିଆ ବ୍ୟାପାର ମଣ୍ଡଳ (FAIVM) ଏବଂ କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (CAIT) ଭଳି ପ୍ରମୁଖ ବ୍ୟବସାୟୀ ସଂଗଠନ ‘ନୋ ୟୁପିଆଇ ଡେ’ ପାଳନ କରିବାକୁ ଘୋଷଣା କରିଛନ୍ତି ।
ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତା ୨ ଅକ୍ଟୋବରରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ପାଳନ କରାଯିବ। ଏହି ଦିନ ବ୍ୟବସାୟୀମାନେ ଗ୍ରାହକଙ୍କଠାରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଗ୍ରହଣ ନକରିବାକୁ ଆହ୍ୱାନ କରିଛନ୍ତି।
NPCI (National Payments Corporation of India) ର ନୂଆ ନିୟମ ଅନୁଯାୟୀ, ୧୫ ଅକ୍ଟୋବରରୁ ବ୍ୟବସାୟୀମାନଙ୍କୁ ₹୨,୦୦୦ରୁ ଅଧିକ ମୂଲ୍ୟର ପି୨ଏମ୍ (Person-to-Merchant) UPI କାରବାର ଉପରେ ୦.୪% MDR ଚାର୍ଜ ଦେବାକୁ ପଡ଼ିବ। ଏହାକୁ ବ୍ୟବସାୟୀମାନେ ବିରୋଧ କରୁଛନ୍ତି, କାରଣ ଏହାଦ୍ୱାରା ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ । ଅକ୍ଟୋବର ୨ ତାରିଖ ଦିନ ବ୍ୟବସାୟୀମାନେ ନିଜ ଦୋକାନର UPI QR କୋଡ୍ ଏବଂ ସାଉଣ୍ଡ ବକ୍ସକୁ କଳା କପଡ଼ାରେ ଘୋଡ଼ାଇ ରଖିବେ ଏବଂ ଡିଜିଟାଲ୍ ପେମେଣ୍ଟ ବଦଳରେ କେବଳ ନଗଦ (Cash) କିମ୍ବା କାର୍ଡ ମାଧ୍ୟମରେ କାରବାର କରିବେ।
ଫଳରେ ୨ ଅକ୍ଟୋବରରେ ୟୁପିଆଇ ବଦଳରେ ଗ୍ରାହକମାନଙ୍କୁ ନଗଦ କିମ୍ବା କାର୍ଡ ମାଧ୍ୟମରେ ପେମେଣ୍ଟ କରିବାକୁ ପଡ଼ିପାରେ। ଅନ୍ୟପଟେ,ଏହି ନୂଆ ୦.୪% MDR ଚାର୍ଜ ସିଧାସଳଖ ଗ୍ରାହକଙ୍କଠାରୁ ନିଆଯିବ ନାହିଁ, ବରଂ ବ୍ୟବସାୟୀମାନେ ଏହା ବହନ କରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।