ପୂର୍ବ ଶତ୍ରୁତାରୁ ୩ ଟି ସ୍ଥାନରେ ହଣାକଟା, ୧୦ ଗୁରୁତର

Sep 19, 2026 - 12:57
ପୂର୍ବ ଶତ୍ରୁତାରୁ ୩ ଟି ସ୍ଥାନରେ ହଣାକଟା, ୧୦ ଗୁରୁତର

ବରଗଡ଼/ପୁରୀ/ଜଗତସିଂପୁର : ଦିନକୁ ଦିନ ଉଗ୍ର ହେଉଛି ସମ୍ପତ୍ତି ବିବାଦ । ଏହାକୁ ନେଇ କେଉଁଠି ଗୋଷ୍ଠୀ ବିବାଦ ଦେଖାଦେଉଛି ତ କେଉଁଠି ପାରିବାରିକ ବିବାଦ। ସେହିଭଳି ଆଜି ୩ଟି ସ୍ଥାନରେ ଆକ୍ରମଣ ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । 

ଗତକାଲି ,ବରଗଡ ଟାଉନ ଥାନା ଅନ୍ତର୍ଗତ ପାତିକାରପାଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୮ରୁ ଅଧିକ ଗୁରୁତର ହୋଇଥିଲେ l ପ୍ରଥମେ କଥା କଟାକଟି ପରେ ତାହା ଉଗ୍ର ରୂପ ଧାରଣ କରିଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ଭୁଜାଲି ଓ ଛୁରୀରେ ଆକ୍ରମଣ କରାଯାଇଥିଲା । ଏଥିରେ ଦୁଇ ଗୋଷ୍ଠୀ ମଧ୍ୟରେ ୮ ଜଣ ଗୁରୁତର ଥିବା ବେଳେ ,ଆଉ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି l ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲକୁ ରେଫର କରାଯାଇଛି l ଅନ୍ୟ ସମସ୍ତେ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି l ଘଟଣାସ୍ଥଳରେ ବରଗଡ ଟାଉନ ପୋଲିସ ପହଁଚି ତଦନ୍ତ କରୁଛି । 

ସେହିଭଳି ଆଉ ୨ଟି ଘଟଣା ଘଟିଛି ପୁରୀ ବଳଙ୍ଗା ଏବଂ ଜଗତସିଂପୁର ତରିକୁନ୍ଦ ଅଞ୍ଚଳରେ । ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଯୁବକଙ୍କ ଉପରେ ଆକ୍ରମଣ ହୋଇଛି । ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନ ଶ୍ରୀରାମ ବଜାରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ କରାଯାଇଥିବା ପ୍ରାଥମିକ ସୂଚନା ମିଳିଛି । ପୁରୀ ଜିଲ୍ଲା ନିମାପଡା ସୀମାନ୍ତ ବଳଙ୍ଗା ବଜାର ଉପରେ ଯୁବକକୁ ଗୋଡେଇ ଗୋଡେଇ ଭୁଜାଲିରେ ଆକ୍ରମଣ କରିଥିଲେ କିଛି ଲୋକ । ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ବଳଙ୍ଗା ପୁଲିସ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି । 

ସେହିପରି ତରିକୁନ୍ଦରେ ସାବତ ଭାଇକୁ ସମ୍ପତ୍ତିରୁ ବେଦଖଲ କରିବା ପାଇଁ ଅନ୍ୟ ଦୁଇ ଭାଇ ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣ ପରେ ସାବତ ଭାଇ ଇମ୍ରାନ ଖାନ୍ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ଘଟଣା ପରେ ଆକ୍ରମଣ କରିଥିବା ଦୁଇ ଭାଇ ଆଦିଲ ଓ ଆଦିମ ଖାନ୍ ଫେରାର ହୋଇଯାଇଛନ୍ତି ।

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ଦିନ ତଳେ ଇମ୍ରାନଙ୍କ ଘରେ ନିଆଁ ଲଗାଇ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ ଦୁଇ ଅଭିଯୁକ୍ତ । ଏନେଇ ଇମ୍ରାନଙ୍କ ପତ୍ନୀ ତରିକୁନ୍ଦ ଫାଣ୍ଡିରେ ଏତଲା ଦେଇଥିଲେ । ଆଜି ଦୁଇ ଭାଇ ଇମ୍ରାନଙ୍କୁ ମାରିବା ପାଇଁ କଟୁରୀରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।