ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୬ତମ ଜନ୍ମ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଦିଙ୍କୁ ଆଧୁନିକ ଭାରତର ବିନ୍ଧାଣି କହି ଏକ୍ସ ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ମୋଦିଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ଓଡ଼ିଶାର ବିକାଶ ପାଇଁ ସହଯୋଗକୁ ସେ ପ୍ରଶଂସା କରିଛନ୍ତି । ଏହି ଅବସରରେ ‘ସେବା ସଂକଳ୍ପ ପର୍ବ’ ପାଳନ ସହ ଆଜି ସନ୍ଧ୍ୟା ୬.୩୦ରେ ସାରା ଦେଶରେ ଜଳିବ ଆଶୀର୍ବାଦ ଦୀପ ।
ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ବିକଶିତ ଭାରତର ସ୍ୱପ୍ନଦ୍ରଷ୍ଟା, ପ୍ରେରଣାଦାୟୀ ନେତୃତ୍ୱ ଓ କୋଟି କୋଟି ଭାରତୀୟଙ୍କ ସ୍ୱାଭିମାନର ପ୍ରତୀକ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କର ଯୁଗାନ୍ତକାରୀ ଦିଗଦର୍ଶନ ଓ ଓଡ଼ିଶା ପ୍ରତି ଅତୁଟ ସ୍ନେହ ଆମକୁ ଏକ ସଶକ୍ତ, ଆତ୍ମନିର୍ଭର ତଥା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନୂତନ ଶକ୍ତି ଯୋଗାଉଛି । ତାଙ୍କର ଏହି କର୍ମଯୋଗୀ ଜୀବନ ଆମକୁ ଜନକଲ୍ୟାଣ ଓ ସେବା ସଂକଳ୍ପରେ ଆଗେଇ ନେବାକୁ ସଦା ପ୍ରେରଣା ଦେଉ । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଦୀର୍ଘାୟୁ, ନିରାମୟ ଜୀବନ ଏବଂ ରାଷ୍ଟ୍ରସେବା ପାଇଁ ଅପାର ଶକ୍ତି ପ୍ରଦାନ କରନ୍ତୁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।