ଖଜା ଓ ଗଜା କାରଖାନା ଉପରେ ଚଢ଼ାଉ

Sep 17, 2026 - 11:30
ଖଜା ଓ ଗଜା କାରଖାନା ଉପରେ ଚଢ଼ାଉ

ପୁରୀ : ଖଜାରେ ବ୍ୟାପକ ଅପମିଶ୍ରଣ । ଆଜି ସକାଳୁ ସକାଳୁ ପୁରୀ ସହରର ବିଭିନ୍ନ ସ୍ଥାନରେ ଥିବା ଖଜା ଦୋକାନ ଓ ଗଜା ତିଆରି କାରଖାନାରେ ବଡ଼ ଧରଣର ଚଢ଼ାଉ କରାଯାଇଛି । ଖାଦ୍ୟ ଯୋଗାଣ ବିଭାଗ ଟିମ ସହିତ ପୁରୀ ପୋଲିସ ମିଳିତ ଭାବରେ ଚଢ଼ାଉ କରିଛି । ପୁରୀ ବାଇପାସ ମଙ୍ଗଳାହାଟ ନିକଟରେ ସିଟି ଡିଏସପିଙ୍କ ନେତୃତ୍ୱରେ ଚଢ଼ାଉ ଅଭିଯାନ ଚଳାଇଛନ୍ତି । 

ବିଭିନ୍ନ ସମୟରେ ଶ୍ରଦ୍ଧାଳୁମାନଙ୍କୁ ନିମ୍ନମାନର କିମ୍ବା ଭେଜାଲ ଖଜା ଅଧିକ ଦାମରେ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିବାରୁ ପୁଲିସ ଓ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। 

ଶ୍ରୀକୃଷ୍ଣ ସିନେମା ଲେନ୍, ବଡ଼ଦାଣ୍ଡ, ସ୍ୱର୍ଗଦ୍ୱାର ସମେତ ଆଖପାଖ ଅଞ୍ଚଳରେ ଥିବା ଏକାଧିକ ଖଜା ଗୋଦାମ ଓ କାରଖାନାରେ ଚଢ଼ାଉ ଜାରି ରହିଛି । ଚଢ଼ାଉ ସମୟରେ ଖଜାର ଗୁଣବତ୍ତା, ଓଜନରେ ହେରଫେର, ପ୍ୟାକେଜିଂ ଏବଂ ଖାଦ୍ୟ ସୁରକ୍ଷା ଲାଇସେନ୍ସ ଆଦି ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ନିୟମ ଉଲ୍ଲଂଘନ ମିଳିଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।