ବମିଖାଲ ତୋରଣରେ ଦୁବାଇ ସହର

Oct 19, 2026 - 13:21
ବମିଖାଲ ତୋରଣରେ ଦୁବାଇ ସହର

ରସୁଲଗଡ଼ରେ ୟୁରୋପୀୟ ଭାଟିକାନ୍‌ ସିଟି

 ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ରସୁଲଗଡ଼ ଦୁର୍ଗାପୂଜା ଏହାର ଅନନ୍ୟ ଓ ଭବ୍ୟ କଳାକୃତି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଚଳିତ ବର୍ଷ ପୂଜା କମିଟି ପକ୍ଷରୁ ଦର୍ଶକଙ୍କୁ ଏକ ବିଶ୍ୱସ୍ତରୀୟ ଅନୁଭୂତି ଦେବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି । ପୂର୍ବ ବର୍ଷଗୁଡ଼ିକରେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ମନ୍ଦିର ଏବଂ ଐତିହାସିକ ସ୍ଥାପତ୍ୟର ପ୍ରତିକୃତି ନିର୍ମାଣ କରାଯାଇଥିବାବେଳେ ଚଳିତ ବର୍ଷ ରସୁଲଗଡ଼ରେ ସୁଦୂର ୟୁରୋପର ପ୍ରସିଦ୍ଧ ଭାଟିକାନ୍‌ ସିଟି ଆକୃତିର ଏକ ବିଶ୍ୱାସଜନକ ତୋରଣ ତଥା ମଣ୍ଡପ ନିର୍ମାଣ କରାଯାଇଛି । ଚଳିତ ବର୍ଷର ଏହି ବିଶାଳ ଆୟୋଜନ ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କାର ବଜେଟ୍‌ ଧାର୍ଯ୍ୟ କରାଯାଇଛି । ଏହି ତୋରଣଟି ପ୍ରାୟ ୮୦ ଫୁଟ୍‌ ଉଚ୍ଚ ଏବଂ ୧୪୦ ଫୁଟ୍‌ ଚଉଡ଼ା ହେବ । ଏଥିରେ ବିଶ୍ୱସ୍ତରୀୟ ଆଧୁନିକ ଷ୍ଟ୍ରକଚର୍କୁ ଦୃଷ୍ଟିରେ ରଖି ପ୍ଲାଏଉଡ୍‌, କପଡ଼ା, ପେପର ଓ ବାଉଁଶ ଆଦିର ସହାୟତାରେ ଅତ୍ୟନ୍ତ ଚମତ୍କାର କାରୁକାର୍ଯ୍ୟ କରାଯାଇଛି । ବିଶେଷଜ୍ଞ କାରିଗରମାନେ ଦିନରାତି ଏକ କରି ଏହି ଭବ୍ୟ କଳାକୃତିକୁ ରୂପ ଦେଇଛନ୍ତି । ଏହାଛଡ଼ା ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଏବଂ ସମ୍ପୂର୍ଣ୍ଣ ମଣ୍ଡପର ସୌନ୍ଦର୍ଯ୍ୟକରଣ ପଶ୍ଚିମବଙ୍ଗର ନାମକରା କାରିଗରମାନଙ୍କ ଦ୍ୱାରା କରାଯାଇଛି । ପୂଜା ସମୟରେ ଲକ୍ଷାଧିକ ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ସୁରକ୍ଷା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଣ୍ଡପ ଆଖପାଖ ଅଞ୍ଚଳରେ ରଙ୍ଗବେରଙ୍ଗର ଆକର୍ଷଣୀୟ ଆଲୋକସଜ୍ଜା ହୋଇଛି । ଯାହା ରାତିର ଅନ୍ଧକାରରେ ୟୁରୋପୀୟ ପରିବେଶର ଭ୍ରମ ସୃଷ୍ଟି କରିବ । ଏହାବାତୀତ ପୂଜା ପରିସରରେ ବିଭିନ୍ନ ପ୍ରକାରର ପ୍ରଦର୍ଶନୀ, ମନୋରଞ୍ଜନ ସାମଗ୍ରୀ ଏବଂ ଖାଦ୍ୟପେୟର ଦୋକାନ ମଧ୍ୟ ବସିଛି । ମା ଙ୍କ ଦର୍ଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମେଳାର ମଜା ନେବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଲୋକେ ଛୁଟିଆସିବେ ବେଳେ ଆଶା କରାଯାଉଛି । ଏହି ବିଷୟରେ ପୂଜା କମିଟିର ସଭାପତି ପ୍ରକାଶ ରାଉତରାୟ ଏବଂ ସମ୍ପାଦକ ସଞ୍ଜୟ ବଳବନ୍ତରାୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରସୁଲଗଡ଼ ପୂଜା କମିଟି ପ୍ରତିବର୍ଷ ଦର୍ଶକମାନଙ୍କୁ କିଛି ନୂତନତା ଏବଂ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିଆସୁଛି । ଏଥର ମଧ୍ୟୟୁରୋପୀୟ ଭାଟିକାନ୍‌ ସିଟିର ପ୍ରତିକୃତି ମାଧ୍ୟମରେ ଲୋକଙ୍କୁ ଏକ ଅଲଗା ପ୍ରକାରର ଆଧ୍ୟାତ୍ମିକ ଓ କଳାତ୍ମକ ଆନନ୍ଦ ମିଳିବ । କମିଟି ସଦସ୍ୟ ଓ ପୁଲିସ ପ୍ରଶାସନର ମିଳିତ ସହଯୋଗରେ ଶାନ୍ତିଶୃଙ୍ଖଳା ଏବଂ ନିରାପତ୍ତା ସହିତ ପୂଜାଟିକୁ ସଫଳ ଭାବରେ ସମ୍ପାଦନ କରାଯିବ ବୋଲି ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

 

 

ଶାରଦୀୟ ମହୋତ୍ସବ ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର । ସହରର ଅନ୍ୟତମ ପ୍ରମୁଖ ପୂଜା ମଣ୍ଡପ ବମିଖାଲ ୬୩ ବର୍ଷରେ ପଦାର୍ପଣ କରଛି । ଏଥର ବମିଖାଲ ପୂଜା ମଣ୍ଡପର ମୁଖ୍ୟ ଆକର୍ଷଣ ପାଲଟିଛି ସୁଉଚ୍ଚ ତୋରଣ, ଯାହାକୁ ଦୁବାଇ ସହରର ଅବିକଳ ନକଲ ରୂପେ ନିର୍ମାଣ କରାଯାଇଛି । ଏହି ତୋରଣର ଉଚ୍ଚତା ୮୦ ଫୁଟ ଏବଂ ଓସାର ୧୧୦ ଫୁଟ ରହିଛି । ଏହା ସହିତ ମା'ଙ୍କ ମୂର୍ତ୍ତିର ଉଚ୍ଚତା ୨୦ ଫୁଟ । ମା' ମହାମାୟାଙ୍କ ମଥାରେ ୭ କେଜି ଓଜନର ଚାନ୍ଦି ମୁକୁଟ ସହ ଅନ୍ୟାନ୍ୟ ଚାନ୍ଦି ଅଳଙ୍କାର ଶୋଭା ପାଉଛି ।

ଏଥର ପୂଜାର ମୁଖ୍ୟ ଆକର୍ଷଣ ହେଉଛି ମା'ଙ୍କ ମେଲାଣି ଉତ୍ସବ । ମେଲାଣି ସମୟରେ ପ୍ଲାଇଉଡ୍‌, ସୋଲ ଓ ଅନ୍ୟାନ୍ୟ ସରଞ୍ଜାମରେ ପ୍ରସ୍ତୁତ ଏକ ଟ୍ରେନ୍‌ ଆକୃତିର ଅବିକଳ ରେଳଗାଡ଼ି ଜନପଥରେ ଗଡ଼ିବ । ଏହି ଟ୍ରେନରେ ମୟୂରଭଞ୍ଜର ଛଉ ନୃତ୍ୟ ଏବଂ ବ୍ରହ୍ମପୁରର କଳାକାରମାନଙ୍କ ଦ୍ୱାରା ପାରମ୍ପରିକ ବାଦ୍ୟ ପରିବେଷଣ କରାଯିବ । ଚଳିତ ବର୍ଷ ବମିଖାଲ ପୂଜା କମିଟିର ମୋଟ ବଜେଟ୍‌ ୬୨ ଲକ୍ଷ ଟଙ୍କା ରଖାଯାଇଛି ବୋଲି କୋଷାଧ୍ୟକ୍ଷ ଆଦିତ୍ୟ କୁମାର ଜେନା କହିଛନ୍ତି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ପାଇଁ ପୂଜା ମଣ୍ଡପ ଓ ଆଖପାଖ ଅଞ୍ଚଳରେ ୨୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଭିଡ଼ ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କମିଶନରେଟ୍‌ ପୁଲିସ ସହ ୧୫୦ ଜଣ ପୂଜା ସଦସ୍ୟ ଏବଂ ୫୦ ଜଣ ସୁରକ୍ଷା କର୍ମୀ ମୁତାୟନ ହୋଇଛନ୍ତି । ପୂଜା ସମିତିର ସଭାପତି ସୃଜନ କୁମାର ଜେନା, ସମ୍ପାଦକ ଶୈଳେନ୍ଦ୍ର କୁମାର ଜେନା ଏବଂ ଉପସଭାପତି ସୁବାସ କୁମାର ପ୍ରଧାନ ସମସ୍ତ ଶ୍ରଦ୍ଧାଳୁଙ୍କୁ ଏହି ପୂଜା ଉତ୍ସବରେ ଶାନ୍ତିପୂର୍ଣ୍ଣ ଭାବେ ଭାଗ ନେବାକୁ ନିବେଦନ କରିଛନ୍ତି ।

ସହିଦନଗରରେ ଆମର କୀର୍ତ୍ତି, ଆମର ଗୌରବ ଭବ୍ୟ ତୋରଣ

ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ଓ ଆକର୍ଷଣୀୟ ଦୁର୍ଗାପୂଜା ମଣ୍ଡପ ଭାବେ ପରିଚିତ ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଚଳିତ ବର୍ଷ ମା'ଙ୍କ ପୂଜା ଅତ୍ୟନ୍ତ ଭବ୍ୟ, ଆକର୍ଷଣୀୟ ଓ ଆଧ୍ୟାତ୍ମିକ ପରିବେଶରେ ଆୟୋଜନ କରାଯାଉଛି । ଚଳିତ ବର୍ଷ ମା'ଙ୍କ ଦିବ୍ୟ ରୂପ, ଚାନ୍ଦି ମେଢ, ସୁନା ମୁକୁଟ ଓ ଓଡ଼ିଶାର କଳା-ସଂସ୍କୃତିକୁ ଆଧାର କରି ର୍ନିମିତ ବିଶାଳ ତୋରଣ ପୂଜାର ମୁଖ୍ୟ ଆକର୍ଷଣ ରହିଛି । ଚଳିତ ବର୍ଷ ସହିଦନଗର ଦୁର୍ଗା ପୂଜା ସମିତିର ଏକ ପ୍ରମୁଖ ଆକର୍ଷଣ ହେଉଛି ଆମର କୀର୍ତ୍ତି, ଆମର ଗୌରବ' ବିଶ୍ୱବସ୍ତୁକୁ ଆଧାର କରି ନର୍ମିତ ବିଶାଳ ତୋରଣ । ପ୍ରାୟ ୮୦ ଫୁଟ ଉଚ୍ଚତା ଓ ୧୨୦ ଫୁଟ ପ୍ରସ୍ଥ ବିଶିଷ୍ଟ ଏହି ଭବ୍ୟ ତୋରଣ ଓଡ଼ିଶାର ସୃଜନଶୀଳତା, ଶିଳ୍ପକଳା ଓ କାରିଗରୀ ଦକ୍ଷତାର ଏକ ଅନନ୍ୟ ନିଦର୍ଶନ ଅଟେ । ଏହାକୁ ମେକ୍‌ ଇନ୍‌ ଓଡ଼ିଶା'ତୋରଣ ଭାବେ ଅଭିହିତ କରାଯାଇଛି, ଯାହା ମାଧ୍ୟମରେ ଶିଳ୍ପୀ ଓ କାରିଗରଙ୍କୁ ପ୍ରୋତ୍ସାହନ ଦିଆଯିବା ସହ ଓଡ଼ିଶାର ଗୌରବମୟ ଐତିହ୍ୟକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାର ପ୍ରୟାସ କରାଯାଇଛି ।

ସହିଦନଗର ଦୁର୍ଗା ପୂଜା ମଣ୍ଡପର ଅନ୍ୟତମ ବିଶେଷତ୍ୱ ହେଉଛି ମା'ଙ୍କ ରୂପା ବା ଚାନ୍ଦି ମେଢ, ଯାହାର ଓଜନ ପ୍ରାୟ ୨.୫ କ୍ବିଣ୍ଟାଲ ରହିଛି । ଏହାସହିତ ମା'ଙ୍କ ସୁନା ମୁକୁଟର ଓଜନ ପ୍ରାୟ ୨ କିଲୋଗ୍ରାମ ଅଟେ । ଚଳିତ ବର୍ଷ ମା'ଙ୍କ ମେଢ ଓ ଅଳଙ୍କାର ଶୋଭାବର୍ଷନ ପାଇଁ ଅତିରିକ୍ତ ୪ କିଲୋଗ୍ରାମ ଚାନ୍ଦି ବ୍ୟବହାର କରାଯାଇଛି । ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଦର୍ଶନ ପାଇଁ ପୁରୁଷ ଓ ମହିଳାମାନଙ୍କ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇଥିବାବେଳେ, ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ହ୍ୱିଲ ଚେୟାର ବ୍ୟବସ୍ଥା କରାଯାଇଛି । ଭିଡ଼କୁ ନିୟନ୍ତ୍ରଣ କରିବା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୧୦୦ ରୁ ଊର୍ଦ୍ଧ୍ୱର୍ ସ୍ବେଚ୍ଛାସେବକ (ପୁରୁଷ ଓ ମହିଳା), ୫୦ ରୁ ଅଧିକ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି । ପୂରା ମଣ୍ଡପ ଓ ତତପାଶ୍ୱର୍କୁ ସିସି କ୍ୟାମେରା ଦ୍ୱାରା ନଜର ରଖାଯିବା ସହ ପ୍ରଥମ ଥର ପାଇଁ ମଣ୍ଡପଟିକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ (ଏସି) କରାଯାଇଛି ବୋଲି ସମ୍ପାଦକ ହରିଶ ପ୍ରସାଦ ରଥ କହିଛନ୍ତି ।

ପୁରୁଣା ଷ୍ଟେସନ ବଜାରର ନିଆରା ଥିମରେ ତୋରଣ

ପ୍ରତିବର୍ଷ ନୂଆ ରୂପ ଓ ପରିକଳ୍ପନା ଆଧାରିତ ତୋରଣ ପାଇଁ ଚର୍ଚ୍ଚାରେ ରହୁଥିବା ଏହି ପୂଜା ମଣ୍ଡପରେ ଚଳିତ ବର୍ଷ ଶକ୍ତି ହିଁ ଜୀବନର ଆଧାର ଚିନ୍ତାଧାରାକୁ ନେଇ ଆକର୍ଷଣୀୟ ତୋରଣ ପ୍ରସ୍ତୁତ କରାଯାଇଛି । ଆଧ୍ୟାତ୍ମିକ ଶକ୍ତିରୁ ଆରମ୍ଭ କରି ବର୍ତ୍ତମାନ ଯୁଗର ଶକ୍ତି ପର୍ଯ୍ୟନ୍ତ ଏହାର ବିଷୟବସ୍ତୁ ରହିଛି । ଏଥିରେ ମହାଦେବଙ୍କ ରୁଦ୍ର ରୂପ ସହ ଜୀବନ ସହ ଜଡ଼ିତ ଭିନ୍ନ ଭିନ୍ନ ଶକ୍ତିର ସଞ୍ଚାରକୁ ନେଇ ଦୃଶ୍ୟପଟ୍ଟ ଦେଖିବାକୁ ମିଳୁଛି । ୧୫୦ ଫୁଟ ଲମ୍ବ ଓ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ତୋରଣ ନିପୁଣ କାରିଗରୀ କାର୍ଯ୍ୟରେ ପରିପୂର୍ଣ୍ଣ ହୋଇଛି । ଚଳିତ ବର୍ଷ ପୂଜା ପାଇଁ ପ୍ରାୟ ୧ କୋଟି ଟଙ୍କାର ବଜେଟ୍‌ ଧାର୍ଯ୍ୟ କରାଯାଇଛି । ମଣ୍ଡପର ଭିତର ପାଶ୍ୱର୍ରେ ଜୀବନ ଏକ ନାଟକ ବିଷୟବସ୍ତୁରେ କଳାକାରମାନଙ୍କ ଜୀବନଶୈଳୀକୁ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଇଛି । ଶ୍ରଦ୍ଧାଳୁମାନେ ଆକର୍ଷଣୀୟ କଳାକୃତି ସହ କଳାକାରମାନଙ୍କ ଜୀବନ୍ତ ନାଟକର ସିଧା ପ୍ରସାରଣ ଦେଖିବାର ସୁଯୋଗ ପାଇବେ । କଳା ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ବେହେରା ଓ ତାଙ୍କ ସହଯୋଗୀମାନେ ଦୀର୍ଘ ୨ ମାସ ଧରି ଏହାର ନିର୍ମାଣ କାର୍ଯ୍ୟ କରୁଛନ୍ତି । ସଜଡ଼ା ହୋଇଥିବା ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ଗାନ୍ଧୀମଣ୍ଡପ ଓ ସୁନା ଅଳଙ୍କାର ଏହାର ଅନ୍ୟତମ ମୁଖ୍ୟ ଆକର୍ଷଣ ।

ଘରେ ବସି ସ୍ୱିଗିରେ ମିଳିବ ମା'ଙ୍କ ପ୍ରସାଦ

ସପ୍ତମୀରୁ ଅଷ୍ଟମୀ ତିଥି ପର୍ଯ୍ୟନ୍ତ ଦେବୀଙ୍କ ନିକଟରେ ଅନ୍ନ ଭୋଗ ଏବଂ ଦଶମୀରେ ଦହିପଖାଳ ଭୋଗ ଲାଗି ହେବ, ଯାହା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବଣ୍ଟନ କରାଯିବ । ଚଳିତ ବର୍ଷ କମିଟି ପକ୍ଷରୁ ଏକ ନୂତନ ଓ ଅଭିନବ ପଦକ୍ଷେପ ସ୍ୱରୂପ ସ୍ୱିଗି ସହ ଭାଗିଦାରୀ କରାଯାଇଛି । ଯାହାଫଳରେ ଭକ୍ତମାନେ ଅନଲାଇନରେ ମା'ଙ୍କ ଶୁଖିଲା ଭୋଗ ଅର୍ଡର କରି ନିଜ ଘରେ ବସି ପାଇପାରିବେ । ଏହାଦ୍ୱାରା ଆସିବାରେ ଅସମର୍ଥ ଶ୍ରଦ୍ଧାଳୁମାନେ ମଧ୍ୟ ମା'ଙ୍କ ପ୍ରସାଦ ସହଜରେ ପାଇପାରିବେ । ସେହିଭଳି ଅନ୍ୟପଟେ ମଣ୍ଡପ ପରିସରରେ ଶୃଙ୍ଖଳା ଓ ସୁରକ୍ଷା ଦୃଷ୍ଟିରୁ ୪୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଯାହାକୁ କମିଶନରେଟ୍‌ ପୋଲିସର କ୍ୟାମେରା ସହ ସଂଯୋଗ କରାଯାଇଛି । ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୨୦୦ ଜଣ ପୁରୁଷ ଓ ମହିଳା ସ୍ବେଚ୍ଛାସେବୀ ନିୟୋଜିତ ଅଛନ୍ତି । ମହିଳା, ଶିଶୁ, ବୃଦ୍ଧବୃଦ୍ଧା ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ହ୍ୱିଲଚେୟାର, ଶିଶୁମାନଙ୍କ ବ୍ୟବସ୍ଥା କରାଯାଇଛି । ଅଷ୍ଟମୀରୁ ଦଶମୀ ତିଥି ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରର ବିଭିନ୍ନ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପାରମ୍ପରିକ ରାବଣ ପୋଡ଼ି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେବ ବୋଲି ସଭାପତି ଗଣେଶ ପ୍ରସାଦ ସାହୁ, ସମ୍ପାଦକ ଦୀପକ କୁମାର ଜେନା, ଉପସଭାପତି ଅମରେଶ ଜେନା କହିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।