‘ବେଞ୍ଚ ନାହିଁ ତ ଭୋଟ୍ ନାହିଁ’; ମେରଠରେ ଓକିଲଙ୍କ ରଣହୁଙ୍କାର
ମେରଠ:ପଶ୍ଚିମ ଉତ୍ତର ପ୍ରଦେଶରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିକୁ ନେଇ ମେରଠରେ ଓକିଲଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରତିନିଧିମଣ୍ଡଳୀର ଆଲୋଚନା ପରେ ମଧ୍ୟ ଦାବି ନେଇ କୌଣସି ଠୋସ୍ ଆଶ୍ୱାସନ ନମିଳିବାରୁ ମେରଠ ବାର ଆସୋସିଏସନ୍ କଠୋର ନିଷ୍ପତ୍ତି ନେଇଛି।
ଓକିଲମାନଙ୍କ ଅଭିଯୋଗ ଅନୁଯାୟୀ, ପଶ୍ଚିମ ଉତ୍ତର ପ୍ରଦେଶରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ପଷ୍ଟ ପ୍ରତିଶ୍ରୁତି ମିଳିନାହିଁ। ଆଲୋଚନା ସମୟରେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟର କ୍ଷେତ୍ରାଧିକାର ସହ ଜଡ଼ିତ ବୋଲି କୁହାଯାଇଥିବା ଓକିଲମାନେ ପ୍ରକାଶ କରିଛନ୍ତି।କଚେରିର ବିଭିନ୍ନ ସ୍ଥାନରେ ‘ବେଞ୍ଚ ନାହିଁ ତ ଭୋଟ୍ ନାହିଁ’ ଏବଂ ବିଜେପି ଜନପ୍ରତିନିଧିଙ୍କ ପ୍ରବେଶ ନିଷେଧ ସମ୍ପର୍କିତ ବ୍ୟାନର ଲଗାଯାଇଛି। ଏଥିସହ ବିଜେପି ଜନପ୍ରତିନିଧିଙ୍କ ମାମଲାରେ ଆଇନଜୀବୀମାନେ ପ୍ରତିନିଧିତ୍ୱ ନକରିବା ଏବଂ ପୂର୍ବରୁ ଦାଖଲ ହୋଇଥିବା କିଛି ବକାଲତନାମା ଫେରାଇନେବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିବା ରିପୋର୍ଟରେ କୁହାଯାଇଛି।
ହାଇକୋର୍ଟ ବେଞ୍ଚ ଦାବିର ସମର୍ଥନରେ ପଶ୍ଚିମ ଉତ୍ତର ପ୍ରଦେଶର ୨୨ଟି ଜିଲ୍ଲାର ଓକିଲମାନେ ବୁଧବାର ନ୍ୟାୟିକ କାର୍ଯ୍ୟରୁ ବିରତ ରହିଥିଲେ। ଏହି ଦାବିକୁ ନେଇ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆଇନଜୀବୀମାନେ କହିଛନ୍ତି। ପଶ୍ଚିମ ଉତ୍ତର ପ୍ରଦେଶରେ ଦୀର୍ଘଦିନ ଧରି ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ଉଠିଆସୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।