ଭକ୍ତ ଓ ଭଗବାନଙ୍କର ନିବିଡ ସମ୍ପର୍କ ବଖାଣିଲା ନାଟକ “ମୃଦଙ୍ଗେ ମହାବ୍ରହ୍ମ” ; ଭାବବିହ୍ବଳ ହେଲେ ଦର୍ଶକ

Nov 03, 2026 - 13:02
ଭକ୍ତ ଓ ଭଗବାନଙ୍କର ନିବିଡ ସମ୍ପର୍କ ବଖାଣିଲା ନାଟକ “ମୃଦଙ୍ଗେ ମହାବ୍ରହ୍ମ” ; ଭାବବିହ୍ବଳ ହେଲେ ଦର୍ଶକ

ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ମାସିକ ଜଗନ୍ନାଥାୟନ କାର୍ଯ୍ୟକ୍ରମରେ ନାଟକ “ମୃଦଙ୍ଗେ ମହାବ୍ରହ୍ମ” ର ମଞ୍ଚାୟନ ସଫଳ ଭାବେ ହୋଇଯାଇଛି। ନାଟକଟିର ବିଷୟ ବସ୍ତୁ ଆମ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ। ବ୍ରହ୍ମ ଉଦ୍ଧାର ଓ ବ୍ରହ୍ମ ପରିବର୍ତ୍ତନର ଘଟଣାବଳୀକୁ ନେଇ ଆଧାରିତ ନାଟକଟିର ରଚନା,ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ଦେବାନନ୍ଦ ନାୟକ ସୋନୀ। ଭୁବନେଶ୍ୱରର ଏକ ଅଗ୍ରଣୀ ନାଟ୍ୟାନୁଷ୍ଠାନ, ଏକ୍ସପ୍ରେସନ୍ସର କଳାକାର ମାନେ ଅତି ନିଖୁଣ ଏବଂ ମର୍ମସ୍ପର୍ଶୀ ଭାବରେ ବଖାଣିଥିଲେ କୀର୍ତ୍ତନିଆ ବୈଷ୍ଣବ ଭକ୍ତ ବିସର ମହାନ୍ତି ଓ ଜଗନ୍ନାଥଙ୍କର ନିବିଡ ସମ୍ପର୍କର କଥା। ୧୫୬୮ ମସିହାରେ, କିପରି କଳାପାହାଡ଼ ଆକ୍ରମଣ କାଳରେ ଜଗନ୍ନାଥଙ୍କ ଦଗ୍ଧ ଶରୀରରୁ ବ୍ରହ୍ମ ଉଦ୍ଧାର କରି ଖୋରଧାର ରାଜାଙ୍କୁ ସମର୍ପଣ କରାଯାଇଥିଲା ଏବଂ ପୁନଃ ଦାରୁ ବିଗ୍ରହଙ୍କୁ ପ୍ରତିଷ୍ଠା କରାଯାଇ ନବକଳେବର କରାଯାଇଥିଲା ତାହା ଅତି ନିଖୁଣ ଭାବେ ଦର୍ଶା ଯାଇଥିଲା।ସତ୍ୟପ୍ରକାଶଙ୍କ ଆବହ ସଙ୍ଗୀତ ବେଶ୍ ପ୍ରାଣସ୍ପର୍ଶୀ ହୋଇଥିବା ବେଳେ,ଆଲୋକ ସମ୍ପାତ,ପୋଷାକ,ରୂପସଜ୍ଜା ଏବଂ ମଞ୍ଚ ସଜ୍ଜା ବେଶ୍ ବିଷୟବସ୍ତୁ ଉପଯୋଗୀ ଥିଲା। ମଞ୍ଚସଜ୍ଜାରେ ତ୍ରିମୂର୍ତ୍ତି ଆର୍ଟ୍ସ,ମଞ୍ଚ ପରିଚାଳନାରେ ସୌମ୍ୟରଞ୍ଜନ, ପୋଷାକ ପରିକଳ୍ପନା ପ୍ରଜ୍ଞା ଓ ଲକି, ରୂପସଜ୍ଜା ଓ ମଞ୍ଚ ଉପକରଣ ପ୍ରସ୍ତୁତିରେ ଜି ଜଗା ରାଓ ଓ ଦେବରାଜ ଏବଂ ମଞ୍ଚ ଉପରେ ସତ୍ୟମ୍ ଯୋଶେଫ୍, ପଦାରବିନ୍ଦୁ ନାୟକ,ବିଶ୍ୱରୂପ ମିଶ୍ର,ଅବନ୍ତୀ, ଅଙ୍କିତ୍,ସୁନୀଲ, ଅଭିରାଜ୍, ବଣ୍ଟି,ରଶ୍ମି,ଜଳନ୍ଧର, ଅଭିଷେକ,କୌସ୍ତୁଭ,ସ୍ତୁତି,ପ୍ରଜ୍ଞା,ସାଇନା,ରେଖା ଓ ଆଦ୍ୟାଶାଙ୍କ ଅଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା।

ଦେଖନ୍ତୁ ଭିଡିଓ; କର୍ତ୍ତବ୍ୟ ଆଗ, ଜୀବନ ପଛ ; ତଳେ ପ୍ରଖର ପାଣି ସୁଅ, ଏମିତି ଡ୍ୟୁଟିକୁ ଗଲେ ଆଶା ଓ ANM କର୍ମୀ..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।