ମହାପ୍ରଭୁଙ୍କ ଧାଡି ଦର୍ଶନ , ଘଣ୍ଟାଏ ରେ ଦର୍ଶନ କରିବେ ୧୦ହଜାର ଶ୍ରଦ୍ଧାଳୁ

Oct 29, 2026 - 12:56
ମହାପ୍ରଭୁଙ୍କ ଧାଡି ଦର୍ଶନ , ଘଣ୍ଟାଏ ରେ ଦର୍ଶନ କରିବେ ୧୦ହଜାର ଶ୍ରଦ୍ଧାଳୁ

ଭୁବନେଶ୍ୱର : ଏଣିକି ମହାପ୍ରଭୁଙ୍କୁ ସୁରୁଖୁରୁରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ଖୁବ ଶୀଘ୍ର ଶ୍ରୀମନ୍ଦିରରେ ହେବ ଧାଡି ଦର୍ଶନ ବ୍ୟବସ୍ଥା । ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା ଚାଲିଛି । ଶ୍ରୀମନ୍ଦିରରେ OBCC ପକ୍ଷରୁ ନିର୍ମାଣାଧୀନ ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ । ଏହି ଅବସରରେ ମନ୍ତ୍ରୀ ନିର୍ମାଣ କାର୍ଯ୍ୟସ୍ଥଳ ପରିଦର୍ଶନ କରିବା ସହ ଭିତ୍ତିଭୂମି ଓ ବ୍ୟାରିକେଡ୍ ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ  । 

ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି । ପ୍ରତି ଘଣ୍ଟାରେ ପ୍ରାୟ ୮ ରୁ ୧୦ ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଏବଂ ସହଜ ଦର୍ଶନ ପାଇଁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ।

ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ୍ କର୍ପୋରେସନ୍ (OBCC) ଦ୍ୱାରା ବ୍ୟାରିକେଡ୍ ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି । ଏହି କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଭକ୍ତମାନଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେଇ ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବ ଶୀଘ୍ର ଆରମ୍ଭ ହେବ । 

ଶ୍ରୀମନ୍ଦିର ଧାଡ଼ି ଦର୍ଶନ ପାଇଁ ଉଚ୍ଚସ୍ତରୀୟ ବୈଠକରେ ମହାପ୍ରଭୁଙ୍କ ଦର୍ଶନ କିପରି ଶୃଙ୍ଖଳିତ ହେବ ସେନେଇ ତର୍ଜମା ହୋଇଛି। ମନ୍ଦିର ନିତିକାନ୍ତି ଓ ଲୋକଙ୍କ ଦର୍ଶନରେ ସମସ୍ୟା ନ ହେବା ପାଇଁ ପାଇଲଟ ମଡେଲ କରାଯାଇଛି। ୮- ୧୦ ଦିନ ମଧ୍ୟରେ ବୈଷୟିକ ଟିମ୍ ମଡେଲ ଦେଖାଇବେ । 

ନାଟମଣ୍ଡପରେ ୫ଟି ଅଲଗା ଅଲଗା ରାମ୍ପ ନିର୍ମାଣ କରାଯିବ । ୫ଟି ରାମ୍ପରେ ଆନୁମାନିକ ୫୦ ଜଣ ଲୋକ ଏକସଙ୍ଗେ ଦର୍ଶନ କରିପାରିବେ । ନାଟମଣ୍ଡପରେ ଭକ୍ତଙ୍କ ଚଲାପଥକୁ ପ୍ରଶସ୍ତ ଓ ବାଧାମୁକ୍ତ କରିବା ପାଇଁ ସେଠାରେ ଥିବା ହୁଣ୍ଡି ବାକ୍ସକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । 

ସାତ ପାହଚ ମଧ୍ୟ ଦେଇ ଭିତରକୁ ଭକ୍ତମାନେ ପଶୁଛନ୍ତି । ଗରୁଡ଼ ସ୍ତମ୍ଭଠୁ ବାହାର କାଠ ପର୍ଯ୍ୟନ୍ତ ରାମ୍ପ ହେଉଛି। ଏହାଦ୍ବାରା ମନ୍ଦିର ଭିତରେ ଭିଡ଼ ହ୍ରାସ ପାଇବ। ଭିତରକୁ ପ୍ରବେଶ କଲା ପରେ ଯେଉଁ ୯ ଲାଇନ୍ ରହିଛି,ତାକୁ କିପରି କାର୍ଯ୍ୟକ୍ଷମ କରାଯିବ ସେନେଇ ଯୋଜନା ପ୍ରସ୍ତୁତ ହେଉଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।