ମୁଖ୍ୟମନ୍ତ୍ରୀ ଦେଲେ ସୋସିଆଲ ମିଡ଼ିଆ ଟାସ୍କ

Oct 09, 2026 - 16:21
ମୁଖ୍ୟମନ୍ତ୍ରୀ ଦେଲେ ସୋସିଆଲ ମିଡ଼ିଆ ଟାସ୍କ

ଭୁବନେଶ୍ୱର : ରାଜ୍ୟର ସୂଚନା ଓ ଲୋକସମ୍ପର୍କ ବିଭାଗର ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କୁ ସୋସିଆଲ ମିଡିଆ କ୍ଷେତ୍ରରେ ସରକାରୀ ଯୋଜନାର ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ଏକ ବିଶେଷ ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ 'ଉଦୀୟମାନ ସୋସିଆଲ ମିଡିଆ ଧାରା' ଉପରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ସୂଚନା ସେବା କ୍ଷେତ୍ରରେ ବହୁ ପଛରେ ରହିଛି ଓଡ଼ିଶା । ଏହାକୁ ଆଗକୁ ନେବା ପାଇଁ ସୋସିଆଲ ମିଡିଆରେ ଅଧିକ ଫୋକସ ଦେବା ଉଚିତ । ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଶାଳାରେ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୂଚନା ଅଧିକାରୀଙ୍କ କାମ କେବଳ ପ୍ରେସ ବିଜ୍ଞପ୍ତି ଦେବା ନୁହେଁ । ସରକାର ଓ ଲୋକଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ସେମାନଙ୍କର ପ୍ରମୁଖ ଦାୟିତ୍ୱ । ସରକାରଙ୍କ ଯୋଜନା କିଭଳି ତଳସ୍ତରରେ ପହଞ୍ଚିବ ଓ ସାଧାରଣ ଲୋକ କିଭଳି ଲାଭାନ୍ୱିତ ହେବେ, ସେଥିରେ I&PR ବିଭାଗର ବଡ଼ ଭୂମିକା ରହିଛି । ଖୁବ କମ ସମୟରେ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ,  GEN-Z ଶବ୍ଦ ନକହିବାକୁ ନିର୍ଦ୍ଦେଶ ରହିଛି, ତାହାକୁ ମଧ୍ୟ ମୁଁ ପାଳନ କରୁଛି । ମୋ ସୋସିଆଲ ମିଡିଆ କେତେ ଅଗ୍ରସର ପ୍ରଧାନମନ୍ତ୍ରୀ ତାହା ଦେଖିଛନ୍ତି ।  ମୁଁ ସେ ଦିଗରେ କେତେ ତଳେ ରହିଛି ତାହା ଦେଖି ମୁଁ ତାଜୁବ । ତେଣୁ ସେଥିରେ କିପରି ଉନ୍ନତି ଆସିବ ସେ ରିପୋର୍ଟକୁ ମୁଖ୍ୟ ଶାସନ ସଚିବ ଏବଂ ସୂଚନା ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଦିଆଯାଇଛି ।  ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି । ସେହିଭଳି ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ମିଥ୍ୟା ଖବର, ଅପପ୍ରଚାର ଏବଂ ନକାରାତ୍ମକ ପ୍ରଭାବକୁ କାଉଣ୍ଟର କରିବା ସହ ସତ୍ୟ ଓ ତଥ୍ୟଭିତ୍ତିକ ସୂଚନା ଉପସ୍ଥାପନ କରିବା ଉଚିତ ।

ସେହିପରି ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଡିଜିଟାଲ କ୍ରିଏଟର୍ସ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କୁ ଦେଶର ବିକାଶ ତଥା ଓଡ଼ିଶାର ସଂସ୍କୃତିର ପ୍ରଚାର ପାଇଁ ଦାୟିତ୍ୱବାନ ବିଷୟବସ୍ତୁ ତିଆରି କରିବାକୁ ଆହ୍ୱାନ ଦେଇଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।