ରୁଷ୍‌ର ବୋମାବର୍ଷୀ ବିମାନ ଜଳିଗଲା, ୬ ମୃତ

Sep 30, 2026 - 14:57
ରୁଷ୍‌ର ବୋମାବର୍ଷୀ ବିମାନ ଜଳିଗଲା, ୬ ମୃତ

ମସ୍କୋ: ରୁଷ୍‌ର ଏକ ପରମାଣୁ ଶକ୍ତିସମ୍ପନ୍ନ ବୋମାବର୍ଷୀ ବିମାନ ମଙ୍ଗଳବାର ଉଡ଼ାଣ ଭରିବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଛି। ଏହି ଘଟଣାରେ ବିମାନର ୬ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ଅମୁର୍‌ର ସୁଦୂର ପୂର୍ବାଞ୍ଚଳରେ ବୋମାବର୍ଷୀ ବିମାନର ଏକ ପରୀକ୍ଷାମୂଳକ ଉଡ଼ାଣ ସମୟରେ ଏହି ଅଘଟଣ ଘଟିଛି। ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ମନ୍ତ୍ରାଳୟ କହିଛି ଯେ, ରୁଷ୍‌ ବ୍ୟବହାର କରୁଥିବା ଏହି ପରମାଣୁ-କ୍ଷମ ବୋମାବର୍ଷୀ ବିମାନକୁ କୌଣସି ଅସ୍ତ୍ରଶସ୍ତ୍ର ବିନା ରୁଟିନ୍‌ ସାମରିକ ସମରାଭ୍ୟାସ ପାଇଁ ପରୀକ୍ଷାମୂଳକ ଉଡ଼ାଣ କରାଯାଉଥିଲା। ରୁଷ୍‌ର ଟିୟୁ-୯୫ଏମ୍ଏସ୍‌ ଷ୍ଟ୍ରାଟେଜିକ୍‌ ବୋମାବର୍ଷୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳୁଥିବାର ଭିଡିଓ ମଧ୍ୟ ଜାରି ହୋଇଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ଜଣେ କ୍ରୁ ସଦସ୍ୟ ବର୍ତ୍ତି ଯାଇଛନ୍ତି ଓ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।