ସୁନାଗୁଣ୍ଡ ଥିବା ମିଠା
ଦୀପାବଳି ଆସିଲେ ବିଭିନ୍ନ ସହରରେ ସ୍ବତନ୍ତ୍ର ଧରଣର ମିଠା ପ୍ରସ୍ତୁତି ଆରମ୍ଭ ହୋଇଥାଏ । ସେହିକ୍ରମରେ ଜୟପୁରର ଏକ ପ୍ରସିଦ୍ଧ ମିଠା ଦୋକାନରେ ପ୍ରସ୍ତୁତ ହୋଇଥିବା ଏକ ସ୍ୱତନ୍ତ୍ର ବିଳାସପୂର୍ଣ୍ଣ ମିଠା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ‘ତ୍ୟୋହାର ଅଶରଫି’ ନାମରେ ନାମିତ ଏହି ମିଠାର ମୂଲ୍ୟ କିଲୋପ୍ରତି ପ୍ରାୟ ୧.୨୫ ଲକ୍ଷ ଟଙ୍କା ରଖାଯାଇଛି । ପୁରାତନ କାଳର ସୁନା ମୋହର (ଅଶରଫି) ଆକୃତିରେ ନିର୍ମିତ ଏହି ମିଠାର ମାତ୍ର ୯ ଗ୍ରାମ୍ ଓଜନର ଗୋଟିଏ ପିସର ଦାମ୍ ୧,୧୧୧ ଟଙ୍କା ରହିଛି । ଦୋକାନର ସଂସ୍ଥାପିକା ଅଞ୍ଜଳି ଜୈନଙ୍କ କହିବା ଅନୁଯାୟୀ, ୧,୧୧୧ ଟଙ୍କାକୁ ଏକ ଶୁଭ ସଂଖ୍ୟା ଭାବେ ଗ୍ରହଣ କରାଯାଉଥିବାରୁ ପ୍ରତ୍ୟେକ ପିସର ମୂଲ୍ୟ ଏହିପରି ନିର୍ଦ୍ଧାରଣ କରାଯାଇଛି । ଏହି ମିଠା ମଧ୍ୟରେ ବାଦାମ ସହ ଖାଦ୍ୟଯୋଗ୍ୟ ସୁନା ଗୁଣ୍ଡ ମିଶ୍ରିତ କରାଯାଇଥିବା ବେଳେ, ଏହାର ଉପରିଭାଗରେ ସୂକ୍ଷ୍ମ ସୁନା ପତ୍ର ଏବଂ ଉଚ୍ଚମାନର କେଶର ସଜାଯାଇଛି । ୯ଟି ପିସ୍ ବିଶିଷ୍ଟ ଗୋଟିଏ ବାକ୍ସର ମୂଲ୍ୟ ୯,୯୯୯ ଟଙ୍କା ରହିଥିବା ବେଳେ, ଓଜନ ହିସାବରେ ଏହାର ଦାମ୍ କିଲୋପ୍ରତି ପ୍ରାୟ ୧.୨୩ ରୁ ୧.୨୫ ଲକ୍ଷ ଟଙ୍କା ପଡ଼ୁଛି । ଏହା ସହିତ ଏହି ପ୍ରତିଷ୍ଠାନ ପକ୍ଷରୁ ‘ତ୍ୟୋହାର ନବରତ୍ନ’ ଶ୍ରେଣୀରେ କାଜୁ କାଟଲିର ୯ଟି ଭିନ୍ନ ଭିନ୍ନ ସ୍ୱାଦ, ଯଥା : ପିସ୍ତା, କେଶର, ଗୋଲାପ, ଷ୍ଟ୍ରବେରୀ, ଆମ୍ବ, ମାଚା ଆଦି ବଜାରପ୍ରବେଶ କରାଯାଇଛି, ଯାହାକି ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗ ଓ ସ୍ୱାଦରେ ପ୍ରସ୍ତୁତ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।