ଭଣଜା ତେଣ୍ଟା ମାଡ଼ରେ ମାମୁଁ ମୃତ

Nov 06, 2026 - 14:10
ଭଣଜା ତେଣ୍ଟା ମାଡ଼ରେ ମାମୁଁ ମୃତ

ଆଳି : ଭଣଜାର ତେଣ୍ଟା ମାଡ଼ରେ ମାମୁଙ୍କ ମୃତ୍ୟୁ । ଏଭଳି ଜଘନ୍ୟ କାଣ୍ଡ ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ସିଙ୍ଗିରି ପଞ୍ଚାୟତ ସିଙ୍ଗିରି ଗାଁ ମହାସାହାଣୀ କେଳାବସ୍ତିରେ । ମୃତକ ହେଲେ ୬୫ ବର୍ଷୀୟ ଗିରିଧର ଦାସ । ଅଭିଯୁକ୍ତ ଭଣଜା ହେଲେ କାରନ ଦାସ (୨୧) । ଭଣଜାର ଅପରାଧିକ କାର୍ଯ୍ୟକଳାପକୁ ବିରୋଧ କରିବାରୁ ଗିରିଧାରୀଙ୍କୁ ଭଣଜା ଓ ସମ୍ପର୍କୀୟ ପୁତୁରା ହତ୍ୟାକରିଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି । ଘଟଣା ପରେ ପୁଲିସ ଅଭିଯୁକ୍ତକୁ ନେଇ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରିଛି । ଏଥିରେ କାରନ ମାମୁଙ୍କୁ କିପରି ତେଣ୍ଟାରେ ଆକ୍ରମଣ କରିଥିଲେ, ତାହାର ଡେମୋ ଦେଖାଇଥିଲେ ।

ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ସିଙ୍ଗିରି ଗ୍ରାମର ଗିରିଧର ଦାସ ଓ ତାଙ୍କ ଭଣଜା କାରନ ଦାସଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହି ସମୟରେ କାରନ ନିଶାସକ୍ତ ଅବସ୍ଥାରେ ଥିଲେ । ବଚସା ପରେ କାରନ ଉତକ୍ଷିପ୍ତ ହୋଇ ଅନ୍ୟ ଜଣେ ପୁତୁରା ସହ ମିଶି ଗିରିଧାରୀଙ୍କୁ ତେଣ୍ଟାରେ ଭୁସି ଦେଇଥିଲେ । ଫଳରେ ତେଣ୍ଟାଟି ତାଙ୍କ ଛାତିରେ ପଶିଯିବା ସହ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଗିରିଧରଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଆଳି ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ଆଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଝିଅଙ୍କ ଅଭିଯୋଗ ଆଧାରରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଭଣଜାକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଫେରାର ଥିବା ସମ୍ପର୍କୀୟ ପୁତୁରାକୁ ଧରିବା ପାଇଁ ଖୋଜାଖୋଜି ଜାରି ରଖିଛି । ଏଥିସହ ଆକ୍ରମଣରେ ବ୍ୟବହୃତ ତେଣ୍ଟାକୁ ଜବତ କରିଛି । ପରବର୍ତ୍ତୀ ସମୟରେ ପୁଲିସ ଅଭିଯୁକ୍ତ କାରନଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରାଇଥିଲା । ସେଠାରେ କାରନ ମାମୁ ଗିରିଧରଙ୍କୁ କିପରି ତେଣ୍ଟାରେ ଆକ୍ରମଣ କରିଥିଲେ, ତାହାର ଡେମୋ ଦେଖାଇଥିଲେ। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।