ହ୍ୱାଟ୍ସ ଆପ ରେ ପାଇପାରିବେ ଅତ୍ୟାବଶ୍ୟକୀୟ ପୋଲିସ ସେବା

Sep 12, 2026 - 16:04
ହ୍ୱାଟ୍ସ ଆପ ରେ ପାଇପାରିବେ ଅତ୍ୟାବଶ୍ୟକୀୟ ପୋଲିସ ସେବା

ଭୁବନେଶ୍ୱର : ଜନସାଧାରଙ୍କର ଆହୁରି ନିକଟତର ହେବ ପୋଲିସ । ଏଣିକି ହାତ ପାଆନ୍ତାରେ ପାଇପାରିବେ ପୋଲିସ ସେବା । ଅତ୍ୟାବଶ୍ୟକୀୟ ସେବା ପାଇଁ ସାଧାରଣ ଲୋକଙ୍କୁ ଆଉ ବାରମ୍ବାର ଥାନାକୁ ଯିବାକୁ ପଡ଼ିବ ନାହିଁ। ଘରେ ବସି ନିଜ ମୋବାଇଲ ଫୋନ୍ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବ ଓଡ଼ିଶା ପୁଲିସ । ହ୍ୱାଟ୍ସ ଆପ ରେ ମିଳିବ ୧୪ଟି ଗୁରୁତ୍ତ୍ୱପୂର୍ଣ୍ଣ ସେବା । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଡିଜିଟାଲ ପଦକ୍ଷେପ ଅଧୀନରେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପୁଲିସ-ନାଗରିକ ସେବା ଯୋଡ଼ାଯାଇଛି। 

ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଶୁକ୍ରବାର ଅନ୍ତରୀଣ ପୁଲିସ ଡିଜି ବିନୟତୋଷ ମିଶ୍ର ଏହି ନୂଆ ଡିଜିଟାଲ ପୁଲିସିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ସାଧାରଣ ଲୋକଙ୍କ ନିକଟରେ ସରକାରୀ ସେବା ସହଜରେ ପହଂଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଗତ ଡିସେମ୍ବର ମାସରେ ଶୁଭାରମ୍ଭ କରିଥିବା ୨୪ଘଣ୍ଟିଆ ଡିଜିଟାଲ ସହାୟକ ପ୍ଲାଟଫର୍ମ ‘ଆମ ସାଥୀ’ ହ୍ୱାଟସଆପ୍ ବଟ୍ ରେ ପୁଲିସ ସେବା ଯୋଡ଼ି ହୋଇଛି । ଓଡ଼ିଶା ସରକାରଙ୍କ ସିଏମ୍‌ଜିଆଇ, ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ, ଓଡ଼ିଶା ପୁଲିସ ଓ ମେଟା ଇଣ୍ଡିଆର ମିଳିତ ସହଭାଗିତାରେ ଏହି ହ୍ୱାଟସଆପ୍ ବଟ୍ ବିକଶିତ କରାଯାଇଛି। 

ଗୃହ ବିଭାଗର ଓଆରଟିପିଏସଏ ଅଧୀନରେ ଥିବା ସେବାଗୁଡ଼ିକୁ ଏହି ବଟ୍ ସହିତ ସମନ୍ୱିତ କରାଯାଇ ନାଗରିକଙ୍କ ସେବାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ଦ୍ରୁତ ତଥା ନିର୍ଭରଯୋଗ୍ୟ କରିବା ଲାଗି ଏସସିଆରବି ପକ୍ଷରୁ ବୈଷୟିକ ବ୍ୟବସ୍ଥା କରାଯାଇଛି। 

ଏହି ସେବା ପାଇବା ଅତ୍ୟନ୍ତ ସରଳ ଓ ସହଜ। ନାଗରିକମାନଙ୍କୁ କେବଳ ୯୪୩୭୨୯୨୦୦୦ ନମ୍ବରଟିକୁ ନିଜ ଫୋନରେ ସେଭ୍ କରି ହ୍ୱାଟ୍ସଆପରେ ‘Hi ’ ଲେଖି ପଠାଇବାକୁ ହେବ। ଏହାପରେ ପସନ୍ଦର ଭାଷା ଚୟନ କରି ତାଲିକାରୁ ନିଜ ମନମୁତାବକ ସେବା ବାଛିବା ସହ ଆବଶ୍ୟକ ତଥ୍ୟ ଓ ଦଲିଲ୍ ଅପଲୋଡ୍ କରିବାକୁ ପଡ଼ିବ। ଆବେଦନ ଦାଖଲ ହେବା କ୍ଷଣି ମିଳିଥିବା ରେଫରେନ୍ସ ନମ୍ବର ମାଧ୍ୟମରେ କାର୍ଯ୍ୟର ସ୍ଥିତି ଯାଂଚ କରାଯାଇପାରିବ ଓ ଯାଂଚ ପ୍ରକ୍ରିୟା ଶେଷ ହେବା ପରେ ଅନୁମୋଦିତ ଡିଜିଟାଲ୍ ପ୍ରମାଣପତ୍ର ବା ଦଲିଲ୍ ହ୍ୱାଟ୍ସଆପରେ ହିଁ ଡାଉନଲୋଡ୍ ହୋଇପାରିବ । 

ଓଡ଼ିଶା ପୁଲିସ ର ୧୪ଟି ଗୁରୁତ୍ତ୍ୱପୂର୍ଣ୍ଣ ସେବା ଗୁଡିକ ହେଲା -ଚରିତ୍ର ପ୍ରମାଣପତ୍ର,ବରିଷ୍ଠ ନାଗରିକ ପଞ୍ଜିକରଣ,କର୍ମଚାରୀ ଭେରିଫିକେସନ ,ହଜିଯାଇଥିବା ସମ୍ପତ୍ତି-ଦଲିଲ୍ ସମ୍ପର୍କିତ ରିପୋର୍ଟ,ଲାଉଡ୍‌ସ୍ପିକର୍ ଅନୁମତି ପାଇଁ ଏନଓସି,ଭଡ଼ାଟିଆ-ପିଜି ଭେରିଫିକେସନ,ହଜିଯାଇଥିବା ସମ୍ପତ୍ତି ପଞ୍ଜିକରଣ,ନିଖୋଜ ବ୍ୟକ୍ତି ସମ୍ପର୍କିତ ସୂଚନା ଓ ପଞ୍ଜୀକରଣ,ଥାନାରେ ଏଫଆଇଆର ପଞ୍ଜିକରଣ,କର୍ମଚାରୀ-ଘରୋଇ ସହାୟକ ନିୟୋଜନ ଭେରିଫିକେସନ କୌଣସି କାର୍ଯ୍ୟକ୍ରମ ପୂର୍ବରୁ ପୋଲିସ ଅନୁମତି ,ଧାରଣା-ଧର୍ମଘଟ ପାଇଁ ଅନୁମତି, ଏଫଆଇଆର ନକଲ ପ୍ରଦାନ,ସଡ଼କ ଦୁର୍ଘଟଣା-ଚୋରି ଯାନବାହନ-ଚୋରି ମାମଲା ସମ୍ପର୍କିତ ମାମଲାର ନକଲ ପ୍ରଦାନ ଇତ୍ୟାଦି ରହିଛି  l

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।