ଓଡ଼ିଶା ଟି - ଟ୍ୱେଣ୍ଟି ଲିଗ୍ -୨୦୨୬ ସିଏମ୍ ଟ୍ରଫି ପାଇଁ ଦେବାଶିଷ ମହାନ୍ତି ଓ ସୁରେଶ ରୈନା ବ୍ରାଣ୍ଡ ଆମ୍ବାସଡର
କଟକ : ଓଡ଼ିଶା ଟି - ଟ୍ୱେଣ୍ଟି ଲିଗ୍ -୨୦୨୬ ସିଏମ୍ ଟ୍ରଫି ପାଇଁ ବ୍ରାଣ୍ଡ ଆମ୍ବାସଡର ଭାବେ ଦୁଇ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ଓ ଦେବାଶିଷ ମହାନ୍ତିଙ୍କୁ ଘୋଷଣା କରାଯାଇଛି । ଆସନ୍ତା ସେପ୍ଟେମ୍ବର ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ କଟକର ବାରବାଟୀ ଷ୍ଟାଡିୟମରେ ଏହି ଟି-୨୦ ଲିଗ୍ ଅନୁଷ୍ଠିତ ହେବ । ଏନେଇ ଶୁକ୍ରବାର ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି ।
ବ୍ରାଣ୍ଡ୍ ଆମ୍ବାସଡର ନିଯୁକ୍ତି ନେଇ ସୁରେଶ ରୈନା କହିଛନ୍ତି ; ନମସ୍କାର ଓଡ଼ିଶା । ଓଡ଼ିଶାର ସମସ୍ତ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଓଡ଼ିଶା ଟ୍ବେଣ୍ଟି୨୦ ଲିଗ୍ ସିଏମ୍ ଟ୍ରଫିରେ ରୋମାଞ୍ଚକର କ୍ରିକେଟ ଦେଖିବାକୁ ମିଳିବ। ଯୁବ ଖେଳାଳିଙ୍କ ପାଇଁ ନିଜ ପ୍ରତିଭା ପ୍ରମାଣ କରିବାର ଏହା ଏକ ଭଲ ମଞ୍ଚ। ଏକ ବ୍ଲକବଷ୍ଟର ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ରୁହନ୍ତୁ। ଜୟ ଜଗନ୍ନାଥ!”
ସେହିପରି ଦେବାଶିଷ ମହାନ୍ତି କହିଛନ୍ତି ; ଓଡ଼ିଶାର କ୍ରିକେଟ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆମ ଖେଳାଳିମାନଙ୍କୁ ନିଜ ଦକ୍ଷତା ଦେଖାଇବା ଏବଂ ଚାପପୂର୍ଣ୍ଣ ପରିସ୍ଥିତିରେ ଖେଳିବା ପାଇଁ ଏହି ଲିଗ୍ ଏକ ଶକ୍ତିଶାଳୀ ମଞ୍ଚ ହେବ। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନକୁ ଧନ୍ୟବାଦ।
ଓଡ଼ିଶାର ଯୁବ ଓ ଉଦୀୟମାନ କ୍ରିକେଟରମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ଏବଂ ପ୍ରତିଯୋଗିତାମୂଳକ କ୍ରିକେଟରେ ଅଭିଜ୍ଞତା ହାସଲ କରିବା ପାଇଁ ଏହି ଲିଗ୍ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ । ଦୁଇ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଯୋଗଦାନ ଲିଗ୍କୁ ଆହୁରି ଲୋକପ୍ରିୟ ଓ ଆକର୍ଷଣୀୟ କରିବ ବୋଲି ଆଶା କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।