୧୦,୦୦୦ ମିଟରରେ ସୀମା କାଂସ୍ୟ ବିଜୟିନୀ
ନାଗୋୟା: ଏସୀୟ କ୍ରୀଡ଼ାରେ ମହିଳା ୧୦,୦୦୦ ମିଟର ଦୌଡ଼ରେ ଐତିହାସିକ ସଫଳତା ହାସଲ କରିଛନ୍ତି ଭାରତୀୟ ଦୀର୍ଘ ଦୁରତା ଧାବିକା ସୀମା କୁମାରୀ। ଗୁରୁବାର ଏହି ଇଭେଣ୍ଟରେ ସୀମା ୩୨ ମିନିଟ୍ ୫୦.୦୫ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି। ଫଳରେ ଭାରତ ଦୀର୍ଘ ୧୬ ବର୍ଷ ପରେ ଏହି ଇଭେଣ୍ଟରେ ପଦକ ଜିତିପାରିଛି। ମହିଳା ୧୦,୦୦୦ ମିଟର ଦୌଡ଼ରେ ଭାରତର ଶେଷ ଏସୀୟ କ୍ରୀଡ଼ା ପଦକ ୨୦୧୦ରେ ଗ୍ବାଙ୍ଗଝୌରେ ହାସଲ କରିଥିଲା। ଏଠାରେ ଭାରତର ପ୍ରୀଜା ଶ୍ରୀଧରନ୍ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ କବିତା ରାଉତ ରୌପ୍ୟ ପଦକ ଜିତିଥିଲେ। ସୀମା ରେସ୍ର ଅଧିକାଂଶ ସମୟ ପ୍ରଥମ ସ୍ଥାନରେ ରହିଥିଲେ। ପରେ ସେ ଦ୍ବିତୀୟ ସ୍ଥାନକୁ ଏବଂ ପରେ ତୃତୀୟ ସ୍ଥାନକୁ ଖସି ଆସିଥିଲେ। ବାହାରେନ୍ର ୱିନ୍ଫ୍ରେଡ୍ ୟାଭି ୩୨ ମିନିଟ ୩୮.୧୮ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣପଦକ ଜିତିଥିଲେ। ଜାପାନର ନୋଜୋମି ତାନାକା ୩୨ ମିନିଟ ୪୧.୫୪୮ ସେକେଣ୍ଡ ନେଇ ରୌପ୍ୟପଦକ ଜିତିଥିଲେ। ୱିନ୍ଫ୍ରେଡ୍ ୟାଭି ଶେଷ ୨୦୦ ମିଟରରେ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଏକ ଚମତ୍କାର ଫିନିଶ୍ କରି ସ୍ବର୍ଣ୍ଣ ପଦକ ଜିତିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।