ବୁଡ଼ାଇଲା, ଗଡ଼ାଇଲା, ଉଡ଼ାଇଲା

Sep 25, 2026 - 14:26
ଭୁବନେଶ୍ବର: ଗଭୀର ଅବପାତ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବା ପରେ ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇଛି। ବର୍ଷା-ପବନ ଯୋଗୁଁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି, କନ୍ଧମାଳ ଆଦି ଜିଲାଗୁଡ଼ିକରେ ଏହାର କୋପ ଦେଖିବାକୁ ମିଳିଛି। ବର୍ଷା-ପବନ ଯୋଗୁଁ ବହୁ ବଡ଼ବଡ଼ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ଘଟି ରାସ୍ତା ଅବରୋଧ ହୋଇଛି। କଳିଙ୍ଗା ଘାଟିର ସୁରକ୍ଷା ପାଚେରି ଧସି ଯାଇଥିବା ବେଳେ କୋରାପୁଟ-ରାୟଗଡ଼ା ରେଳପଥରେ ଭୂ-ସ୍ଖଳନ ସହ ଟନେଲରେ ପାଣି ପଶିଛି। ସେହିପରି ଲୋକଙ୍କ ଘରେ ଅଣ୍ଟାଏ ଉଚ୍ଚର ପାଣି ପଶିଯାଇଛି। ହଜାରହଜାର ହେକ୍ଟର୍‌ ଚାଷ ଜମିରେ ମଧ୍ୟ ପାଣି ମାଡ଼ି ଯିବାରୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଖାଲି ଦକ୍ଷିଣ ଓଡ଼ିଶା ନୁହେଁ, ଉପକୂଳ, ଉତ୍ତର ଓ ପଶ୍ଚିମ‌ରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି। ଗୁରୁବାର ଦିନତମାମ ପୂରା ଓଡ଼ିଶାରେ ତୁହାକୁ ତୁହା ବର୍ଷା ହୋଇଛି। ପବନ ଅପେକ୍ଷା ବର୍ଷାର ପରିମାଣ ଅଧିକ ରହିବାରୁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକ ବଢ଼ିବାରେ ଲାଗିଛି। ମହାନଦୀ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ଋଷିକୁଲ୍ୟା, ବୁଢ଼ାବଳଙ୍ଗ, ବୈତରଣୀ, ଜଳକା ଆଦି ୭ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ସେହିପରି, ଅବପାତ ପ୍ରଭାବରେ ସମୁଦ୍ର ମଧ୍ୟ ଅଶାନ୍ତ ଥିବା ପରିଲକ୍ଷିତ ହୋଇଛି। ଜଗତସିଂହପୁର ଜିଲାରେ ଶିଆଳି ବେଳାଭୂମି ନିକଟରେ ସମୁଦ୍ର କୂଳ ଲଂଘିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହାର ୧୨ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇଯିବା ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟାରେ କୋରାପୁଟ ସେମିଳିଗୁଡ଼ାରେ ସର୍ବାଧିକ ୧୯୩.୬ ମିମି ବର୍ଷା ହୋଇଥିବା ବେଳେ ଚିତ୍ରକୋଣ୍ଡାରେ ୧୬୮.୮ମିମି, ଟାଙ୍ଗୀରେ ୧୪୨ମିମି, ଘୁ.ଉଦୟଗିରିରେ ୧୨୫.୪ମିମି, ପାରଳାଖେମୁଣ୍ଡିରେ ୧୨୧.୪ମିମି, ବାଙ୍କୀରେ ୧୧୨ମିମି, ଘସିପୁରାରେ ୧୧୦.୨ମିମି, ସୁକିନ୍ଦାରେ ୧୦୪ମିମି, ଦୈତାରିରେ ୧୦୬.୨ମିମି, ତେନ୍ତୁଳିଖୁଣ୍ଟାରେ ୧୦୬ମିମି, ଚକାପାଦରେ ୧୦୪.୬ମିମି, ମାଲକାନଗିରିରେ ୧୦୧ମିମି ଏବଂ ବରୀରେ ୧୦୦ମିମି ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ନୂଆପଡ଼ା ଜିଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଜିଲାର କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ସୁନ୍ଦରଗଡ଼,  ଝାରସୁଗଡ଼ା,  ବରଗଡ଼,  କେନ୍ଦୁଝର,  ମୟୂରଭଞ୍ଜ,  ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲାର କିଛି ସ୍ଥାନରେ  ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋୱାର୍ଣ୍ଣିଂ ଦିଆଯାଇଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆସନ୍ତାକାଲିଠାରୁ ଉପକୂଳବର୍ତ୍ତୀ ଜିଲାଗୁଡିକରେ ବର୍ଷା ପରିମାଣ କମିବ। କିନ୍ତୁ ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ହୋଇପାରେ। ୨୬ ତାରିଖରୁ ସାରା ରାଜ୍ୟରେ ବର୍ଷା ପରିମାଣ କମିଯିବା ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ କହିଛନ୍ତି, ଗଭୀର ଅବପାତ କୋରାପୁଟ ଜିଲାରେ କେନ୍ଦ୍ରୀଭୂତ ହେଉଛି। ଉତ୍ତର-ପୂର୍ବ ଦିଗରେ ଗଭୀର ଅବପାତ ଗତି କରୁଥିବାରୁୁ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି।
୬ଜିଲାର ୨୭୩ ଗାଁ ପ୍ରଭାବିତ
ଗଭୀର ଅବପାତ ଜନିତ ବର୍ଷା-ପବନ ଯୋଗୁଁ ୬ଟି ଜିଲାର ୩୭ଟି ବ୍ଲକ୍, ୧୨୭ଟି ଗ୍ରାମପଞ୍ଚାୟତ ଓ ୨୭୩ଟି ଗାଁ ପ୍ରଭାବିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ୫ଟି ସହରାଞ୍ଚଳର ୨୦ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ମୋଟ ୮,୨୦୫ ଲୋକ ପ୍ରଭାବିତ ହୋଇଥିବା ବେଳେ ୮,୦୮୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସମ୍ଭାବ୍ୟ ବିପଦପ୍ରବଣ ଅଞ୍ଚଳରୁ ଆବଶ୍ୟକ ହେଲେ ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର, ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ଜିଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ୩୩ଟି ଓଡ୍ରାଫ୍‌ ଟିମ୍‌ ବିଭିନ୍ନ ସମ୍ବେଦନଶୀଳ  ଜିଲାରେ ମୁତୟନ ହୋଇଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ଗଭୀର ଅବପାତ ଉପକୂଳ ଅତିକ୍ରମ କରି ସ୍ଥଳଭାଗରେ ଗତି କରୁଥିବାରୁ ରାଜ୍ୟ ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକର ପରିସ୍ଥିତି ଉପରେ ନିରନ୍ତର ତଦାରଖ କରାଯାଉଛି। ଜିଲା ପ୍ରଶାସନ ଓ କ୍ଷେତ୍ରସ୍ତରରେ ନିୟୋଜିତ ପ୍ରତିକ୍ରିୟାଶୀଳ ବାହିନୀଗୁଡ଼ିକ ସତର୍କ ରହିଛନ୍ତି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପ୍ରସ୍ତୁତିମୂଳକ ପଦକ୍ଷେପ, ରାତ୍ରିକାଳୀନ ପାଟ୍ରୋଲିଂ, ଯାତାୟାତ ପରିଚାଳନା, ଜଳସ୍ତର ନିରୀକ୍ଷଣ ଏବଂ ପୁନରୁଦ୍ଧାର ବ୍ୟବସ୍ଥା ଜାରି ରହିଛି। ପ୍ରଭାବିତ ଜିଲାଗୁଡ଼ିକର ସାମଗ୍ରିକ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।