ଜଳଘେରରେ ୫-ଟି ହାଇସ୍କୁଲ ଖେଳପଡିଆ
ପିପିଲି:ରାଜ୍ୟ ସରକାରଙ୍କ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ (୫ଟି-
ହାଇସ୍କୁଲ ଟ୍ରାନ୍ସଫର୍ମେସନ) କାର୍ଯ୍ୟକ୍ରମରେ ରୂପାନ୍ତରିତ ହୋଇଥିବା ପିପିଲି
ନୋଡାଲ ହାଇସ୍କୁଲର ଖେଳପଡିଆରେ ଏବେ ଦେଢ ଫୁଟ ଉଚ୍ଚରେ ବର୍ଷାଜଳ ଲହଡି
ଭାଙ୍ଗୁଛି । ଜଳ ନିଷ୍କାସନ ଅଭାବରୁ ପ୍ରତ୍ୟେକ ବର୍ଷ ଏଭଳି ସମସ୍ୟା ସୃଷ୍ଟି
ହେଉଥିବା ବେଳେ ଏଥିଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ,
ଶିକ୍ଷୟିତ୍ରୀମାନେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।
ପିପିଲି ପୌରାଞ୍ଚଳର ଦୁଇ ପ୍ରମୁଖ ବିଦ୍ୟାଳୟ ପିପିଲି ନୋଡାଲ ହାଇସ୍କୁଲ ଓ
ପିପିଲି ମିଶନ ୟୁପି ସ୍କୁଲର ଖେଳପଡିଆଟି ଖାଲୁଆ ଅଞ୍ଚଳରେ ରହିଛି ।
ଫଳରେ ସାମାନ୍ୟ ବର୍ଷା ହେଲେ ନିକଟବର୍ତ୍ତି ଅଞ୍ଚଳର ଜଳ ଏହି ପଡିଆରେ ଜମା
ହେଉଛି । ଉକ୍ତ ପଡିଆରୁ ଜଳ ନିଷ୍କାସନର ବାଟ ନଥିବା ଯୋଗୁଁ ଦୀର୍ଘଦିନ
ପର୍ଯ୍ୟନ୍ତ ପାଣି ଜମି ରହୁଛି । ପ୍ରତ୍ୟେକ ବର୍ଷ ଏହି ଜଳ ଭର୍ତ୍ତି ପଡିଆକୁ
ନେଇ ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ନାନା
ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଗତ କିଛିଦିନର ଲଗାଣ ବର୍ଷାରେ ବିଦ୍ୟାଳୟର
ଖେଳପଡିଆଟି ଏବେ ଜଳମଗ୍ନ ହୋଇଛି । ବର୍ଷାଜଳ ଜମିରହିବା ଫଳରେ ଏକ
ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଖେଳପଡିଆରେ ବର୍ଷାଜଳ ଜମି
ରହିବା ଫଳରେ ମଶାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ସୂଚନା ମିଳିଛି । ବର୍ଷର
ଅନେକ ସମୟ ଏହି ପଡିଆରେ ପାଣି ଭର୍ତ୍ତି ହୋଇ ରହୁଥିବାରୁ ଛାତ୍ରଛାତ୍ରୀ
ମାନେ ଖେଳି ପାରୁନଥିବାରୁ ସେମାନଙ୍କ ଶାରୀରିକ ବିକାଶରେ ସମସ୍ୟା ସୃଷ୍ଟି
ହେଉଥିବା ଅଭିଯୋଗ ହୋଇଛି ।
୨୦୨୧ ନଭେମ୍ବର ୨୦ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାସୀ
ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ପୁରୀ ଜିଲାର ଅନ୍ୟ ରୂପାନ୍ତରିତ ବିଦ୍ୟାଳୟ ସମେତ
ଏହି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ଉଦ୍ଘାଟନ କରିଥିଲେ । ପିପିଲି ଏନ୍ଏସି
ପକ୍ଷରୁ ସେହି ମାସରେ ମୁକ୍ତା ଯୋଜନାରେ ୭ଲକ୍ଷ ଟଙ୍କା ବ୍ୟୟରେ ଏହି ଖେଳପଡିଆକୁ
ମାଟି ପୋତାଯାଇ ସମତୁଳ କରାଯାଇଥିଲା । ତେବେ ଜଳ ନିଷ୍କାସନ ପାଇଁ
ସେଠାରେ କୌଣସି ବ୍ୟବସ୍ଥା ନଥିବାରୁ ଆଖପାଖ ଅଞ୍ଚଳର ବର୍ଷାଜଳ ଏହି
ଖେଳପଡିଆରେ ପୂର୍ବଭଳି ଜମା ହୋଇରହୁଛି । ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ତୁରନ୍ତ
ଦୃଷ୍ଟିଦେଇ ଖେଳପଡିଆରୁ ଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା
କରିବାକୁ ସାଧାରଣରେ ଦାବି ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।