୩ ଓରାଙ୍ଗଉଟାନ ଶିଶୁଙ୍କୁ ରକ୍ତହୀନତା
ଭୁବନେଶ୍ୱର : ନନ୍ଦନକାନନରେ ଉଦ୍ଧାର ଓରାଙ୍ଗଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ । ସ୍ୱାସ୍ଥ୍ୟ ପରୀକ୍ଷାରୁ ରକ୍ତହୀନତା ଥିବା ଜଣା ପଡିଲା । ଗତକାଲି ସ୍ୱତନ୍ତ୍ର ବୈଷୟିକ ବିଶେଷଜ୍ଞ କମିଟି ଦ୍ୱାରା ଏହି ବନ୍ୟପ୍ରାଣୀ ଶିଶୁଙ୍କର ପୁଙ୍ଖାନୁପୁଙ୍ଖ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରାଥମିକ ରକ୍ତ ପରୀକ୍ଷା ରିପୋର୍ଟରୁ ୫ ଶିଶୁଙ୍କ ମଧ୍ୟରୁ ୩ ଜଣ ଆନିମିଆ ଅର୍ଥାତ ରକ୍ତହୀନତାରେ ପୀଡ଼ିତ ଥିବା ଜଣାପଡ଼ିଛି । ସେଥିମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଆନିମିଆରେ ପୀଡ଼ିତ ରହିଥିବା ବେଳେ ଅନ୍ୟ ଦୁଇଜଣଙ୍କଠାରେ ସ୍ୱଳ୍ପ ରକ୍ତହୀନତା ଲକ୍ଷଣ ଦେଖାଦେଇଛି । କମିଟି ପରାମର୍ଶକ୍ରମେ ସପୋର୍ଟିଭ୍ ସପ୍ଲିମେଣ୍ଟେସନ୍ ଦିଆଯାଉଛି। ନିୟମିତ ଭାବେ ଓରାଙ୍ଗ ଉଟାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଅନ୍ୟାନ୍ୟ ପରୀକ୍ଷା ରିପୋର୍ଟ ଆସିବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ ।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ପିସିସିଏଫଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ବୈଷୟିକ କମିଟିର ସଦସ୍ୟମାନେ ନନ୍ଦନକାନନର ‘ହ୍ୟାଣ୍ଡ ରିଅରିଂ ସେଣ୍ଟର’ ପରିଦର୍ଶନ କରି ସମସ୍ତ ଶିଶୁଙ୍କ ଯାଞ୍ଚ କରିଥିଲେ । ଏହି ଟିମରେ ମହୀଶୂର ଚିଡ଼ିଆଖାନାର ବରିଷ୍ଠ ପଶୁ ଚିକିତ୍ସକ ଡା. ଶଶିଧର, ଡା. ମଦନ ଓ ଓୟୁଏଟିର ୱାଇଲ୍ଡଲାଇଫ୍ ହେଲ୍ ଥ୍ ସେଣ୍ଟରର ପ୍ରତିନିଧି ଡା. ଆଦିତ୍ୟ ଆଚାର୍ଯ୍ୟ ସାମିଲ ଥିଲେ । ଗତକାଲି ଶାବକମାନଙ୍କ ଛାତି, ପେଟ ଓ ଖପୁରୀର ଏକ୍ସ-ରେ କରାଯାଇଥିଲା। ଏଥିସହ ରକ୍ତ, ସିରମ୍ ଏବଂ ନାକରୁ ସ୍ୱାବ୍ ମଧ୍ୟ ସଂଗ୍ରହ କରାଯାଇଥିଲା। ଇନ୍-ହାଉସ୍ ହେମାଟୋଲୋଜି ପରୀକ୍ଷାରୁ ସେମାନଙ୍କ ଠାରେ ରକ୍ତହୀନତା ଚିହ୍ନଟ ହୋଇଥିଲେ । ବାକି ରିପୋର୍ଟ ଆସିବା ପରେ ପରବର୍ତ୍ତି ଚିକିତ୍ସା ମଧ୍ୟ କରାଯିବ। ଆନିମିଆ ଚିହ୍ନଟ ହେବା ପରେ ବିଶେଷଜ୍ଞଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ସ୍ୱତନ୍ତ୍ର ପୋଷକ ତତ୍ତ୍ୱ, ଆବଶ୍ୟକୀୟ ଭିଟାମିନ୍ ଓ ଔଷଧ ଦିଆଯିବା ଆରମ୍ଭ ହୋଇଛି ।
ନନ୍ଦନକାନନ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ ଏବଂ ବରିଷ୍ଠ ଭେଟେରିନାରୀ ଅଧିକାରୀଙ୍କ ଉପସ୍ଥିତିରେ ଏହି ଯାଞ୍ଚ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।