108 Ambulances: ୧୦୮ ଆମ୍ବୁଲାନ୍ସରେ ବଡ଼ ଅନିୟମିତତା: ନକଲି ଜବ୍ ଆଇଡିରେ ଅଚଳ ହେଉଛି ସଚଳ
ଭୁବନେଶ୍ବର (କ୍ଷୀତିଶ ରାୟ): ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ପରିଚାଳନାରେ ସାଂଘାତିକ ଅନିୟମିତତା ପଦାକୁ ଆସିଛି। ସରକାରୀ ଟିମ୍ର କ୍ଷେତ୍ର ପରିଦର୍ଶନ ସମୟରେ ଆମ୍ବୁଲାନ୍ସରେ ଜୀବନ ରକ୍ଷାକାରୀ ମେଡିକାଲ ଯନ୍ତ୍ରପାତି ନ ଥିବା, ରକ୍ଷଣାବେକ୍ଷଣ, ପରିଚାଳନା ପ୍ରକ୍ରିୟାରେ ବ୍ୟାପକ ଉଲ୍ଲଂଘନ ହୋଇଥିବା ଧରାପଡ଼ିଛି। ଆମ୍ବୁଲାନ୍ସ ଚାଲୁ ନ ଥିବା ବେଳେ ନକଲି ଜବ୍ ଆଇଡି ବ୍ୟବହାର କରି କ୍ଷେତ୍ରସ୍ତରରେ ଆମ୍ବୁଲାନ୍ସ ଚଳାଚଳ କରୁଥିବାର ଜାଲିଆତି ମଧ୍ୟ ଠାବ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ପରିବହନ ସେବାର ମେରୁଦଣ୍ଡ ୧୦୮ ଆମ୍ବୁଲାନ୍ସରେ ଏଭଳି ଅନିୟମିତତା ରୋଗୀଙ୍କ ଜୀବନ ପ୍ରତି ବିପଦକୁ ବଢ଼ାଇଦେଇଛି।
ଚଳିତମାସ ୬ରୁ ୯ ତାରିଖ ମଧ୍ୟରେ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଟିମ୍ ବଲାଙ୍ଗୀର ଗସ୍ତ କରି ୧୦୮ ଆମ୍ବୁଲାନ୍ସ ଭିତ୍ତିଭୂମିର ସମୀକ୍ଷା କରିଥିଲେ। ଏଥିରେ ବଲାଙ୍ଗୀର ସମେତ ସୁବର୍ଣ୍ଣପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ୨୦ରୁ ଅଧିକ ଆମ୍ବୁଲାନ୍ସର ଯାଞ୍ଚ ହୋଇଥିଲା। ଦେଓଗାଁ ନିକଟରେ ଚେକିଂ ବେଳେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ସିଏଚ୍ସିର ଏକ ବିଏଲ୍ଏସ୍ ଆମ୍ବୁଲାନ୍ସ ଠାବ କରାଯାଇଥିଲା। ଗାଡ଼ିରେ ହେଲପର ଅନୁପସ୍ଥିତ ଥିବା ବେଳେ ୧୦୮ କଲ୍ ସେଣ୍ଟର ସହାୟତାରେ ଏକ ମିଥ୍ୟା ଆନ୍ତଃ-ଡାକ୍ତରଖାନା ସ୍ଥାନାନ୍ତର (ଆଇଏଫ୍ଟି) କେସ୍ ଦେଖାଇ ଏକ ନକଲି ଜବ୍ ଆଇଡି ଜେନେରେଟ୍ କରାଯାଇଥିଲା। ବାସ୍ତବରେ ଏହି ଆମ୍ବୁଲାନ୍ସଟି ମରାମତି ପାଇଁ ବଲାଙ୍ଗୀର ୱାର୍କସପ୍କୁ ଯାଉଥିବା ଜଣାପଡ଼ିଥିଲା। ଗାଡି ଭିତରେ ରୋଗୀ ବାନ୍ତି କରିଥିବା କାରଣରୁ ଗାଡ଼ି ସଫା ଚାଲିଥିବା ଦର୍ଶାଇ କ୍ର୍ୟୁ ସଦସ୍ୟମାନେ ସମୟ ଗଡ଼ାଇ ଚାଲିଥିଲେ। ମାତ୍ର ଯାଞ୍ଚ ବେଳେ ଆମ୍ବୁଲାନ୍ସ ଭିତରେ କେହି ରୋଗୀ ନ ଥିଲେ।
କ୍ଷେତ୍ର ପରିଦର୍ଶନରେ ଧରାପଡ଼ିଲା ଜାଲିଆତି
ସୁଦୃଢ଼ ପାଇଁ ପ୍ରତିବଦ୍ଧ: ଏମ୍ରି ଗ୍ରିନ୍ ହେଲ୍ଥ ସର୍ଭିସ୍
ସୁଦୃଢ଼ ପାଇଁ ପ୍ରତିବଦ୍ଧ: ଏମ୍ରି ଗ୍ରିନ୍ ହେଲ୍ଥ ସର୍ଭିସ୍
ସେହିପରି ବଲାଙ୍ଗୀରରେ ଥିବା ଅନଧିକୃତ ଇଏମ୍ଆରଆଇ କର୍ମଶାଳାରେ ମଧ୍ୟ ବ୍ୟାପକ ତ୍ରୁଟି ନଜରକୁ ଆସିଛି। ସେଠାରେ ଆବଶ୍ୟକ ଯନ୍ତ୍ରାଂଶ ଓ ବିଏସ୍-୬ ଗାଡ଼ି ପାଇଁ ଡାଇଗ୍ନୋଷ୍ଟିକ୍ ସଫ୍ଟୱେର୍ ନ ଥିବାରୁ ସାମାନ୍ୟ ମରାମତି ପାଇଁ ଗାଡିଗୁଡିକୁ ୩ ଦିନରୁ ଅଧିକ ସମୟ ପଡ଼ି ରହୁଛି। ଅଧିକାଂଶ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସୁବିଧା ନାହିଁ। ଜୀବନ ରକ୍ଷାକାରୀ ମେଡିକାଲ ଉପକରଣ ସକ୍ସନ୍ ପମ୍ପ, ଏଇଡି ଓ ଭେଣ୍ଟିଲେଟର ଚଳାଇବା ପାଇଁ କ୍ର୍ୟୁ ସଦସ୍ୟ ଦକ୍ଷ ନୁହନ୍ତି। ଆମ୍ବୁଲାନ୍ସ ଭିତରେ ଔଷଧର ଅବଧି ତାରିଖ ତାଲିକା ଲଗାଯାଇ ନାହିଁ। ଅଗ୍ନି ନିର୍ବାପକ ଯନ୍ତ୍ରର ବୈଧତା ଶେଷ ହୋଇଛି ଓ ଅନେକ ଗାଡ଼ିର ସିଟ୍ ଚିରିଯାଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବା ଟିମ୍ ସଦସ୍ୟମାନେ ଦେଖିବାକୁ ପାଇଥିଲେ। ସରକାରୀ ଟିମ୍ର କ୍ଷେତ୍ରସ୍ତରୀୟ ରିପୋର୍ଟ ଆସିବା ପରେ ଏନ୍ଏଚ୍ଏମ୍, ଓଡ଼ିଶାର ଭାରପ୍ରାପ୍ତ ନିର୍ଦ୍ଦେଶକ ହରିଶ ଚନ୍ଦ୍ର ନାୟକ ଚଳିତମାସ ୧୩ ତାରିଖରେ ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥାକୁ ଏକ ପତ୍ର ଲେଖିଥିଲେ। ପତ୍ର ହସ୍ତଗତ ହେବାର ୭ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ସଂପର୍କିତ ରିପୋର୍ଟ ଓ ମିଥ୍ୟା ଆମ୍ବୁଲାନ୍ସ ଚଳାଚଳ ସଂପର୍କରେ ୩ ଦିନ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି।
ଏହି ଘଟଣା ସଂପର୍କରେ ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ଏମ୍ରି ଗ୍ରିନ୍ ହେଲ୍ଥ ସର୍ଭିସ୍ ପକ୍ଷରୁ କୁହାଯାଇଛି ଯେ ଏନ୍ଏଚ୍ଏମ୍ ଦ୍ୱାରା ନିୟମିତ ଭାବେ କରାଯାଉଥିବା କ୍ଷେତ୍ରସ୍ତରୀୟ ସମୀକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ନିକଟରେ ରାଜ୍ୟସ୍ତରୀୟ ଟିମ୍ର ବଲାଙ୍ଗୀର ଗସ୍ତ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିଭାଗକୁ ଏକ ବିସ୍ତୃତ ରିପୋର୍ଟ ଦିଆଯାଇଛି। ରାଜ୍ୟରେ ୬ଟି ଇଏମଆରଆଇ ୱାର୍କସପ୍ ରହିଛି ଓ ଅନ୍-ସାଇଟ୍ ମରାମତି ପାଇଁ ୨ଟି ମୋବାଇଲ୍ ସର୍ଭିସ୍ ଭ୍ୟାନ୍ ରହିଛି। ଚଳିତ ସପ୍ତାହରେ ଆଉ ୧୦ଟି ନୂତନ ମୋବାଇଲ୍ ବାଇକ୍ ୱାର୍କସପ୍ ମଧ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇଛି। ପ୍ରତ୍ୟେକ ଆମ୍ବୁଲାନ୍ସ ଏକ ପ୍ରତିଷେଧକ ରକ୍ଷଣାବେକ୍ଷଣ ସୂଚୀ ଅନୁସରଣ କରିଥାଏ। ଯେଉଁଥିରେ ଜବ୍ କାର୍ଡ-ଆଧାରିତ ମରାମତି ଓ ଆଞ୍ଚଳିକ ୱାର୍କସପ୍ଗୁଡ଼ିକରେ ଶୀଘ୍ର ଆବଶ୍ୟକ ହେଉଥିବା ଅତିରିକ୍ତ ଯନ୍ତ୍ରାଂଶର ବଫର୍ ଷ୍ଟକ୍ ମହଜୁଦ୍ ଥାଏ। ରାଜ୍ୟର ଅନ୍ୟାନ୍ୟ ସ୍ଥାନ ତୁଳନାରେ ବଲାଙ୍ଗୀରରେ ରୋଗୀ ପରିବହନ ଦୂରତା ଅଧିକ। ସର୍ବାଧିକ ରୋଗୀସଂଖ୍ୟକ ରୋଗୀକୁ ମଧ୍ୟ ସେବା ଦିଆଯାଉଛି। ତେବେ ୧୦୮ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ସଂସ୍ଥା ପ୍ରତିବଦ୍ଧ। ଅପରପକ୍ଷରେ ୧୦୮ ଆମ୍ବୁଲାନ୍ସର କ୍ଷେତ୍ରସ୍ତରୀୟ ଯାଞ୍ଚ ସଂପର୍କରେ ପତ୍ର ଲେଖିଥିବା ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ନାୟକ ‘ସମ୍ବାଦ’କୁ କହିଛନ୍ତି, ଏଭଳି କୌଣସି ପତ୍ର ସଂପର୍କରେ ଜାଣିନାହିଁ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଇରଙ୍ଗପୁରରେ ବ୍ୟସ୍ତ ଅଛି, ତେଣୁ ଏହା ଉପରେ ଅଧିକ ସୂଚନା ଦେଇପାରିବି ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।