17-Year-Old Archer Wins Historic Gold: କୁମକୁମଙ୍କ କମାଲ, ରିକର୍ଭ ଇଭେଣ୍ଟରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ

Oct 03, 2026 - 16:17
17-Year-Old Archer Wins Historic Gold: କୁମକୁମଙ୍କ କମାଲ, ରିକର୍ଭ ଇଭେଣ୍ଟରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ

ଏସିଆନ୍ ଗେମ୍ସରେ ଭାରତ ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ମାତ୍ର ୧୭ ବର୍ଷ ବୟସରେ ତୀରନ୍ଦାଜ କୁମକୁମ ମହୋଦ ରଚିଛନ୍ତି ଇତିହାସ। ମହିଳା ବ୍ୟକ୍ତିଗତ ରିକର୍ଭ ଫାଇନାଲରେ ଦକ୍ଷିଣ କୋରିଆର ଓ ୟେଜିନଙ୍କୁ ସୁଟ୍‌ ଅଫ୍‌ରେ ୬-୫ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି କୁମକୁମ। 

ଏହି ବିଜୟ ସହ ଏସିଆନ୍ ଗେମ୍ସର ମହିଳା ବ୍ୟକ୍ତିଗତ ରିକର୍ଭ ଇଭେଣ୍ଟରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ତୀରନ୍ଦାଜ ହୋଇଛନ୍ତି ସେ। ଏଥିସହ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ୨୦୨୮ ପାଇଁ ମଧ୍ୟ କୁମକୁମଙ୍କ ଯୋଗ୍ୟତା ନିଶ୍ଚିତ ହୋଇଛି।

କୁମକୁମଙ୍କ ଏହି ଯାତ୍ରା ମଧ୍ୟ ଖୁବ୍‌ ଚମତ୍କାର। ଏସିଆନ୍ ଗେମ୍ସ ଦଳରେ ସ୍ଥାନ ପାଇବା ପାଇଁ ସେ ଚାରିଥର ଅଲିମ୍ପିଆନ୍ ତଥା ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀଙ୍କୁ ପରାସ୍ତ କରିଥିଲେ। ପରେ ପ୍ରତିଯୋଗିତାରେ ବିଶ୍ୱ ଚାମ୍ପିଅନ୍ କୋରିଆର କାଙ୍ଗ ଚାୟେଓଙ୍ଗଙ୍କୁ ୬-୪ରେ ହରାଇ ସମସ୍ତଙ୍କୁ ଚମକାଇ ଦେଇଥିଲେ।

ଏହାପରେ ବିଶ୍ୱ ଚାମ୍ପିଅନସିପ୍‌ର ରୌପ୍ୟ ପଦକ ବିଜେତା ଚୀନ୍‌ର ଜିଙ୍ଗୟି ଝୁଙ୍କୁ ମଧ୍ୟ କୌଣସି ସେଟ୍‌ ଜିତିବାକୁ ନଦେଇ ପରାସ୍ତ କରିଥିଲେ କୁମକୁମ।

ଫାଇନାଲରେ ଆରମ୍ଭରୁ ଚାପରେ ଥିଲେ ଭାରତୀୟ ତୀରନ୍ଦାଜ। ପ୍ରଥମ ସେଟ୍‌ ହାରିବା ପରେ ଦ୍ୱିତୀୟ ସେଟ୍‌ ଡ୍ର ରହିଥିଲା। କିନ୍ତୁ ତୃତୀୟ ସେଟ୍‌ରେ ତିନୋଟି ୧୦ ସ୍କୋର କରି ମ୍ୟାଚ୍‌କୁ ସମାନ ସ୍ଥିତିକୁ ଆଣିଥିଲେ କୁମକୁମ। ଚତୁର୍ଥ ସେଟ୍‌ ପରେ ମ୍ୟାଚ୍‌ ପହଞ୍ଚିଥିଲା ସୁଟ୍‌ ଅଫ୍‌ରେ।

ସୁଟ୍‌ ଅଫ୍‌ରେ ପ୍ରଥମେ ତୀର ଛାଡ଼ିଥିବା ୟେଜିନ ୮ ସ୍କୋର କରିଥିଲେ। ଭାରତକୁ ସ୍ୱର୍ଣ୍ଣ ଦେବା ପାଇଁ କୁମକୁମଙ୍କୁ ଦରକାର ଥିଲା ୯ କିମ୍ବା ତାଠାରୁ ଅଧିକ ସ୍କୋର। ଚାପର ଏହି ମୁହୂର୍ତ୍ତରେ ୧୭ ବର୍ଷୀୟା କୁମକୁମ ମାରିଥିଲେ ୧୦। ଆଉ ତା' ସହ ଭାରତ ପାଇଁ ନିଶ୍ଚିତ ହୋଇଥିଲା ସ୍ୱର୍ଣ୍ଣ ପଦକ।

ଏହା କୁମକୁମଙ୍କ ଚଳିତ ଏସିଆନ୍ ଗେମ୍ସର ତୃତୀୟ ପଦକ। ପୂର୍ବରୁ ମହିଳା ଓ ମିକ୍ସଡ୍ ଟିମ୍‌ ଇଭେଣ୍ଟରେ ମଧ୍ୟ ସେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ମାତ୍ର ୧୭ ବର୍ଷରେ କୁମକୁମଙ୍କ ଏହି ସଫଳତା ଭାରତୀୟ ତୀରନ୍ଦାଜି ପାଇଁ ଏକ ନୂଆ ଅଧ୍ୟାୟ ଲେଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।