19 Dead After Drinking Poisonous Liquor: ମଦ ନେଲା ୧୯ ଜୀବନ ! ୩ ହଜାର ମଦ ବୋତଲ ଜବତ, ଛାନଭିନ ଆରମ୍ଭ

Sep 26, 2026 - 13:10
19 Dead After Drinking Poisonous Liquor: ମଦ ନେଲା ୧୯ ଜୀବନ ! ୩ ହଜାର ମଦ ବୋତଲ ଜବତ, ଛାନଭିନ ଆରମ୍ଭ

ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ଗତ ଦୁଇ ଦିନ ମଧ୍ୟରେ ଅତି କମରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସାରା ରାଜ୍ୟରେ ଚିନ୍ତା ବଢ଼ିଥିବା ବେଳେ ତଦନ୍ତ କରିବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିଛି।

ପୁଲିସ ସୂଚନା ଅନୁସାରେ, ମୋକୋକଚୁଙ୍ଗ ଜିଲ୍ଲାରେ ୮ ଜଣ ଏବଂ ତୁଏନସାଙ୍ଗ ଜିଲ୍ଲାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ବିଷାକ୍ତ ମଦ ପିଇଥିବା ଜଣାପଡ଼ିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଫରେନସିକ୍ ଟେଷ୍ଟ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ।

ନାଗାଲାଣ୍ଡର ବରିଷ୍ଠ ପୁଲିସ ଅଧିକାରୀ ଭେସୁପ୍ରା କେଜୋଙ୍କ ସୂଚନା ଅନୁଯାୟୀ, ଅତିରିକ୍ତ ଏସ୍‌ପି ଆଇ. ବୁଙ୍ଗଲାଙ୍ଗ ଚାଙ୍ଗଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯାଇଛି। ଏହି ଟିମ୍ ଘଟଣାର ସମସ୍ତ ଦିଗରୁ ତଦନ୍ତ କରିବା ସହ ମଦ କେଉଁଠାରୁ ଆସିଥିଲା, କିଏ ଏହାକୁ ଯୋଗାଇଥିଲା ଏବଂ ଏହାର ଡିଷ୍ଟ୍ରିବ୍ୟୁସନ କିଏ କରୁଥିଲା, ସେ ନେଇ ତଦନ୍ତ କରାଯିବ।

ମଦ ନମୁନାକୁ ଫରେନସିକ୍ ଟେଷ୍ଟ ପାଇଁ ଗୌହାଟୀକୁ ପଠାଯାଇଛି। ଏହି ପରୀକ୍ଷା ମାଧ୍ୟମରେ ମଦରେ କୌଣସି ବିଷାକ୍ତ କିମ୍ବା କ୍ଷତିକାରକ ପଦାର୍ଥ ମିଶିଥିଲା କି ନାହିଁ ତାହା ଜଣାପଡ଼ିବ। 

ଘଟଣା ପରେ ପୁଲିସ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ୧୯ ଜଣଙ୍କୁ ଗିରଫ କରାଯିବା ସହ ପ୍ରାୟ ୩ ହଜାର ମଦ ବୋତଲ ଜବତ କରାଯାଇଛି। 

ଉଲ୍ଲେଖଯୋଗ୍ୟ, ନାଗାଲାଣ୍ଡରେ ୧୯୯୦ ମସିହାରୁ ମଦ ନିଷେଧ ଆଇନ ଲାଗୁ ରହିଛି। ଏହାସତ୍ତ୍ୱେ ଅବୈଧ ଭାବେ ମଦ ଯୋଗାଣ ଏବଂ ବିକ୍ରି ହେଉଥିବା ଅଭିଯୋଗ ରହିଛି। ବର୍ତ୍ତମାନର ଘଟଣା ପରେ ଅବୈଧ ମଦ କାରବାର ଉପରେ ପୁଲିସ କଡ଼ା ଆକ୍ସନ ନେବା ସନ୍ଦେହ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।