1999 Odisha Super Cyclone: ୧୯୯୯ ମହାବାତ୍ୟାକୁ ୨୭ ବର୍ଷ! ଆଜି ବି ଲିଭିନି ଓଡ଼ିଶାବାସୀଙ୍କ ମନରୁ ସେହି ମହାପ୍ରଳୟର ଦାଗ

Oct 29, 2026 - 09:06
1999 Odisha Super Cyclone: ୧୯୯୯ ମହାବାତ୍ୟାକୁ ୨୭ ବର୍ଷ! ଆଜି ବି ଲିଭିନି ଓଡ଼ିଶାବାସୀଙ୍କ ମନରୁ ସେହି ମହାପ୍ରଳୟର ଦାଗ

୧୯୯୯ ଅକ୍ଟୋବର ୨୯, ଓଡ଼ିଶାବାସୀ ଏ ମାସ, ଏ ତାରିଖ କି ଏଦିନ କେବେ ଭୂଲି ପାରିବେ ନାହିଁ।

ବାତ୍ୟା ସେ କ'ଣ ?

ଦେଖିବାକୁ କେମିତି?

କଣ କରିପାରେ ?

ଏସବୁ କିଛି ଜାଣିନଥିଲେ ଓଡ଼ିଶାବାସୀ।

ସତର୍କ ସୂଚନା ଶୁଣୁଥିଲେ ହେଲେ ବୁଝି ପାରୁନଥିଲେ।

ହେଲ ତାପରେ ଯେଉଁ ମହାପ୍ରଳୟ ହେଲା, ସେହିଦିନ ଠାରୁ ବାତ୍ୟା ନାଁ ଶୁଣିଲେ ଥରିଯାଉଛି ଓଡ଼ିଶାବାସୀଙ୍କ ଛାତି।

ସେଦିନ ହଠାତ ଆକାଶରେ ଘୋଟି ଆସିଥିଲା କଳା ଅନ୍ଧକାର।

ସଁ ସଁ ପବନ ଗର୍ଜନ କରି ମଡ଼ ମଡ଼ ହୋଇ ଭାଙ୍ଗିଗଲା ବିରାଟ ବିରଟ ଗଛ।

ମାଡ଼ି ଆସିଲା ୩ ମହଲା ଉଚ୍ଚ ଜୁଆର ଆଉ ଲୋକଙ୍କ ଘର ମାଟିରେ ମିଶିବାକୁ ସମୟ ମଧ୍ୟ ଲାଗିଲାନି।

Advertisment ଚାରିଆଡ଼େ ଖାଲି ଚିତ୍କାର, କାନ୍ଦବୋବାଳି ଆଉ ମୃତ୍ୟୁର ବିଭୀଷିକା।

ନିମିଷକ ମଧ୍ୟରେ ଧୂଳିସାତ ହୋଇଗଲା ଅସଂଖ୍ୟ ସ୍ୱପ୍ନ, ଶୂନ୍ୟ ହୋଇଗଲା କୋଳ, ଆଉ ଚିରଦିନ ପାଇଁ ଶୋଇଗଲେ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକ।

ଓଡ଼ିଶା ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେବାକୁ ଆସି ସାରିଥିଲା ମହା ଦାନବ।

ନାଁ ଥିଲା ୧୯୯୯ ମହାବାତ୍ୟା।

ଆଜି ସେ ବିଭିଷୀକାକୁ ୨୭ ବର୍ଷ ପୁରିଲାଣି।

ସେଦିନ ଜନ୍ମସୂର୍ଯ୍ୟ ଦେଖିଥିବା ଶିଶୁ ଆଜି ଯୌବନରେ, ହେଲେ ସେଦିନର ସେହି କରାଳ ଗ୍ରାସର ଦାଗ ଆଜି ବି ଅଲିଭା।

ଜଗତସିଂହପୁର ଜିଲ୍ଲାର ଏରସାମା।

ମହାବାତ୍ୟାର ମହାସୁନାମୀ ସବୁଠୁ ବେଶି ତାଣ୍ଡବ ରଚିଥିଲା ଏହି ମାଟିରେ।

ପଦ୍ମପୁର, ଗଡ଼ହରିଶପୁର, ଗୋଡ଼ା, ଆମ୍ବିକି ଭଳି ୧୦ରୁ ଉର୍ଦ୍ଧ୍ୱ ପଞ୍ଚାୟତକୁ ଶୂନ୍ୟ କରିଦେଇଥିଲା ସମୁଦ୍ରର ଲୁଣା ଜୁଆର।

ଅନେକ ପରିବାର ହରାଇଥିଲେ ନିଜ ଭିଟାମାଟି, ଆତ୍ମୀୟସ୍ୱଜନ ଓ ଜୀବିକା।

୨୭ ବର୍ଷ ପରେ ବି ସେହି ଭୟଙ୍କର ଅନୁଭୂତି ମନେ ପଡ଼ିଲେ ଆଖିରୁ ଲୁହ ଝରୁଛି।

ସରକାରୀ କାଗଜପତ୍ରରେ ବିକାଶର ଡିଣ୍ଡିମ ପିଟାଯାଉଛି ସତ, ହେଲେ ଆଜି ବି ପ୍ରକୃତ ବିକାଶ ଏଠି ପହଞ୍ଚିପାରିନି।

ବାରମ୍ବାର ଦାବି ସତ୍ତ୍ୱେ ସମୁଦ୍ର କୂଳେ କୂଳେ ପଥର ବନ୍ଧ ନିର୍ମାଣ ହୋଇପାରିନଥିବାରୁ, ବାତ୍ୟା ନାଁ ଶୁଣିଲେ ଆଜି ବି ଆତଙ୍କରେ ଗାଁ ଛାଡ଼ୁଛନ୍ତି ସମୁଦ୍ର କୂଳିଆ ଲୋକେ।

ସେପଟେ କୋଣାର୍କ ନିକଟ ଉଦୟକଣି ଓ ଛେନୁ ଗାଁର କାହାଣୀ ଆହୁରି ଯନ୍ତ୍ରଣାଦାୟକ।

ଦିନେ ଝାଉଁ ଜଙ୍ଗଲ, ବାଲିବନ୍ତ ଓ ସବୁଜ କ୍ଷେତରେ ଭରି ରହିଥିବା ଏହି ଗାଁ ଦୁଇଟିକୁ ୧୯୯୯ ଅକ୍ଟୋବର ୨୯ର ମହାବାତ୍ୟା ଛାରଖାର କରିଦେଇଥିଲା।

ଲୁଣା ଜୁଆର ଓ ପ୍ରଚଣ୍ଡ ପବନରେ ୫୦ରୁ ଅଧିକ ମାଟି ଓ ଆଜବେଷ୍ଟସ୍ ଘର ଭାଙ୍ଗିଯାଇଥିଲା।

ଜୀବନ ବଞ୍ଚାଇବାକୁ କିଏ କିଆବାଡ଼ରେ ଆଶ୍ରୟ ନେଇଥିଲେ, ତ ଆଉ କିଏ ଗାଁ ଛାଡ଼ି ପଳାଇଥିଲେ।

ବାତ୍ୟା ପରେ ଫେରି ଦେଖିଥିଲେ—ଭିଟାମାଟି ଉଜୁଡ଼ିଯାଇଛି, ଗୋରୁଗାଈ ଓ ଜୀବିକାର ଚିହ୍ନ ନାହିଁ।

ଶେଷରେ ୫୦ରୁ ଅଧିକ ପରିବାର ନିଜ ଗାଁ ଛାଡ଼ି ଅନ୍ୟତ୍ର ବସତି ସ୍ଥାପନ କରିଥିଲେ।

ଆଜି ସେହି ଦୁଇଟି ଗାଁ ମାନଚିତ୍ରରୁ ନିଶ୍ଚିହ୍ନ!

ପରିତ୍ୟକ୍ତ ଭଙ୍ଗା ଇଟା କାନ୍ଥ, କିଛି ରହିଯାଇଥିବା ନଡ଼ିଆ ଗଛ, ଆଉ ଗ୍ରାମଦେବତୀ ମା' ବାଟୁଳେଇଙ୍କ ଭଗ୍ନ ମନ୍ଦିର ଆଜି ବି ସେହି କାଳରାତ୍ରିର ମୂକସାକ୍ଷୀ ପାଲଟି ଛିଡ଼ାହୋଇଛି।

"ସମୟ ବଦଳିଛି, ସାମାଜିକ ଚିତ୍ର ବି ବଦଳିଛି।

ଗୋଟିଏ ପରେ ଗୋଟିଏ ବାତ୍ୟା ଆସୁଛି, ହେଲେ ପ୍ରକୃତିର ଏହି କରାଳ ରୂପ ସାମ୍ନାରେ ହାର୍ ମାନିନାହାନ୍ତି ଉପକୂଳିଆ ଲୋକେ।

ଝାଡ଼ବାଡ଼ ଧରି ପୁଣି ସଂଘର୍ଷର ଅଣ୍ଟା ସଳଖିଛନ୍ତି।

ହେଲେ ପ୍ରଶ୍ନ ଉଠୁଛି, ୨୭ ବର୍ଷ ପରେ ବି କାହିଁକି ସମୁଦ୍ରରେ ବାତ୍ୟା ଆସିଲେ ଭୟରେ ଥରୁଛନ୍ତି ଉପକୂଳ ଅଞ୍ଚଳବାସୀ ।

କାହିଁକି ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସ୍ଥାୟୀ ବ୍ୟବସ୍ଥା କରାଯାଉନାହିଁ ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।