22 Crew Members Still Missing: MV Ocean Winner ଜାହାଜ ବୁଡ଼ିକୁ ୯ ଦିନ; କେମିତି ବୁଡ଼ିଲା ଜାହାଜ, ଜଣାପଡ଼ିଲାନି କାରଣ

Aug 29, 2026 - 20:17
22 Crew Members Still Missing: MV Ocean Winner ଜାହାଜ ବୁଡ଼ିକୁ ୯ ଦିନ; କେମିତି ବୁଡ଼ିଲା ଜାହାଜ, ଜଣାପଡ଼ିଲାନି କାରଣ

୯ ଦିନ ବିତିଲା, ଖୋଲିଲାନି ସମୁଦ୍ରରେ ଜାହାଜ ବୁଡ଼ିର ରହସ୍ୟ। ମିଳିଲାନି ୨୨ ନିଖୋଜଙ୍କ ସନ୍ଧାନ। ପାରାଦୀପ ଉପକୂଳରେ କାର୍ଗୋ ଜାହାଜ MV Ocean Winner କାହିଁକି ବୁଡ଼ିଲା ? ଓଭରଲୋଡିଂ ନା କାର୍ଗୋ ଲିକ୍ୟୁଫାକ୍ସନ୍। ନା ଅଘଟଣ ପଛର କାରଣ ଯାନ୍ତ୍ରିକ ତ୍ରୁଟି ? ବଞ୍ଚିଥିବା ଦୁଇ ଚୀନ୍ ନାବିକଙ୍କ ବୟାନରୁ କିଛି ବଡ଼ ସୁରାକ୍ ମିଳିଥିବା କୁହାଯାଉଛି। ସେମାନେ କହିଛନ୍ତି ଅଥଳ ଜଳରାଶିରେ ସେଦିନ କାଳରାତିର ଭୟଙ୍କର କାହାଣୀ। ସେପଟେ ଆଉ କେହି ଜୀବିତ ଥିବା ସମ୍ଭାବନା ନଥିବାରୁ ଖୁବଶୀଘ୍ର ସର୍ଚ୍ଚ ଅପରେସନ୍ ବନ୍ଦ ହୋଇପାରେ। 

ଗଭୀର ସମୁଦ୍ରର ଅଥଳ ଜଳରାଶି ଭିତରେ କେମିତି ବୁଡ଼ିଗଲା ଜାହାଜ ? ୯ ଦିନ ହେଲା ଚାଲିଛି କାରଣ ଖୋଜା। ଅହରହ ରେସକ୍ୟୁ ଅପରେସନ୍। ଅନେକ କାରଣ କୁହାଯାଉଛି, ଅନେକ ସମ୍ଭାବନାର ଦିଗ ସାମନାକୁ ବି ଆସୁଛି। ଜାହାଜରେ ବୋଝେଇ ହୋଇଥିଲା ପ୍ରାୟ ୭୨ ହଜାର ମେଟ୍ରିକ ଟନ୍ ଲୁହାପଥର ଗୁଣ୍ଡ। ପ୍ରାଥମିକ ଆକଳନ ଅନୁସାରେ, କାର୍ଗୋ ଲିକ୍ୟୁଫାକ୍ସନ୍ ଯୋଗୁଁ ହିଁ ଏହି ଭୟଙ୍କର ଦୁର୍ଘଟଣା ଘଟିଥାଇପାରେ। 

ଲୁହାପଥରରେ ଆର୍ଦ୍ରତା ବା ପାଣିର ପରିମାଣ ଅଧିକ ଥିଲେ, ତାହା ତରଳ ପଦାର୍ଥ ପରି ଗତିଶୀଳ ହୋଇଯାଏ। ସମୁଦ୍ରର ଢ଼େଉରେ ଜାହାଜ ଦୋହଲିବା ବେଳେ ସବୁ ଓଜନିଆ ମାଲ୍ ଗୋଟିଏ ପଟକୁ ଚାଲିଆସେ। ସେତେବେଳେ ବଦଳିଯାଇପାରେ ପୂରା ଜାହାଜର ବାଲାନ୍ସ। ଅନ୍ୟପଟେ ଜାହାଜଟି ମଧ୍ୟ ନୂଆ ନୁହେଁ। ୧୯୯୮ରେ ନିର୍ମିତ ପ୍ରାୟ ତିନି ଦଶନ୍ଧି ପୁରୁଣା। ତେଣୁ ରକ୍ଷଣାବେକ୍ଷଣରେ ତ୍ରୁଟି କିମ୍ବା ଯାନ୍ତ୍ରିକ ସମସ୍ୟା ଥିଲା କି ? ନା କାର୍ଗୋ ହିଁ ହେଲା କାଳ ? ଉତ୍ତର ଖୋଜା ଭିତରେ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି।

ଉଦ୍ଧାର ପାଇଥିବା ୨ ଚୀନ୍ ନାବିକ ସେହି କାଳରାତ୍ରିର ସମ୍ପୂର୍ଣ୍ଣ ସତ କହିଛନ୍ତି। ପଚରାଉଚରା ବେଳେ କହିଥିଲେ ଜାହାଜ ବୁଡ଼ିବାର ଗୋଟି ଗୋଟି ରହସ୍ୟ। ସେମାନଙ୍କୁ ପଚରାଯାଇଥିଲା ୬୭ ପ୍ରଶ୍ନ। ଇମିଗ୍ରେସନ, ଗୁଇନ୍ଦା ଓ ପାରାଦୀପ ପୋଲିସର ମିଳିତ ଟିମ ପଚରାଉଚରା କରିଥିଲେ। ଜାହାଜ ବୁଡ଼ିବାର ପ୍ରାୟ ୨୦ ଘଣ୍ଟା ପରେ ଲାଇଫ୍ ରାଫ୍ଟ ସାହାଯ୍ୟରେ ସମୁଦ୍ରରେ ଭାସୁଥିଲେ। 

ଏତିକିବେଳେ ୨ ଜଣଙ୍କୁ ଉଦ୍ଧାର କରିଥିଲା 'MT ଆଇସୋପ୍ସ' ନାମକ ଏକ ତୈଳବାହୀ ଜାହାଜ। ପାରାଦୀପରେ ଜେରା ଶେଷ ହେବା ପରେ ସେମାନଙ୍କୁ କୋଲକାତା ପଠାଯାଇଛି। ଆସନ୍ତାକାଲି ଦୁହେଁ ଚୀନ୍ ଫେରିଯିବେ। ଅନ୍ୟପଟେ, ଗଭୀର ସମୁଦ୍ରରେ ଆଉ କାହାରି ଜୀବିତ ରହିବାର ସମ୍ଭାବନା ନଥିବାରୁ, ସର୍ଚ୍ଚ ଅପରେସନ ବନ୍ଦ ହୋଇପାରେ। 

ସମୁଦ୍ର ଗର୍ଭରେ ଜାହାଜ ବୁଡ଼ିବା ପାରାଦୀପ ଉପକୂଳ ପାଇଁ ନୂଆ ନୁହେଁ। ପୂର୍ବରୁ ଓଭରଲୋଡିଂ ଯୋଗୁଁ ବନ୍ଦରଠାରୁ ମାତ୍ର ୫ କିଲୋମିଟର ଦୂରରେ ବୁଡ଼ିଯାଇଥିଲା MV ବ୍ଲାକରୋଜ୍। ସେହିପରି ୨୦୦୯ରେ ମାଙ୍ଗାଲୋର ବନ୍ଦରରେ ମଧ୍ୟ ଲୁହାପଥର ବୋଝେଇ MV ଏସିଆନ ଫରେଷ୍ଟ ସମାନ ଭାବେ ଜଳସମାଧି ନେଇଥିଲା। ବାରମ୍ବାର ଏପରି ଦୁର୍ଘଟଣା ସାମୁଦ୍ରିକ ସୁରକ୍ଷା ଓ ମାଲ୍ ପରିବହନ ନିୟମ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।