4 Killed in Accident: ଭୟଙ୍କର ଦୁର୍ଘଟଣା: ଗୋଟିଏ ପରିବାରର ୪ ଜଣ ମୃତ

Sep 19, 2026 - 13:21
4 Killed in Accident: ଭୟଙ୍କର ଦୁର୍ଘଟଣା: ଗୋଟିଏ ପରିବାରର ୪ ଜଣ ମୃତ

ହାଇଦ୍ରାବାଦ ବେଙ୍ଗାଲୁରୁ ଜାତୀୟ ରାଜପଥ (NH-44) ନିକଟସ୍ଥ ପାଲାମାକୁଲା ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗଣେଶ ବିସର୍ଜନ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଗାଁରୁ ଫେରୁଥିବା ସମୟରେ ଏକ ଦ୍ରୁତଗାମୀ କାର୍ କଲଭର୍ଟରେ ପିଟିହୋଇ ଓଲଟିପଡ଼ିବାରୁ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଗାଡ଼ିର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି।

ପୋଲିସ ସୂଚନା ମୁତାବକ, ଶନିବାର ଭୋର ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା। ମୃତକମାନେ ମହବୁବନଗର ଜିଲ୍ଲାର ନବାବପେଟ ମଣ୍ଡଳ ଅନ୍ତର୍ଗତ ମେଟ୍ଟୁଗାଡ଼ା ଥାଣ୍ଡାରୁ ଶାମଶାବାଦ ଅଭିମୁଖେ ଫେରୁଥିଲେ।

ପ୍ରାଥମିକ ତଥ୍ୟରୁ ଜଣାପଡିଛି ଯେ ଗାଡ଼ିଟି ଅତ୍ୟଧିକ ଦ୍ରୁତ ଗତିରେ ଯାଉଥିଲା। ପରେ ନିୟନ୍ତ୍ରଣ ହରାଇ ପାଲାମାକୁଲା ନିକଟସ୍ଥ ଏକ କଲଭର୍ଟରେ ଜୋରରେ ପିଟିହୋଇଥିଲା ଏବଂ ଓଲଟି ପଡ଼ିଥିଲା। ଧକ୍କାଟି ଏତେ ଶକ୍ତ ଥିଲା ଯେ କାରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୂରମାର ହୋଇଯାଇଛି। ଘଟଣାସ୍ଥଳରେ ହିଁ ଚାରି ଜଣ ଯାତ୍ରୀଙ୍କର ପ୍ରାଣହାନୀ ଘଟିଛି। ମୃତକ ମାନେ ହେଲେ କେଥାଭଥ ଲିମ୍ବ୍ୟା, କେଥାଭଥ ଜମୁନା, କାତ୍ରାଭଥ ମାନସିଂ ଓ କେଥାଭଥ ବାଶ୍ରାମ। ଦୁର୍ଘଟଣାରେ ଗାଡ଼ିର ଡ୍ରାଇଭର ସବାଭଥ ଅଶୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।