Engagement Dreams Turn To Grief: ଅଧାରେ ରହିଗଲା ନୂଆବୋହୂ ହେବାର ସ୍ୱପ୍ନ; ନିର୍ବନ୍ଧର ସପ୍ତାହକ ଆଗରୁ ବୁଡ଼ିଗଲା ଜୀବନ

Sep 19, 2026 - 21:32
Engagement Dreams Turn To Grief: ଅଧାରେ ରହିଗଲା ନୂଆବୋହୂ ହେବାର ସ୍ୱପ୍ନ;  ନିର୍ବନ୍ଧର ସପ୍ତାହକ ଆଗରୁ ବୁଡ଼ିଗଲା ଜୀବନ

ସପ୍ତାହକ ପରେ ଝିଅର ନିର୍ବନ୍ଧ କରିଥାନ୍ତେ, ଆଜି ଝିଅର ଚିତା ପାଇଁ ସଜାଡ଼ିବାକୁ ପଡ଼ୁଛି କୋକେଇ। ଗଲା ଗଣେଶ ପୂଜାରେ ଘରେ ନିର୍ଧୁମ ମଜାମସ୍ତି କରିଥିଲେ, ଆଜି ଘରେ ଶୁଭୁଛି ରାମ ନାମ ସତ୍ୟହେ। ଜଣେ କି ଦୁଇଜଣ ନୁହେଁ। ଏକାଥରେ ଅକାଳରେ ଆରପାରିକୁ ଚାଲିଯାଇଛନ୍ତି ସାତ ସାତ ଜଣ। ମଧ୍ୟପ୍ରଦେଶ ବୁଲିବାକୁ ଯାଇ ଭାସିଯାଇଛି ଭୁବନେଶ୍ବରର ବନମାଳି ବେହେରାଙ୍କ ପରିବାର। ପୁଅ, ଝିଅ, ନାତି ନାତୁଣୀ, ଜୋଇଁ ଆଉ କେହିନାହାନ୍ତି। ବିଧାତାର ବୀଭତ୍ସ ବିଧାନକୁ ଆଖି ଆଗରେ ଦେଖି ହତବାକ ହୋଇଛନ୍ତି ସମସ୍ତେ।

କାଲି ହସୁଥିବା ହସହସ ମୁହଁମାନଙ୍କୁ ଟିଭି ପରଦାରେ ଚାହିଁ କାନ୍ଦୁଛି ପରିବାର। କାନ୍ଦୁଛି ଘର, କାନ୍ଦୁଛି କଲୋନୀ। ଗୋଟିଏ ଘରୁ ଏକାଥରେ ଚାଲିଯାଇଛି ସାତ ସାତଟି ଜୀବନ। ଝିଅଜ୍ବାଇଁଠୁ ନାତିନାତୁଣୀ, ଭେଣ୍ଡିଆ ପୁଅ ଆଉ ବଢିଲା ଝିଅ। ଭାସିଯାଇଛି ଗୋଟିଏ ପରିବାରର ସବୁ ହସ। ରହିଯାଇଛି ଖାଲି ଏଇ ଫଟୋ ଖଣ୍ଡେ ଖଣ୍ଡେ। ମଧ୍ୟପ୍ରଦେଶରେ ୭ଜଣଙ୍କ ସଲୀଳ ସମାଧି ପରେ ଇଏ ଭୁବନେଶ୍ବର ଜୟଦେବ ବିହାରର ବନମାଳି ବେହେରାଙ୍କ ଘରର ଲୁହଭିଜା ଦୃଶ୍ୟ। କାହାରି ମୁଣ୍ଡ କାମ କରୁନି। କାହାରି ଲୁହ ବୋଲ ମାନୁନି। ... 

ହସହସ ଚେହେରାର ଏଇ ଫଟୋ ଖଣ୍ଡକ ରାଧାରାଣୀଙ୍କର। ବନମାଳିଙ୍କ ସାନ ଝିଅ। ନୂଆ ଜୀବନକୁ ନେଇ ଆଖିରେ ଥିଲା ଆଖିଏ ସ୍ବପ୍ନ। ସପ୍ତାହେ ପରେ ନିର୍ବନ୍ଧ ହୋଇଥାନ୍ତା। ଉଜ୍ଜୟିନୀରୁ ଫେରିବା ପରେ ଆସନ୍ତା ୨୭ ତାରିଖରେ ଧାର୍ଯ୍ୟ ହୋଇଥିଲା ଶୁଭଲଗନ। ହାତରେ ମେହେନ୍ଦି ଲାଗିଥାନ୍ତା, ବନ୍ଧୁବାନ୍ଧବରେ ଘର ଉଚ୍ଛୁଳିଥାଆନ୍ତା। 

ହେଲେ ବିଧିର ବିଧାନ ଥିଲା ଅଲଗା। ଝିଅ ବିଦା ପାଇଁ ସ୍ବପ୍ନ ଦେଖୁଥିବା ପରିବାରକୁ ଆଜି ଝିଅ ପାଇଁ କୋକେଇ ସଜାଡ଼ିବାକୁ ପଡ଼ୁଛି। ଫଟୋକୁ ଦେଖି ଲୁହ ଗଡ଼ାଇବା ଛଡ଼ା ଆଉ କିଛି ନାହିଁ। ମାଆ ବଗଳାମୁଖୀଙ୍କ ଦର୍ଶନ ପାଇଁ ଯିବା ଆଗରୁ ଗଲା ଗଣେଶ ପୂଜାରେ ଏଇ ଫଟୋଟି ଉଠାଇଥିଲେ ରାଧାରାଣୀ। ଆଉ ଶେଷରେ ଜୀବନ ରାସ୍ତାରୁ ଅଧାବାଟରେ ବିଦାୟ ନେଇ ଏଇ ଫଟୋରେ ହିଁ ସ୍ମୃତି ହୋଇ ରହିଗଲେ । 

ଏପଟେ ମାଆଙ୍କୁ ବା ସମ୍ଭାଳିବ କିଏ। ଝିଅଜ୍ବାଇଁଙ୍କ ଫଟୋକୁ ଛାତିରେ ଜାବୁଡ଼ି ଧରି ରାହାଧରି କାନ୍ଦୁଛନ୍ତି। ନାତିନାତୁଣୀଙ୍କୁ ଖୋଜି ହେଉଛନ୍ତି। ବାୟାଣି ଭଳି ଫଟୋକୁ ଅଣ୍ଡାଳି ପକାଉଛନ୍ତି। ହଜିଲା ଜୀବନକୁ ଖୋଜୁଛନ୍ତି। ବାହୁନି ବାହୁନି କହୁଛନ୍ତି- ମୋ ପିଲାମାନଙ୍କୁ ଫେରାଇ ଦିଅ। ଆଉ ବାପା ଏକଦମ୍ ନିର୍ବାକ। ଖାଲି ପରିବାର ଲୋକେ ନୁହଁନ୍ତି, ବନ୍ଧୁବାନ୍ଧବଙ୍କଠୁ ପଡ଼ୋଶୀ... ସମସ୍ତଙ୍କ ଆଖିରେ ଲୁହ, ସମସ୍ତଙ୍କ ମନରେ କୋହ। 

ଗଲା ସପ୍ତାହରେ ଏଇ ଗଳିରେ ଗଣେଶ ପୂଜାରେ ମାହୋଲ ଜମିଥିଲା। ସମସ୍ତଙ୍କ ସହ ନାଚ ଗୀତରେ ମସଗୁଲ୍ ଥିଲା ପରିବାର। ହେଲେ କିଏ ଜାଣିଥିଲା, ଏଇ ହସ ଏତେ ଶୀଘ୍ର ଲିଭିଯିବ ବୋଲି। ସ୍ବପ୍ନ ହଜିଗଲା, ସ୍ମୃତି ରହିଗଲା, ମଣିଷଗୁଡ଼ାକ ଚାଲିଗଲେ...ଅଫେରା ଦୁନିଆକୁ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।