5 Heroes Of flydubai Flight: ଫ୍ଲାଏ ଦୁବାଇ ବିମାନର ୫ ହିରୋ, ୧୭୪ ଜୀବନ ବଞ୍ଚାଇବାରେ ହୋଇଥିଲେ ସଫଳ
ଦୁବାଇରୁ ତେଲ ଅଭି ଅଭିମୁଖେ ଯାଉଥିବା 'ଫ୍ଲାଇଦୁବାଇ' ର ଫ୍ଲାଇଟ୍ FZ1073 ଯେତେବେଳେ ହଜାର ହଜାର ଫୁଟ୍ ଉଚ୍ଚତାରେ ଉଡ଼ୁଥିଲା, ସେତେବେଳେ କକପିଟ୍ ଭିତରେ ରକ୍ତମୁଖା ସାଜିଥିଲେ କୋ-ପାଇଲଟ। ବିମାନର ଓମାନୀ କୋ-ପାଇଲଟ୍ ହଠାତ୍ ନିଜର ସହକର୍ମୀ ତଥା ଭାରତୀୟ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ ଆକ୍ରମଣ କରି ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚାହିଁଥିଲେ।
ମାତ୍ର କିଛି ମିନିଟ୍ ମଧ୍ୟରେ ବିମାନଟି ୧୪ ହଜାର ଫୁଟ ତଳକୁ ଖସିବାକୁ ଲାଗିଥିବାବେଳେ, ଭାରତୀୟ ପାଇଲଟଙ୍କ ଅସାଧାରଣ ସାହସ, ଉପସ୍ଥିତି ବୁଦ୍ଧି ଏବଂ କିଛି ସାହସୀ ଯାତ୍ରୀଙ୍କ ଆପ୍ରାଣ ପ୍ରୟାସ ଯୋଗୁଁ ଏକ ବଡ଼ଧରଣର ବିମାନ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା।
ଫ୍ଲାଇ ଦୁବାଇ ବିମାନରେ ୧୭୪ ଜଣ ଯାତ୍ରୀଆ ସେମାନଙ୍କ ମଧ୍ୟରେ ୨୭ ଶିଶୁ ଏବଂ ୬ ଜଣ କ୍ରୁ' ସଦସ୍ୟ ଥିଲେ। ବିମାନଟି ଆକାଶରେ ଥିବା ସମୟରେ ଓମାନୀ କୋ-ପାଇଲଟ୍ ଜଣକ ଭାରତୀୟ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ଏବଂ ବିମାନର ନିୟନ୍ତ୍ରଣ ନିଜ ହାତକୁ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗୁରୁତର ଆହତ ହୋଇ ମଧ୍ୟ କ୍ୟାପ୍ଟେନ୍ ମଚ୍ଛାର କକପିଟ୍ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ ଏବଂ କ୍ରୁ' ସଦସ୍ୟମାନଙ୍କୁ ସତର୍କ କରିଥିଲେ।
ପ୍ରବଳ ରକ୍ତସ୍ରାବ ସତ୍ତ୍ୱେ ସେ ବିମାନର କଣ୍ଟ୍ରୋଲ କୋ-ପାଇଲଟଙ୍କୁ ନ ଦେଇ ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ବିମାନକୁ ଜରୁରୀ ଅବତରଣ କରାଇଥିଲେ। ବର୍ତ୍ତମାନ ସେ ସେଠାକାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କ ଏହି ଅସାଧାରଣ ସାହସକୁ ପ୍ରଶଂସା କରିଛନ୍ତି। ତାଙ୍କର ଏହି ସାହସ ପାଇଁ ୯/୧୧ ଭଳି ଘଟଣା ରୋକାଯାଇପାରିଲା ବୋଲି କୁହାଯାଉଛି।
ତେବେ ଏହି ବଡ଼ ଅଘଟଣକୁ ଟାଳିବାରେ କେବଳ ସ୍ମିତଙ୍କ ଭୂମିକା ନଥିଲା। ବରଂ ଆଉ ୪ ଜଣ ଇସ୍ରାଏଲୀ ନାଗରିକ ମଧ୍ ସ୍ମିତଙ୍କୁ ଏଥିରେ ସହଯୋଗ କରିଥିଲେ। ସେମାନଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ୧୭୦ରୁ ଅଧିକ ଜୀବନ ବଞ୍ଚି ପାରିଥିଲା। ବିମାନ ଭିତରେ ଥିବା ଚାରିଜଣ ଇସ୍ରାଏଲୀ ନାଗରିକ ନିଜ ଜୀବନକୁ ବାଜିରେ ଲଗାଇ ଆକ୍ରମଣକାରୀକୁ କାବୁ କରିଥିଲେ।
ୟାନିଭ୍ ହାୟୁନ୍ (ପ୍ଲମ୍ବର): ସେ କକପିଟ୍ ଭିତରକୁ ପଶି ଆକ୍ରମଣକାରୀଙ୍କୁ କକ୍ପିଟ୍ରୁ ଟାଣି ବାହାର କରିଥିଲେ। ଟେଲିଭିଜନରେ 'ମେଡେ' (Mayday) ଶୋ' ଦେଖି ପାଇଥିବା ଜ୍ଞାନକୁ ପ୍ରୟୋଗ କରି ସେ ବିମାନର କଣ୍ଟ୍ରୋଲ୍ (yoke) କୁ ଟାଣି ବିମାନକୁ ସିଧା କରିବାରେ ସହଯୋଗ କରିଥିଲେ।
ଅସାଫ୍ ରାଜୁଆନ୍ (ବିଜନେସ୍ମ୍ୟାନ): ସେ ଅନ୍ୟମାନଙ୍କ ସହିତ ମିଶି କକପିଟ୍କୁ ଯାଇ ଆକ୍ରମଣକାରୀଙ୍କୁ କାବୁ କରିବାରେ ସାହାଯ୍ୟ କରିଥିଲେ ଏବଂ ପ୍ରାୟ ୫୦ ମିନିଟ୍ ଧରି ତାଙ୍କୁ ଧରି ରଖିଥିଲେ।
ଭିକା ମାନେସ୍ (ବ୍ୟାଙ୍କ କର୍ମଚାରୀ): ସେ ବିମାନରେ ମିଳୁଥିବା ହେଡଫୋନ୍ କେବୁଲ୍ ବ୍ୟବହାର କରି ଆକ୍ରମଣକାରୀଙ୍କୁ ବାନ୍ଧି ପକାଇଥିଲେ, ଯାହାଫଳରେ ସେ ଆଉ କିଛି କ୍ଷତି କରିପାରି ନଥିଲେ।
ଡାକ୍ତର ଶୋଟା ମୁସାଏଭ୍ (ଦନ୍ତ ଚିକିତ୍ସକ): ସେ ବିମାନରେ ଥିବା ଏକମାତ୍ର ଡାକ୍ତର ଥିଲେ। ଆକ୍ରମଣକାରୀ କାବୁ ହେବା ପରେ ସେ ଗୁରୁତର ଆହତ ହୋଇଥିବା କ୍ୟାପ୍ଟେନ୍ ମଚ୍ଛାରଙ୍କ ପାଖକୁ ଦୌଡ଼ି ଯାଇଥିଲେ ଏବଂ ତାଙ୍କ ମୁଣ୍ଡ ଓ ହାତରୁ ରକ୍ତସ୍ରାବ ବନ୍ଦ କରି ତାଙ୍କ ଜୀବନ ରକ୍ଷା କରିଥିଲେ।
ଏହି ସମସ୍ତ ବ୍ୟକ୍ତିଙ୍କ ତ୍ୱରିତ ପଦକ୍ଷେପ ଏବଂ ସାହସ ଯୋଗୁଁ ୧୭୪ ଜଣ ଯାତ୍ରୀଙ୍କୁ ଏକ ବଡ଼ ବିପଦରୁ ରକ୍ଷା କରାଯାଇପାରିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।