5 Scalp Massage Improve Hair: ଆପଣଙ୍କର ବି ଚୁଟି ଝଡୁଛି କି? ପ୍ରତିଦିନ ୫ ମିନିଟ୍... ମଜବୁତ ହେବ ଚୁଟି
ଆଜିର ସମୟରେ କେଶ ଝଡ଼ିବା, କେଶ ପତଳା ହେବା କିମ୍ବା ମୁଣ୍ଡରେ ଗଞ୍ଜା ପ୍ୟାଚ୍ (Bald Patch) ହେବା ଏକ ସାଧାରଣ ସମସ୍ୟା ପାଲଟିଛି। ଯୁବପିଢ଼ିଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅନେକ ଲୋକ ହେୟାର୍ ଫଲ୍କୁ ନେଇ ଚିନ୍ତିତ।
ଘନ, ଲମ୍ବା ଓ ମଜବୁତ କେଶ ପାଇଁ ଲୋକେ ବିଭିନ୍ନ ଦାମୀ ପ୍ରଡକ୍ଟ ଓ ଟ୍ରିଟମେଣ୍ଟ ବ୍ୟବହାର କରୁଛନ୍ତି। ହେଲେ ଅନେକ ସମୟରେ ସରଳ ଓ ପ୍ରାକୃତିକ ଉପାୟ ମଧ୍ୟ କେଶର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ। ସେଥିମଧ୍ୟରୁ ଗୋଟିଏ ହେଉଛି ସ୍କାଲ୍ପ ମସାଜ୍ (Scalp Massage)।
କାହିଁକି ଜରୁରୀ ସ୍କାଲ୍ପ ମସାଜ୍?
ସ୍କାଲ୍ପ ମସାଜ୍ କୌଣସି ଚମତ୍କାର ଉପାୟ ନୁହେଁ ଯେ ରାତାରାତି ଚୁଟି ଉଠିଯିବ। କିନ୍ତୁ ନିୟମିତ ଭାବେ ଠିକ୍ ପ୍ରକ୍ରିୟାରେ କରାଗଲେ ଏହା ସ୍କାଲ୍ପକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ମସାଜ୍ ଦ୍ୱାରା ସ୍କାଲ୍ପରେ ରକ୍ତ ସଞ୍ଚାଳନ (Blood Circulation) ଭଲ ହୁଏ, ଯାହା ଫଳରେ କେଶର ମୂଳ ପର୍ଯ୍ୟନ୍ତ ପୋଷଣ ପହଞ୍ଚିବାରେ ସହାୟତା ମିଳେ।
୧ - ତେଲ ଦେଇ ସ୍କାଲ୍ପ ମସାଜ୍
ନଡ଼ିଆ ତେଲ କିମ୍ବା କ୍ୟାଷ୍ଟର ଅଏଲ୍ (ଜଡା ତେଲ) ଦେଇ ସ୍କାଲ୍ପ ମସାଜ୍ କରିବା ଲୋକପ୍ରିୟ ଉପାୟ। ଏହା ସ୍କାଲ୍ପର ଶୁଷ୍କତା କମାଇଥାଏ ଏବଂ କେଶ ବଢ଼ିବା ପାଇଁ ଭଲ ପରିବେଶ ସୃଷ୍ଟି କରିଥାଏ। ତେବେ କେବଳ ତେଲ ଲଗାଇଲେ ହିଁ ଚୁଟି ଉଠିଯିବ ନାହିଁ। ଏହା କେବଳ ଚୁଟି ଯତ୍ନର ଏକ ଅଂଶ।
୨ - ସର୍କୁଲାର୍ ସ୍କାଲ୍ପ ମସାଜ୍
ଏହା ହେଉଛି ସବୁଠାରୁ ସହଜ ପ୍ରକ୍ରିୟା। ଆଙ୍ଗୁଠିର ଟିପ୍ରେ ହାଲୁକା ଚାପ ଦେଇ ମୁଣ୍ଡରେ ଗୋଲାକାର ଭାବେ ମସାଜ୍ କରନ୍ତୁ। ପ୍ରତିଦିନ ପ୍ରାୟ ୫ ମିନିଟ୍ ଏଭଳି କରିବା ଦ୍ୱାରା ସ୍କାଲ୍ପର ରକ୍ତ ପ୍ରବାହ ଭଲ ହୋଇପାରେ।
୩ - ଷ୍ଟ୍ରେଚ୍ ଏଣ୍ଡ୍ ପ୍ରେସ୍ ଟେକନିକ୍
ଏହା ଏକ ଆଧୁନିକ ମସାଜ୍ ପ୍ରଣାଳୀ। ଏଥିରେ କେବଳ ଆଙ୍ଗୁଠି ଦ୍ୱାରା ସ୍କାଲ୍ପର ଚର୍ମକୁ ହାଲୁକା ଭାବେ ଚାପ ଦିଆଯାଏ ଓ ଷ୍ଟ୍ରେଚ୍ କରାଯାଏ। NIH (National Institutes of Health) ର କିଛି ଅଧ୍ୟୟନ ଅନୁସାରେ, ଏଭଳି ଟେକନିକ୍ କେଶର ମୋଟାପଣ ବଢ଼ାଇବାରେ ଓ ହେୟାର୍ ଗ୍ରୋଥ୍କୁ ଉତ୍ସାହିତ କରିବାରେ ସହାୟକ ହୋଇପାରେ।
୪ - ଶ୍ୟାମ୍ପୁ କରିବା ସମୟରେ ମସାଜ୍
ଅନେକ ଲୋକ ଶ୍ୟାମ୍ପୁ ଲଗାଇ ତୁରନ୍ତ ଧୋଇ ଦିଅନ୍ତି। କିନ୍ତୁ ଶ୍ୟାମ୍ପୁ ସମୟରେ କିଛି ମିନିଟ୍ ସ୍କାଲ୍ପ ମସାଜ୍ କରିବା ଦ୍ୱାରା ସ୍କାଲ୍ପ ରିଲାକ୍ସ ହୋଇଥାଏ ଏବଂ ସଫା ଭଲ ଭାବେ ହୋଇପାରେ।
୫ - ଇନଭର୍ସନ୍ ସ୍କାଲ୍ପ ମସାଜ୍
ଏହି ପ୍ରଣାଳୀରେ ମୁଣ୍ଡକୁ ହାଲୁକା ଭାବେ ଆଗକୁ ନୁଆଇ ମସାଜ୍ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ମୁଣ୍ଡ ଅଞ୍ଚଳରେ ରକ୍ତ ସଞ୍ଚାଳନ ବଢ଼ାଇବା।
କେବଳ ମସାଜ୍ରେ ସବୁ ସମସ୍ୟା ସମାଧାନ ହୁଏ ନାହିଁ
ଯଦି ଅତ୍ୟଧିକ କେଶ ଝଡ଼ୁଛି, ଚନ୍ଦାପଣ ହେଉଛି କିମ୍ବା କୌଣସି ମେଡିକାଲ୍ ସମସ୍ୟା ରହିଛି, ତେବେ ନିଶ୍ଚିତ ଭାବେ ଚର୍ମ ବିଶେଷଜ୍ଞ (Dermatologist)ଙ୍କ ପରାମର୍ଶ ନେବା ଆବଶ୍ୟକ। ନିୟମିତ ଯତ୍ନ, ସଠିକ୍ ଖାଦ୍ୟ ଓ ଠିକ୍ ହେୟାର୍ କେୟାର୍ ରୁଟିନ୍ ଦ୍ୱାରା କେଶକୁ ସୁସ୍ଥ ଓ ମଜବୁତ ରଖିହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।