9 Bangladeshis Killed In Hotel Fire: ହୋଟେଲରେ ଭୟାବହ ଅଗ୍ନିକାଣ୍ଡ; ଚାଲିଗଲା ୯ ଜୀବନ, ୮୦ ଜଣ ଉଦ୍ଧାର

Aug 19, 2026 - 10:13
9 Bangladeshis Killed In Hotel Fire: ହୋଟେଲରେ ଭୟାବହ ଅଗ୍ନିକାଣ୍ଡ; ଚାଲିଗଲା ୯ ଜୀବନ, ୮୦ ଜଣ ଉଦ୍ଧାର

କୋଲକାତାର ଏକ ହୋଟେଲରେ ବୁଧବାର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୬ ଜଣ ଆହତ ହୋଇଛନ୍ତି। ମୃତକମାନେ ସମସ୍ତେ ବାଂଲାଦେଶୀ ନାଗରିକ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।

ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ, ୨ ଜଣ ମହିଳା ଏବଂ ଜଣେ ଶିଶୁ ରହିଛନ୍ତି। ସେମାନେ ଚିକିତ୍ସା ପାଇଁ କୋଲକାତା ଆସି ହୋଟେଲରେ ରହୁଥିଲେ ବୋଲି ଜଣାପଡ଼ିଛି।

ବୁଧବାର ଭୋର ପ୍ରାୟ ୨ଟା ସମୟରେ ହୋଟେଲରେ ହଠାତ୍ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ସେବା ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ହୋଟେଲ ଭିତରେ ଥିବା ପ୍ରାୟ ୮୦ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।

ଅଗ୍ନିକାଣ୍ଡ ପରେ ହୋଟେଲ ଭିତରେ ଘନ ଧୂଆଁ ଭରିଯାଇଥିଲା। ଧୂଆଁ ଯୋଗୁଁ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ଉଦ୍ଧାର କରାଯାଇଥିବା ୬ ଜଣ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ମିଳିନାହିଁ।

ଘଟଣାର ତଦନ୍ତ ଆରମ୍ଭ କରି ପୋଲିସ ହୋଟେଲର ଦୁଇ ଜଣ କର୍ମଚାରୀଙ୍କୁ ପଚରାଉଚରା ପାଇଁ ଅଟକ ରଖିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ, ତାହା ଜାଣିବା ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

ଘଟଣାସ୍ଥଳର ଦୃଶ୍ୟରୁ ହୋଟେଲଟି ଏକ ଘନ ଜନବସତିପୂର୍ଣ୍ଣ ଅଞ୍ଚଳରେ ଥିବା ପୁରୁଣା କୋଠାରେ ଚାଲୁଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ କେଉଁଠାରୁ ଓ କିପରି ଆରମ୍ଭ ହେଲା, ନିଆଁ ନିର୍ବାପଣ ବ୍ୟବସ୍ଥା କିପରି ଥିଲା ଏବଂ ଘଟଣା ସମୟରେ କୌଣସି ଅବହେଳା ହୋଇଥିଲା କି ନାହିଁ, ସେନେଇ ଅଧିକାରୀମାନେ ଯାଞ୍ଚ କରୁଛନ୍ତି।

ଏହି ଭୟାବହ ଅଗ୍ନିକାଣ୍ଡକୁ ନେଇ କୋଲକାତାରେ ଚାଞ୍ଚଲ୍ୟ ଖେଳିଯାଇଛି। ତଦନ୍ତ ଶେଷ ହେବା ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ ଦାୟୀ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।