Aadhaar Photo Change Rules: ଆଧାର କାର୍ଡର ଫଟୋ ବଦଳାଇପାରିବେ କି? କେତେଥର ଅପଡେଟ୍ କରିହେବ, ଜାଣନ୍ତୁ
ଆଧାର କାର୍ଡ ଏବେ ଦେଶରେ ଜଣେ ବ୍ୟକ୍ତିଙ୍କ ପରିଚୟର ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ। ଟ୍ରେନ୍ ଟିକେଟ୍ ବୁକିଂଠାରୁ ଆରମ୍ଭ କରି ସିମ୍ କାର୍ଡ ନେବା କିମ୍ବା ପିଲାଙ୍କ ସ୍କୁଲ୍ରେ ନାମ ଲେଖାଇବା ବିଭିନ୍ନ କାମରେ ଆଧାର ଆବଶ୍ୟକ ହୋଇଥାଏ। ତେବେ ଅନେକ ଲୋକଙ୍କ ଆଧାର କାର୍ଡରେ ଥିବା ଫଟୋ ପସନ୍ଦ ହୁଏନାହିଁ। ଏଭଳି ସ୍ଥିତିରେ ଫଟୋ ବଦଳାଇବାର ବ୍ୟବସ୍ଥା ରହିଛି କି, ଏବଂ ଥରେ ବଦଳାଇବା ପରେ ପୁଣି ବଦଳାଇହେବ କି ଏହି ପ୍ରଶ୍ନ ଅନେକଙ୍କ ମନରେ ରହିଥାଏ।
UIDAIର ଅଫିସିଆଲ୍ ସୂଚନା ଅନୁସାରେ, ଆଧାର ଫଟୋ ଅପଡେଟ୍ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ସୀମା ନାହିଁ। ଅର୍ଥାତ୍, ଆବଶ୍ୟକତା ଅନୁସାରେ ଆପଣ ପୁଣିଥରେ ମଧ୍ୟ ନିଜ ଆଧାର ଫଟୋ ଅପଡେଟ୍ କରିପାରିବେ।
ତେବେ ଏହି କାମ ଘରେ ବସି ଅନଲାଇନ୍ରେ କରିହେବ ନାହିଁ। ଫଟୋ ଅପଡେଟ୍ ପାଇଁ ଆପଣଙ୍କୁ ନିକଟସ୍ଥ ଆଧାର ସେବା କେନ୍ଦ୍ର କିମ୍ବା ଆଧାର ଅପଡେଟ୍ ସେଣ୍ଟରକୁ ଯିବାକୁ ପଡ଼ିବ। ସେଠାରେ ଆଧାର ଅପଡେଟ୍ ଫର୍ମ ପୂରଣ କରିବା ପରେ ବାୟୋମେଟ୍ରିକ୍ ଯାଞ୍ଚ କରାଯିବ। ଏହାପରେ କେନ୍ଦ୍ରରେ ଥିବା କ୍ୟାମେରାରେ ଆପଣଙ୍କ ନୂଆ ଫଟୋ ନିଆଯିବ। ଏହି ନୂଆ ଫଟୋ ହିଁ ପରେ ଅପଡେଟ୍ ହୋଇଥିବା ଆଧାରରେ ଦେଖାଯିବ।
ଏଥିପାଇଁ ୧୨୫ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଲାଗିପାରେ। ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ କିଛି ଦିନ ମଧ୍ୟରେ ଆଧାର ତଥ୍ୟ ଅପଡେଟ୍ ହୋଇପାରେ। ଅପଡେଟ୍ ପରେ ଆପଣ ନିଜର ନୂଆ ଆଧାର କାର୍ଡ ଡାଉନଲୋଡ୍ କରିପାରିବେ।
ତେବେ କୌଣସି କାରଣରୁ ଆପଣଙ୍କ ଅପଡେଟ୍ ଅନୁରୋଧ ରିଜେକ୍ଟ ହେଲେ, ଅଭିଯୋଗ କରିବାର ବ୍ୟବସ୍ଥା ମଧ୍ୟ ରହିଛି। UIDAIର ଗ୍ରିଭାନ୍ସ ରେଡ୍ରେସାଲ୍ ପୋର୍ଟାଲ୍ ମାଧ୍ୟମରେ ଅନଲାଇନ୍ ଅଭିଯୋଗ କରିପାରିବେ। ଏହାଛଡ଼ା UIDAIର ୧୯୪୭ ଟୋଲ୍-ଫ୍ରି ହେଲ୍ପଲାଇନ୍ରେ ଯୋଗାଯୋଗ କିମ୍ବା ନିକଟସ୍ଥ UIDAI ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରିପାରିବେ।
ତେଣୁ ଆଧାର କାର୍ଡରେ ଥିବା ଫଟୋ ପସନ୍ଦ ନହେଲେ ଚିନ୍ତା କରନ୍ତୁ ନାହିଁ। ନିର୍ଦ୍ଦିଷ୍ଟ ସଂଖ୍ୟା ସୀମା ନଥିବାରୁ, ନିୟମ ଅନୁସାରେ ଆଧାର କେନ୍ଦ୍ରକୁ ଯାଇ ଫଟୋ ଅପଡେଟ୍ କରିପାରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।