ACF Soumya Death Case: ସୁପ୍ରିମକୋର୍ଟରେ ବିଦ୍ୟାଭାରତୀଙ୍କୁ ମିଳିଲାନି ଆଶ୍ୱସ୍ତି, ଆଗକୁ କ’ଣ ହେବ?

Sep 30, 2026 - 20:51
ACF Soumya Death Case: ସୁପ୍ରିମକୋର୍ଟରେ ବିଦ୍ୟାଭାରତୀଙ୍କୁ ମିଳିଲାନି ଆଶ୍ୱସ୍ତି, ଆଗକୁ କ’ଣ ହେବ?

ବନ୍ଧା ହେବେ କି ବିଦ୍ୟାଭାରତୀ ? ହାଇକୋର୍ଟ ପରେ ସୁପ୍ରିମକୋର୍ଟରୁ ବି ମିଳିଲାନି ଆଶ୍ୱସ୍ତି। ମୁଣ୍ଡ ଉପରେ ଝୁଲୁଛି ଗିରଫଦାରୀର ଖଣ୍ଡା। ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ଅଡୁଆ ବଢ଼ିଛି। ଅନ୍ତରୀଣ ସୁରକ୍ଷା ଆବେଦନ କରି ସେ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ହେଲେ ସେଠୁ ବି ଖାଲି ହାତରେ ଫେରିଲେ, ସେଠୁ ବି ନିରାଶ ହେଲେ। ଫଳରେ ଅକ୍ଟୋବର ୧ ସୁଦ୍ଧା ଅର୍ଥାତ କାଲି ସୁଦ୍ଧା ପାରଳାଖେମୁଣ୍ଡି SDJM କୋର୍ଟରେ ବିଦ୍ୟାଭାରତୀଙ୍କୁ ହାଜର ହେବାକୁ ପଡ଼ିବ। ଯଦି, ନହୁଅନ୍ତି ତାହେଲେ କୋର୍ଟ ଦେଇପାରନ୍ତି କିଛି ଚରମ ନିଷ୍ପତ୍ତି।..

୨୦୨୧ ଜୁଲାଇ ୧୧ ତାରିଖ ସାରା ରାଜ୍ୟରେ ଚହଲ ପକାଇଥିଲା ପାରଳାଖେମୁଣ୍ଡିର ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା। ଗଜପତି ଜିଲ୍ଲାରେ କାର୍ଯ୍ୟରତ ୨୦୨୦ ବ୍ୟାଚ୍ ର ଓଡ଼ିଶା ବନ ସେବା ଅଧିକାରୀ ସୌମ୍ୟରଞ୍ଜନ ନିଜ ସରକାରୀ ବାସଭବନରେ ପୋଡ଼ି ଯାଇ ଗୁରୁତର ହୋଇଥିଲେ। ପରେ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଅଦରକାରୀ ପେପର୍ ପୋଡ଼ୁ ପୋଡ଼ୁ ତାଙ୍କ ଜୀବନ ଯାଇଥିବା ପତ୍ନୀ କହିଥିବା ବେଳେ ଏଥିରେ ସନ୍ଦେହର ଗନ୍ଧ ବାରିଥିଲେ ପରିବାର ଲୋକେ। ପାରିପାର୍ଶ୍ବିକ ସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏହା ସାଧାରଣ ଅଘଟଣ ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା।

ଆଉ ଏଥିରେ ପ୍ରଥମେ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା ଓ ତତ୍କାଳୀନ ଗଜପତି DFO ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ ଟାଣି ହୋଇ ଆସିଥିଲେ। ବହୁ ଲୁଚକାଳୀ ପରେ ଶେଷରେ ଗତ ଜୁଲାଇରେ ବନ୍ଧା ହୋଇଥିଲେ ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା। ଆଉ ଏବେ ଚାରି ଆଡ଼ୁ ବୁଲି ବୁଲି ନିରାଶ ହେବା ପରେ ଗିରଫ ହୋଇଛନ୍ତି ରୋଷେୟା ମନ୍ମଥ କୁମ୍ଭ। ତେଣୁ ଏବେ ବିଦ୍ୟାଭାରତୀଙ୍କ ପାଳି ବୋଲି ଅନୁମାନ କରାଯାଉଛି। ହେଲେ ସେ ଦିନ ପରଠୁ ଆଉ ନା ବିଦ୍ୟାଭାରତୀଙ୍କ କୌଣସି ଖବର ମିଳିଛି ନା ପ୍ରତିକ୍ରିୟା। ତେଣୁ ସନ୍ଦେହ ବି ଅଧିକ ଉପୁଜିଛି। 

ଯେତେ ଦିନ ବିତୁଛି ସୌମ୍ୟରଞ୍ଜନ ମାମଲାକୁ ନେଇ ସନ୍ଦେହ ସେତେ ବଢ଼ିବାରେ ଲାଗିଛି। କାରଣ ଗଲା ୫ ବର୍ଷ ହେଲା ସୌମ୍ୟଙ୍କ ମୃତ୍ୟୁ ପଛର ମିଷ୍ଟ୍ରି ଏବେ ଯାଏଁ ଫିଟିନି। ଘଟଣାରେ ପ୍ରଥମେ ପାରଳାଖେମୁଣ୍ଡି ପୋଲିସ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ଭାବେ ଦର୍ଶାଇଥିଲା। କେବଳ ବିଦ୍ୟାଭାରତୀଙ୍କ ବିରୋଧରେ IPCର ଧାରା ୨୮୫ ଏବଂ ୩୦୪-A ଅଧୀନରେ ଚାର୍ଜସିଟ୍ ଦାଖଲ କରି ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଦେଇଥିଲେ କ୍ଲିନ୍ ଚିଟ୍।

ହେଲେ କ୍ରାଇମବ୍ରାଞ୍ଚର ତଦନ୍ତ ରିପୋର୍ଟକୁ ଚ୍ୟାଲେଞ୍ଜ କରି ସୌମ୍ୟରଞ୍ଜନଙ୍କ ପରିବାର ପାରଳାଖେମୁଣ୍ଡି SDJM କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିବା ପରେ ଆସିଥିଲା ଘଟଣାରେ ବଡ଼ ଟ୍ବିଷ୍ଟ। ପ୍ରୋଟେଷ୍ଟ ପିଟିସନ୍ ର ଶୁଣାଣି ପରେ ଟ୍ରାଏଲ୍ କୋର୍ଟ ତିନିଜଣଙ୍କ ବିରୋଧରେ IPCର ଧାରା ୩୦୨ ଓ ୧୨୦-B ଅଧୀନରେ ହତ୍ୟା ମାମଲା ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ବାରମ୍ବାର ସମନ୍ ପରେ ମଧ୍ୟ ହାଜର ନହେବାରୁ ୨୦୨୩ରେ ନନ୍-ବେଲେବଲ୍ ୱାରେଣ୍ଟ୍ ଜାରି ହୋଇଥିଲା। ୨୦୨୫ ଜୁଲାଇରେ ହାଇକୋର୍ଟ ଟ୍ରାୟାଲ୍ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରିଥିବା ପିଟିସନ୍ ଖାରଜ କରିଥିଲେ।

ଏସବୁ ଭିତରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଲିଙ୍କ ବି ଆସିଛି। କିନ୍ତୁ ସେ ବି ଏଯାଏଁ ମୁହଁ ଖୋଲି ନାହାନ୍ତି। ପ୍ରଶ୍ନ ଉଠୁଛି ସେତେବେଳେ କେମିତି କ୍ରାଇମବ୍ରାଞ୍ଚ ମାମଲାରେ କ୍ଲିନ ଚିଟ୍ ଦେଇଥିଲା? କେଉଁ ଆଧାରରେ ତଦନ୍ତ ହୋଇଥିଲା? ଘଟଣାର ରହସ୍ୟ ଲୁଚାଇବାକୁ ଚେଷ୍ଟା କରାଯାଇଛି କି? ତେଣୁ ଏବେ ସମସ୍ତଙ୍କ ନଜର ଆସନ୍ତାକାଲି  ବିଦ୍ୟାଭାରତୀଙ୍କ ବିରୋଧରେ କଣ ଶୁଣାଣି କରୁଛନ୍ତି ପାରଳାଖେମୁଣ୍ଡି କୋର୍ଟ।..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।