Activist Swatantra Bhardwaj Arrested: CJP ଆନ୍ଦୋଳନରେ ଆକ୍ରମଣ ଅଭିଯୋଗ, ସ୍ୱତନ୍ତ୍ର ଭାରଦ୍ୱାଜ ଗିରଫ

Sep 05, 2026 - 17:31
Activist Swatantra Bhardwaj Arrested: CJP ଆନ୍ଦୋଳନରେ ଆକ୍ରମଣ ଅଭିଯୋଗ, ସ୍ୱତନ୍ତ୍ର ଭାରଦ୍ୱାଜ ଗିରଫ

ଯନ୍ତର ମନ୍ତରରେ କକରୋଚ୍ ଜନତା ପାର୍ଟି (CJP)ର ଆନ୍ଦୋଳନ ସମୟରେ ଜଣେ ଛାତ୍ର ଆନ୍ଦୋଳନକାରୀଙ୍କ ବାପାଙ୍କ “ମୁଣ୍ଡ ଫଟାଇ ଦେଇଥିଲି” ବୋଲି ଦାବି କରିଥିବା ଇନ୍‌ଫ୍ଲୁଏନ୍ସର ତଥା ସାମାଜିକ କର୍ମୀ ସ୍ୱତନ୍ତ୍ର ଭାରଦ୍ୱାଜକୁ ଗିରଫ କରାଯାଇଛି। ଶୁକ୍ରବାର ଉତ୍ତରପ୍ରଦେଶର ବୁଲନ୍ଦଶରରେ ତାକୁ ଅଟକ ରଖାଯାଇଥିଲା। CJP ଏବଂ ବିରୋଧୀ ଦଳଗୁଡ଼ିକର ବିକ୍ଷୋଭ ପରେ ପୋଲିସ ଏହି ପଦକ୍ଷେପ ନେଇଥିଲା। ପରେ ତାକୁ ଦିନିକିଆ ପୋଲିସ ରିମାଣ୍ଡକୁ ପଠାଯାଇଛି।

ତେବେ ତାକୁ ମାତ୍ର ଦିନକ ପାଇଁ ପୋଲିସ ରିମାଣ୍ଡ ଦିଆଯିବା ଘଟଣା ନେଇ ପ୍ରଶ୍ନ ଉଠିଛି। ଛାତ୍ର ଆନ୍ଦୋଳନକାରୀଙ୍କ ଓକିଲ ରିଶଭ ରଞ୍ଜନ କହିଛନ୍ତି ଯେ, ଭାରଦ୍ୱାଜକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯାଇଥିଲା।

ରିଶଭ ରଞ୍ଜନ କହିଛନ୍ତି, “ଏହା ଅତ୍ୟନ୍ତ ଅଜବ ଘଟଣା। ଆମେ ସମସ୍ତେ କୋର୍ଟରେ ଉପସ୍ଥିତ ଥିଲୁ ଏବଂ ଶୁଣାଣି ଆରମ୍ଭ ହେବାକୁ ଅପେକ୍ଷା କରୁଥିଲୁ। ପରେ ଆମେ ଜାଣିବାକୁ ପାଇଲୁ ଯେ, ଅଭିଯୁକ୍ତକୁ ବାସଭବନରେ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯାଇଥିଲା।”

ସେ ଆହୁରି କହିଛନ୍ତି, “ଏତେ ଗୁରୁତର ଅପରାଧରେ ମାତ୍ର ଦିନକର ପୋଲିସ ରିମାଣ୍ଡ ମଗାଯାଇଥିଲା। କେଉଁ ଅଭିଯୋଗ ଯୋଡ଼ାଯାଇଛି ଏବଂ FIRରେ କ’ଣ ପରିବର୍ତ୍ତନ କରାଯାଇଛି, ସେନେଇ ଆମକୁ କୌଣସି ବିବରଣୀ ଦିଆଯାଇନାହିଁ। କ’ଣ ଲୁଚାଯାଉଛି, ମୁଁ ଜାଣିନାହିଁ।”

ଏହି ଘଟଣାର ଦିନକ ପୂର୍ବରୁ CJP ନେତାମାନେ ଲୋକସଭା ସାଂସଦ ଚନ୍ଦ୍ରଶେଖର ଏବଂ ପପ୍ପୁ ଯାଦବଙ୍କ ସହ ମିଶି ନୂଆଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଭାରଦ୍ୱାଜଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଥିଲେ।

ପୋଲିସ ତିନି ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେଇଥିଲା। ତେବେ ଏହାର କିଛି ଘଣ୍ଟା ମଧ୍ୟରେ ଭାରଦ୍ୱାଜଙ୍କୁ ବୁଲନ୍ଦଶରର ଧାମରା ନାରା ଗାଁ ନିକଟରୁ ଅଟକ କରାଯାଇଥିଲା। ସେ ବୁଲନ୍ଦଶରରୁ ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ତାକୁ ଧରିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।