After Death Woman Returns: ଫିଲ୍ମଠାରୁ ବି ଅଜବ କାହାଣୀ! ମୃତ ଭାବି ଶେଷକୃତ୍ୟ, ୫ ବର୍ଷ ପରେ ଜୀବିତ ଫେରିଲେ ମହିଳା
ଯେଉଁ ମହିଳାଙ୍କୁ ପରିବାର ମୃତ ଭାବି ଅନ୍ତିମ ସଂସ୍କାର କରିଦେଇଥିଲେ, ସେହି ମହିଳା ୫ ବର୍ଷ ପରେ ହଠାତ୍ ଜୀବିତ ଅବସ୍ଥାରେ ଘରକୁ ଫେରିଛନ୍ତି। ଏହା ପରେ ପରିବାରରେ ଖୁସିର ଲହରୀ ଖେଳିଥିବା ବେଳେ ପୁଲିସର ତଦନ୍ତକୁ ନେଇ ଉଠିଛି ଅନେକ ବଡ଼ ପ୍ରଶ୍ନ। ଉତ୍ତରପ୍ରଦେଶର ମହାରାଜଗଞ୍ଜରୁ ଆସିଛି ଏମିତି ଏକ ଚମକାଇଦେଲା ଭଳି ଖବର।
ଘଟଣାଟି ମହାରାଜଗଞ୍ଜ ଜିଲ୍ଲାର ସୋନୌଲି କୋତୱାଲି ଅଞ୍ଚଳର କୈଥୱଲିଆ ଓରଫ ବରଗଦହି ଗାଁର। ଇସରାବତୀ ନାମକ ଜଣେ ମହିଳା ପ୍ରାୟ ୫ ବର୍ଷ ପୂର୍ବେ ଘରୁ ନିଖୋଜ ହୋଇଯାଇଥିଲେ। ମହିଳା ଜଣକ ମାନସିକ ଭାବେ ଦିବ୍ୟାଙ୍ଗ ଥିବାରୁ ପରିବାର ଲୋକେ ତାଙ୍କୁ ଖୋଜିବା ପାଇଁ ଅନେକ ଚେଷ୍ଟା କରିଥିଲେ। ଏପରିକି ପୁଲିସରେ ମଧ୍ୟ ନିଖୋଜ ଅଭିଯୋଗ ଦାଖଲ ହୋଇଥିଲା।
କିନ୍ତୁ ଦିନ ପରେ ଦିନ ବିତିଗଲା, ଇସରାବତୀଙ୍କ କୌଣସି ସନ୍ଧାନ ମିଳିଲା ନାହିଁ। ଏହାରି ମଧ୍ୟରେ ଏକ କ୍ଷେତରୁ ଜଣେ ଅଜଣା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା। ପୁଲିସ ପରିବାର ଲୋକଙ୍କୁ ଡାକିଥିଲା। ପୋଷାକ ଆଧାରରେ ପରିବାର ଲୋକେ ମୃତଦେହଟି ଇସରାବତୀଙ୍କର ବୋଲି ଭାବିଥିଲେ।
ଏହାପରେ ପୁଲିସ ମୃତଦେହଟିକୁ ପରିବାରକୁ ହସ୍ତାନ୍ତର କରିଥିଲା ଏବଂ ପରିବାର ମଧ୍ୟ ଇସରାବତୀଙ୍କ ମୃତ୍ୟୁ ହୋଇଥିବା ଭାବି ତାଙ୍କର ଅନ୍ତିମ ସଂସ୍କାର କରିଦେଇଥିଲେ।
କିନ୍ତୁ ୫ ବର୍ଷ ପରେ ହଠାତ୍ ଘଟିଲା ବଡ଼ ଚମତ୍କାର!
ଇସରାବତୀ ଜୀବିତ ଅବସ୍ଥାରେ ଘରକୁ ଫେରିଲେ। ତାଙ୍କୁ ଦେଖି ପରିବାର ଲୋକଙ୍କ ଆଖିରେ ଲୁହ ଆସିଯାଇଥିଲା। ଯାହାଙ୍କୁ ୫ ବର୍ଷ ତଳେ ମୃତ ଭାବି ଅନ୍ତିମ ସଂସ୍କାର କରିଥିଲେ, ସେ ଆଜି ଜୀବିତ!
ତେବେ ୫ ବର୍ଷ ତଳେ କାହାର ହୋଇଥିଲା ଅନ୍ତିମ ସଂସ୍କାର?
ଇସରାବତୀ ଜୀବିତ ଥିବା ସ୍ପଷ୍ଟ ହେବା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଏହି ମୃତଦେହକୁ ନେଇ। ଯାହାଙ୍କ ମୃତଦେହକୁ ଇସରାବତୀଙ୍କର ବୋଲି ଧରି ପରିବାରକୁ ଦିଆଯାଇଥିଲା, ସେହି ମହିଳା କିଏ ଥିଲେ?
ଅନ୍ୟପଟେ ମୃତଦେହ ଚିହ୍ନଟ ପ୍ରକ୍ରିୟାକୁ ନେଇ ମଧ୍ୟ ପୁଲିସ ଉପରେ ପ୍ରଶ୍ନ ଉଠିଛି।
ଇସରାବତୀ ଜୀବିତ ଫେରିବା ପରେ ପରିବାରରେ ଖୁସି ଫେରିଥିବା ବେଳେ ୫ ବର୍ଷ ତଳେ ମିଳିଥିବା ସେହି ଅଜଣା ମହିଳାଙ୍କ ମୃତ୍ୟୁ ଏବେ ଏକ ନୂଆ ରହସ୍ୟ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।