Air India Pilot Suspended: ମଦ୍ୟପାନ କରିଥିଲେ ପାଇଲଟ, ନିଲମ୍ବନ କଲା ଏୟାର ଇଣ୍ଡିଆ
ଉଡ଼ାଣ ପୂର୍ବରୁ ଆଲକୋହଲ ଟେଷ୍ଟରେ ବିଫଳ ହେବା ପରେ ଏୟାର ଇଣ୍ଡିଆର ଜଣେ ପାଇଲଟ୍ଙ୍କୁ ନିଲମ୍ବନ କରାଯାଇଛି। ସେପ୍ଟେମ୍ବର ୬ରେ ଜୁରିଖରୁ ଦିଲ୍ଲୀ ଆସିବାକୁ ଥିବା ବିମାନର ଏହି କିରାଣୀଙ୍କୁ ଉଡ଼ାଣର ଠିକ୍ ପୂର୍ବରୁ ଡ୍ୟୁଟିରୁ ହଟାଇ ଦିଆଯାଇଥିଲା। ଜୁରିଖ ବିମାନବନ୍ଦରରେ କରାଯାଇଥିବା ପରୀକ୍ଷାରେ ସେ ମଦ୍ୟପାନ କରିଥିବା ଜଣାପଡ଼ିଥିଲା।
ଘଟଣା ପରେ ପାଇଲଟ୍ଙ୍କୁ ଯାତ୍ରୀ ଭାବେ ଭାରତ ଫେରାଇ ଅଣାଯାଇଥିଲା। ଏବେ ସେ ନିଲମ୍ବନରେ ରହିଛନ୍ତି। ଚୂଡ଼ାନ୍ତ ମେଡିକାଲ୍ ପରୀକ୍ଷା ରିପୋର୍ଟ ଆସିବା ସହ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି ରହିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଅଗଷ୍ଟ ୪ରେ ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର AI-2379 ବିମାନ ଉଡ଼ାଣ ସମୟରେ ହଠାତ୍ ପ୍ରାୟ ୩୦୦ ଫୁଟ୍ ଉଚ୍ଚତା ହରାଇଥିଲା। ଏହି ଘଟଣାରେ ୨୦ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଆହତ ହୋଇଥିଲେ। ପରେ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିଥିଲା। ଏହି ଘଟଣାର ତଦନ୍ତ ସମୟରେ ବିମାନର ପାଇଲଟ୍-ଇନ୍-କମାଣ୍ଡ ମାରିଜୁଆନା ନେଇଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା।
ଏୟାର ଇଣ୍ଡିଆ କହିଛି ଯେ ସୁରକ୍ଷା, ନିୟମ କିମ୍ବା କମ୍ପାନୀ ପ୍ରୋଟୋକଲ୍ର ଉଲ୍ଲଂଘନ ପ୍ରତି ତାର ‘ଜିରୋ ଟଲେରାନ୍ସ’ ନୀତି ରହିଛି। ନିଶ୍ଚିତ ଉଲ୍ଲଂଘନ ମିଳିଲେ ନିୟମ ଓ କମ୍ପାନୀ ନୀତି ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।