Ajit Agarkar Set For Unexpected BCCI Exit: ଅଜିତ ଅଗରକରଙ୍କ ବିଦାୟ ଚର୍ଚ୍ଚା, ବିସିସିଆଇର ନିରବତା ବଢ଼ାଇଲା ସସ୍ପେନ୍ସ
ଭାରତୀୟ କ୍ରିକେଟ୍ରେ ବଡ଼ ଖବର। ବିସିସିଆଇ ଚୟନ କମିଟି ଅଧ୍ୟକ୍ଷ ପଦରୁ ଅଜିତ ଅଗରକରଙ୍କ ବିଦାୟ ନେଇ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁସାରେ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ହ୍ୱାଇଟ୍ ବଲ୍ ସିରିଜ୍ ପାଇଁ ଦଳ ଚୟନ ବୈଠକ ସେପ୍ଟେମ୍ବର ୧୬ରେ ହେବାର ସମ୍ଭାବନା ରହିଛି।
କିନ୍ତୁ ଅଗରକରଙ୍କ ଭବିଷ୍ୟତକୁ ନେଇ ବିସିସିଆଇର ଶୀର୍ଷ ଅଧିକାରୀଙ୍କ ସହ କୌଣସି ଆଲୋଚନା ହୋଇନଥିବା ଦାବି କରାଯାଇଛି। ଫଳରେ ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଦଳ ଘୋଷଣା ହିଁ ଅଗରକରଙ୍କ ଶେଷ ଚୟନ ବୈଠକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଅଗରକରଙ୍କ ଚୁକ୍ତି ଅକ୍ଟୋବର ୪ ପର୍ଯ୍ୟନ୍ତ ରହିଛି। ତେବେ ତାଙ୍କୁ ଆଉ ଏକ ବର୍ଷର ଏକ୍ସଟେନ୍ସନ୍ ମିଳିବ କି ନାହିଁ, ସେନେଇ ସ୍ପଷ୍ଟତା ନାହିଁ। ପୂର୍ବରୁ ସେ ଆସନ୍ତା ବର୍ଷର ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ପଦରେ ରହିବେ ବୋଲି ରିପୋର୍ଟ ଆସିଥିଲା। କିନ୍ତୁ ଗତ କିଛି ସପ୍ତାହରେ ପରିସ୍ଥିତି ବଦଳିଥିବା କୁହାଯାଉଛି।
ପିଟିଆଇ ରିପୋର୍ଟ ଅନୁସାରେ, ୱେଷ୍ଟଇଣ୍ଡିଜ୍ ଦଳ ଚୟନ ପରେ ଅଗରକର ବିସିସିଆଇ ସଚିବ ଦେବଜିତ ସାଇକିଆଙ୍କୁ ଧନ୍ୟବାଦ ନୋଟ୍ ପଠାଇପାରନ୍ତି। ତିନି ବର୍ଷ କାମ କରିବାର ସୁଯୋଗ ଦେଇଥିବାରୁ ବୋର୍ଡକୁ ଧନ୍ୟବାଦ ଜଣାଇବା ନେଇ ଚର୍ଚ୍ଚା ହେଉଛି।
ତେବେ ବିସିସିଆଇ ଅଗରକରଙ୍କୁ ହଟାଇବା ନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ଦେଇନାହିଁ। ତେଣୁ ତାଙ୍କ ଭବିଷ୍ୟତ ଉପରେ ସସ୍ପେନ୍ସ ଜାରି ରହିଛି।
ଏପଟେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଋତୁରାଜ ଗାଏକ୍ୱାଡ୍ ଓ ରଜତ ପାଟିଦାରଙ୍କ ଭଳି ଖେଳାଳିଙ୍କୁ ଦଳରେ ସୁଯୋଗ ମିଳିପାରେ। ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳିବ। ଟି-୨୦ ସିରିଜ୍ ଅକ୍ଟୋବର ୬ରୁ ଆରମ୍ଭ ହେବାକୁ ଥିବାବେଳେ, ଅଗରକରଙ୍କ ଭବିଷ୍ୟତ ଉପରେ ସମସ୍ତଙ୍କ ନଜର ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।