Maharaja Hollywood Remake: ଚୀନ୍ରେ ସଫଳତା ପରେ ହଲିଉଡ୍ ଯିବ ମହାରାଜା, ବିଜୟ ସେଥୁପତିଙ୍କ ଭୂମିକାରେ ଏହି ସୁପରଷ୍ଟାର
ଦକ୍ଷିଣ ଭାରତୀୟ ସିନେମାର ଆଉ ଏକ ଫିଲ୍ମ ଏବେ ହଲିଉଡ୍ରେ ପହଞ୍ଚିବାକୁ ଯାଉଛି। ୨୦୨୪ରେ ରିଲିଜ୍ ହୋଇଥିବା ବିଜୟ ସେଥୁପତିଙ୍କ ତାମିଲ୍ ଥ୍ରିଲର୍ ‘ମହାରାଜା’ର ହଲିଉଡ୍ ରିମେକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି।
ଫିଲ୍ମର ଚୀନ୍ରେ ଭଲ ପ୍ରଦର୍ଶନ ପରେ ଏହାର ରିମେକ୍ ରାଇଟ୍ ପାଇଁ ଏକ ହଲିଉଡ୍ ଏଜେନ୍ସି ନିର୍ମାତାଙ୍କୁ ଯୋଗାଯୋଗ କରିଥିବା କହିଛନ୍ତି ପ୍ରଯୋଜକ ସୁଧନ ସୁନ୍ଦରମ। ଏବେ ଏଜେନ୍ସି ଜଣେ A-ଲିଷ୍ଟ ହଲିଉଡ୍ ଅଭିନେତାଙ୍କୁ ଫିଲ୍ମରେ ନେବାକୁ ଚେଷ୍ଟା କରୁଛି। ଆସନ୍ତା ବର୍ଷ ଫିଲ୍ମର ଶୁଟିଂ ଆରମ୍ଭ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।
ତେବେ ସୋସିଆଲ୍ ମିଡିଆରେ ଏହି ରିମେକ୍ରେ ହଲିଉଡ୍ ଷ୍ଟାର୍ ମ୍ୟାଥ୍ୟୁ ମ୍ୟାକକନାହେଙ୍କି ଅଭିନୟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ପ୍ରଯୋଜକ କହିଛନ୍ତି, ମ୍ୟାକକନାହେଙ୍କି ସମ୍ଭାବ୍ୟ ଅଭିନେତାଙ୍କ ମଧ୍ୟରେ ଥାଇପାରନ୍ତି, କିନ୍ତୁ କାଷ୍ଟ ଓ ଷ୍ଟୁଡିଓ ସମ୍ପର୍କରେ ଅଧିକାରିକ ସୂଚନା କେବଳ ସମ୍ପୃକ୍ତ ଏଜେନ୍ସି ହିଁ ଦେଇପାରିବ।
ଅର୍ଥାତ୍, ମ୍ୟାକକନାହେଙ୍କିଙ୍କ ନାଁ ଏବେ ମଧ୍ୟ କେବଳ ଚର୍ଚ୍ଚାରେ ରହିଛି। ଫିଲ୍ମର ଅଭିନେତା କିମ୍ବା ହଲିଉଡ୍ ଷ୍ଟୁଡିଓ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ।
ନିଥିଲନ୍ ସ୍ୱାମୀନାଥନ୍ଙ୍କ ନିର୍ଦ୍ଦେଶିତ ‘ମହାରାଜା’ରେ ବିଜୟ ସେଥୁପତି ଜଣେ ଚୁଟିକଟାଳି ଭୂମିକାରେ ଅଭିନୟ କରିଛନ୍ତି। ଏକ ନିଖୋଜ ଡଷ୍ଟବିନ୍କୁ ନେଇ ପୁଲିସ ଷ୍ଟେସନ୍ରେ ଅଭିଯୋଗ କରିବା ପରେ କାହାଣୀ ଧୀରେ ଧୀରେ ଏକ ଗମ୍ଭୀର ଓ ରୋମାଞ୍ଚକର ଘଟଣାକ୍ରମ ଆଡ଼କୁ ଗତି କରେ। ଅନୁରାଗ କଶ୍ୟପ ଏଥିରେ ଖଳନାୟକ ଭୂମିକାରେ ଥିବାବେଳେ, ସଞ୍ଚନା ନମିଦାସ୍ ବିଜୟଙ୍କ ଝିଅ ଭୂମିକାରେ ଅଭିନୟ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।