Ajit Agarkar-VVS Laxman Battle: ଭାରତୀୟ କ୍ରିକେଟ୍ରେ ବଡ଼ ହଲଚଲ! ଅଜିତ ଅଗରକର ଓ ଭିଭିଏସ୍ ଲକ୍ଷ୍ମଣ ମୁହାଁମୁହିଁ
ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଂଲଣ୍ଡ ସିରିଜ୍ର ବିଫଳତା ଓ ଆଗାମୀ ରଣନୀତି ନେଇ ମୁମ୍ବାଇରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଅଗରକର ଯୋଗ ଦେଇନଥିବା ଘଟଣା ଚର୍ଚ୍ଚାକୁ ଆହୁରି ବଢ଼ାଇଛି।
ଅଗରକର ଏବଂ ଭିଭିଏସ୍ ଲକ୍ଷ୍ମଣ ଦୀର୍ଘ ସମୟ ଧରି ଭାରତୀୟ ଦଳର ସାଥୀ ଥିଲେ। ଅଗରକର ୨୦୨୩ ଜୁଲାଇରୁ ମୁଖ୍ୟ ଚୟନକର୍ତ୍ତା ଥିବା ବେଳେ, ଲକ୍ଷ୍ମଣ ବିସିସିଆଇ ସେଣ୍ଟର ଅଫ୍ ଏକ୍ସେଲେନ୍ସର ମୁଖ୍ୟ ଅଛନ୍ତି। ଗୌତମ ଗମ୍ଭୀର ଅନ୍ୟ ଦାୟିତ୍ୱରେ ଥିବା ସମୟରେ ଲକ୍ଷ୍ମଣ ଭାରତୀୟ ଦଳର କୋଚ୍ ଭୂମିକା ମଧ୍ୟ ତୁଲାଇଛନ୍ତି।
ରିପୋର୍ଟ ଅନୁସାରେ, ଆହତ ଖେଳାଳିଙ୍କ ପାଇଁ ପଲିସୀ ଏବଂ ଇଣ୍ଡିଆ-ଏ ଦଳର ମ୍ୟାଚ୍ ସୂଚୀ ଭଳି କିଛି ପ୍ରସଙ୍ଗରେ ଅଗରକର ଓ ଲକ୍ଷ୍ମଣଙ୍କ ମତଭେଦ ରହିଥିଲା। ଖାସ୍ କରି ଇଣ୍ଡିଆ-ଏ ମ୍ୟାଚ୍ର ସୂଚୀ ଅନ୍ୟ ଅନ୍ତର୍ଜାତୀୟ ଓ ଘରୋଇ ପ୍ରତିଯୋଗିତା ସହ ମୁହାଁମୁହିଁ ହେବା ନେଇ ମଧ୍ୟ ମତଭେଦ ଥିବା ଚର୍ଚ୍ଚା ହେଉଛି।
ହାଙ୍ଗଝୋଉ ଏସିଆନ୍ ଗେମ୍ସରେ ପ୍ରଥମ ଦଳକୁ ପଠାଇବା ନେଇ ମଧ୍ୟ ଅଗରକରଙ୍କ ମତ ଅଲଗା ଥିବା କୁହାଯାଇଛି। ସେତେବେଳେ ରୁତୁରାଜ ଗାଏକୱାଡଙ୍କ ନେତୃତ୍ୱରେ ଦଳ ଖେଳିଥିଲା, କାରଣ ଭାରତୀୟ ମୁଖ୍ୟ ଦଳ ଦିନିକିଆ ବିଶ୍ୱକପ୍ରେ ବ୍ୟସ୍ତ ଥିଲା।
ଏହା ସହ କେନ୍ଦ୍ରୀୟ ଚୁକ୍ତିରେ ଥିବା ଆହତ ଖେଳାଳିଙ୍କ ଫେରିବା ସମୟ ସମ୍ପର୍କରେ ସ୍ପଷ୍ଟ ସମୟସୀମା ନଥିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା। ଆହତ ଖେଳାଳିଙ୍କ ତାଲିକା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଅବିଶ୍ୱାସ ବଢ଼ିଥିବା ରିପୋର୍ଟରେ ଦାବି କରାଯାଇଛି।
ତେବେ ଅଗରକରଙ୍କ ସମ୍ଭାବ୍ୟ ବିଦାୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ, ତାଙ୍କ ପଦ ଛାଡ଼ିବା ନେଇ ଅଫିସିଆଲ ଘୋଷଣାକୁ ଅପେକ୍ଷା କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।