Ajit Agarkar's Tenure Nears End: BCCIର ମୁଖ୍ୟ ଚୟନକର୍ତ୍ତା ପଦରୁ ଅଗରକରଙ୍କ ବିଦାୟ, ଦୌଡ଼ରେ ଦୁଇ ନାଁ

Sep 17, 2026 - 15:12
Ajit Agarkar's Tenure Nears End: BCCIର ମୁଖ୍ୟ ଚୟନକର୍ତ୍ତା ପଦରୁ ଅଗରକରଙ୍କ ବିଦାୟ, ଦୌଡ଼ରେ ଦୁଇ ନାଁ

ଭାରତୀୟ କ୍ରିକେଟ୍‌ର ଚୟନ କମିଟିକୁ ନେଇ ଆସିଛି ବଡ଼ ଖବର। BCCIର ମୁଖ୍ୟ ଚୟନକର୍ତ୍ତା ଭାବେ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେବାକୁ ଯାଉଛି। ସୂତ୍ର ଅନୁସାରେ, ତାଙ୍କ ସ୍ଥାନରେ ଦୁଇଜଣ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ନାଁ ଆଗରେ ରହିଛି।

ଆସନ୍ତା ଶୁକ୍ରବାର BCCIର ବାର୍ଷିକ ସାଧାରଣ ସଭା, ଅର୍ଥାତ୍ AGM ବସିବ। ଏହା ପୂର୍ବରୁ ଅଗରକରଙ୍କ କାର୍ଯ୍ୟକାଳ ବଢ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଆସନ୍ତା ବର୍ଷର ODI ବିଶ୍ୱକପ୍ ପର୍ଯ୍ୟନ୍ତ ତାଙ୍କୁ ଦାୟିତ୍ୱରେ ରଖାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ଥିଲା।

କିନ୍ତୁ ରିପୋର୍ଟ ଅନୁସାରେ BCCIର କିଛି ସଦସ୍ୟ ଅଗରକରଙ୍କ କାର୍ଯ୍ୟକାଳ ଆଉ ବଢ଼ାଇବା ସପକ୍ଷରେ ନାହିଁ। ଏପରିକି ବୁଧବାର ହୋଇଥିବା ଚୟନ ବୈଠକ ହିଁ ଅଗରକରଙ୍କ ଅଧ୍ୟକ୍ଷତାରେ ଶେଷ ବୈଠକ ହୋଇଥାଇପାରେ ବୋଲି ସୂତ୍ର କହିଛନ୍ତି।

ଅଗରକରଙ୍କ ଉତ୍ତରାଧିକାରୀ ଭାବେ ପୂର୍ବତନ ୱିକେଟକିପର୍ ପାର୍ଥିବ ପଟେଲ ଏବଂ ପୂର୍ବତନ ସ୍ପିନର୍ ପ୍ରଜ୍ଞାନ ଓଝାଙ୍କ ନାଁ ସବୁଠାରୁ ଆଗରେ ରହିଛି। ଦୁଇଜଣଙ୍କର ମଧ୍ୟ IPLରେ ତିନିଥର ଲେଖାଏଁ ଚାମ୍ପିଅନ୍ ହେବାର ଅଭିଜ୍ଞତା ରହିଛି।

ଏହି ମଧ୍ୟରେ ଭେଟେରାନ୍ ବ୍ୟାଟର୍ ରୋହିତ ଶର୍ମାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦଳରେ ସାମିଲ କରାଯାଇଛି। ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଏହି ଦଳ ବାଛିଛି। ତେବେ ରୋହିତଙ୍କ ଚୟନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ରିପୋର୍ଟ ଅନୁସାରେ, ଚୟନକର୍ତ୍ତାମାନେ ପୂର୍ବରୁ ରୋହିତଙ୍କୁ କହିଥିବା ଦାବି ହୋଇଥିଲା ଯେ ଆସନ୍ତା ଦିନିକିଆ ବିଶ୍ୱକପ୍ ପାଇଁ ସେମାନଙ୍କ ଯୋଜନାରେ ସେ ନାହାନ୍ତି।

ଇଂଲଣ୍ଡ ବିପକ୍ଷ ପୂର୍ବତନ ODI ସିରିଜ୍‌ରେ ଲଗାତାର କମ୍ ସ୍କୋର ପରେ ରୋହିତଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ବଢ଼ିଥିଲା। କିନ୍ତୁ ଶେଷ ODIରେ ରୋହିତଙ୍କ ଧମାକାଦାର ୧୩୮ ରନ୍‌ର ଇନିଂସ୍ ପରିସ୍ଥିତିକୁ ବଦଳାଇ ଦେଇଥିଲା।ଏହାପରେ BCCI ସଚିବ ଦେବଜିତ ସାଇକିଆ ରୋହିତଙ୍କ ଭବିଷ୍ୟତ ନେଇ ଆସିଥିବା ରିପୋର୍ଟକୁ ଖଣ୍ଡନ କରିଥିଲେ। ଚୟନକର୍ତ୍ତାଙ୍କ ଯୋଜନାରେ ଥିବା ପର୍ଯ୍ୟନ୍ତ ରୋହିତ ଭାରତ ପାଇଁ ଖେଳିବେ ବୋଲି ସେ କହିଥିଲେ।

ଏବେ ସମସ୍ତଙ୍କ ନଜର ଶୁକ୍ରବାରର BCCI AGM ଉପରେ। ଅଗରକରଙ୍କ କାର୍ଯ୍ୟକାଳ ବଢ଼ିବ କି, ନା ଭାରତୀୟ କ୍ରିକେଟ୍‌ର ଚୟନ କମିଟି ପାଇବ ନୂଆ ମୁଖିଆ, ସେ ନେଇ ଏବେ ଅପେକ୍ଷା। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।