Another Woman Officer Sparks Political Buzz: ଆଉ ଜଣେ ମହିଳା ଅଫିସରଙ୍କ ଇସ୍ତଫା, ଏବେ ରାଜନୀତି ମଇଦାନକୁ ଓହ୍ଲାଇବେ!
ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଲାଣି।
ଏହାରି ଭିତରେ ଆଉ ଜଣେ ସରକାରୀ ଅଧିକାରୀଙ୍କ ଚାକିରି ଛାଡ଼ିବା ଘଟଣା ନୂଆ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ଜିଏସଟି (GST) ଡେପୁଟି କମିଶନର ଅନୁପମା ସରୋଜଙ୍କ ସ୍ୱେଚ୍ଛାକୃତ ଅବସର (VRS) ମଞ୍ଜୁର ହୋଇଛି।
ତେବେ ଚାକିରିରୁ ଅବସର ନେବା ପରେ ସେ କ'ଣ ରାଜନୀତି ମଇଦାନକୁ ଓହ୍ଲାଇବେ?
ଆଗାମୀ ନିର୍ବାଚନରେ ଲଢ଼ିବେ କି?
ଏଭଳି ଅନେକ ପ୍ରଶ୍ନ ଏବେ ଉଠିବାରେ ଲାଗିଛି।
Advertisment ଚର୍ଚ୍ଚା ଅନୁସାରେ, ଅନୁପମା ସରୋଜ ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିପାରନ୍ତି।
ବିଶେଷକରି ସୀତାପୁର ଜିଲ୍ଲାର ସିଧୌଲି ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ିବା ନେଇ ଆଲୋଚନା ଜୋର ଧରିଛି।
ଏହି ଆସନଟି ଅନୁସୂଚିତ ଜାତି (SC) ବର୍ଗ ପାଇଁ ସଂରକ୍ଷିତ।
ତେବେ ଏନେଇ ଅନୁପମାଙ୍କ ପକ୍ଷରୁ କୌଣସି ଔପଚାରିକ ନିର୍ବାଚନୀ ଘୋଷଣା ହୋଇନାହିଁ।
ଅନୁପମାଙ୍କ ପାରିବାରିକ ପୃଷ୍ଠଭୂମି ମଧ୍ୟ ରାଜନୀତି ସହ ଜଡ଼ିତ।
ସେ ସମାଜବାଦୀ ପାର୍ଟିର ପୂର୍ବତନ ସାଂସଦ ସୁଶୀଳା ସରୋଜଙ୍କ ଝିଅ।
ଏହାସହ ସମାଜବାଦୀ ପାର୍ଟିର ମୁଖପାତ୍ର ଅନୁରାଗ ଭଦୌରିଆଙ୍କ ପତ୍ନୀ।
ତେଣୁ ତାଙ୍କ VRS ମଞ୍ଜୁରୀ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆହୁରି ବଢ଼ିଛି।
Advertisment ଏପଟେ ପୂର୍ବତନ IAS ଅଧିକାରୀ ଦିବ୍ୟା ମିତ୍ତଲଙ୍କ ନିଷ୍ପତ୍ତି ମଧ୍ୟ ଏହି ଚର୍ଚ୍ଚାକୁ ନୂଆ ମୋଡ଼ ଦେଇଛି।
ସରକାରୀ ଚାକିରିରୁ ଇସ୍ତଫା ଦେବା ପରେ ସେ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ସହ ନିଜ ଦଳ 'ଜନନୀତି ଭାରତ' ଗଠନ କରିଛନ୍ତି।
ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ ତାଙ୍କ ଦଳ ପ୍ରାର୍ଥୀ ଦେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆବଶ୍ୟକ ହେଲେ ରାଜ୍ୟର ସମସ୍ତ ୪୦୩ଟି ଆସନରେ ପ୍ରାର୍ଥୀ ଦେବାକୁ ମଧ୍ୟ ଦଳ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ତେବେ ଏବେ ସବୁଠାରୁ ବଡ଼ ପ୍ରଶ୍ନ, ଅନୁପମା ସରୋଜ ମଧ୍ୟ ଦିବ୍ୟା ମିତ୍ତଲଙ୍କ ଭଳି ଚାକିରି ପରେ ରାଜନୀତିକୁ ବାଛିବେ କି?
ନା ତାଙ୍କର ଅନ୍ୟ କିଛି ଯୋଜନା ରହିଛି?
ଏହାର ଉତ୍ତର ଆଗାମୀ ଦିନରେ ସ୍ପଷ୍ଟ ହେବ।
ହେଲେ ଦୁଇ ମହିଳା ଅଧିକାରୀଙ୍କ ନିଷ୍ପତ୍ତି ଉତ୍ତରପ୍ରଦେଶ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।