Antyodaya Yojana: ଅନ୍ତ୍ୟୋଦୟ ଯୋଜନାରେ ୨,୯୧,୬୬୬ ନୂଆଘର
ଭୁବନେଶ୍ୱର: ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆଘର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହି ଯୋଜନାର କାର୍ଯ୍ୟକାଳ ୨ ବର୍ଷ ୨୦୨୭ ପରିବର୍ତ୍ତେ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟରେ ସମସ୍ତଙ୍କ ପାଇଁ ଘର ଯୋଗାଇ ଦେବାର ଲକ୍ଷ୍ୟ ଖୁବ୍ଶୀଘ୍ର ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଯୋଜନାର ସମୁଦାୟ ପ୍ରକଳ୍ପ ଖର୍ଚ୍ଚ ୭,୫୫୦ କୋଟି ଟଙ୍କା ଅପରିବର୍ତ୍ତିତ ରହିବ। ପ୍ରକଳ୍ପର ୩,୫୦୦ କୋଟି ଟଙ୍କା ମରାମତି ଅଂଶଧନକୁ ନୂଆଘର ନିର୍ମାଣ ବାବଦରେ ବିନିଯୋଗ କରାଯିବ। ଏହି ଯୋଜନାରେ ଯେଉଁ ହିତାଧିକାରୀମାନେ ୪୮,୫୦୦ ଟଙ୍କା କିମ୍ବା ତା’ଠାରୁ କମ୍ ପାଇଥିବେ ସେମାନଙ୍କ ସହିତ ଅନ୍ୟ ଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହୋଇପାରିବେ। ନୂଆ ହିତାଧିକାରୀ ଚିହ୍ନଟ ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗକୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଯୋଜନାରେ ପୂର୍ବ ନିର୍ଦ୍ଧାରିତ ପ୍ରୋତ୍ସାହନ ରାଶି ପରିମାଣ ବୃଦ୍ଧି କରାଯାଇଛି। ପୂର୍ବରୁ ୪ ମାସରେ ଘର ଶେଷ କରୁଥିବା ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ମିଳୁଥିବା ବେଳେ ଏବେ ୫ ମାସରେ ଘର ଶେଷ କଲେ ୩୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ସେହିପରି ୬ ମାସରେ ଘର ଶେଷ କରୁଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ମିଳୁଥିବା ବେଳେ ଏବେ ୭ ମାସରେ ଘର ଶେଷ କଲେ ୨୦ ହଜାର ଟଙ୍କା ମିଳିବ। ଏହାଦ୍ୱାରା ଆହୁରି ଅଧିକ ବ୍ୟକ୍ତି ଏହି ଯୋଜନାର ଲାଭ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟତଃ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇନଥିବେ ତଥା ଗରିବ ଓ ଅସହାୟ ପରିବାର ହୋଇଥିବେ, ସେମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।