Argentina: ମେସିଙ୍କୁ ଆର୍ଜେଣ୍ଟିନାର ଭାବପ୍ରବଣ ବିଦାୟ: ଅଶ୍ରୁ, ଆତସବାଜି ଓ ଶେଷ ଗୋଲ୍
"ବୁଏନସ୍ ଏୟାରିସ: ସ୍ଥାନୀୟ ଏଷ୍ଟାଡିଓ ମୋନୁମେଣ୍ଟାଲ୍ ଏରିନାରେ ବୁଧବାର ଲେଖାଯାଇଛି ଆର୍ଜେଣ୍ଟିନା ଫୁଟବଲ୍ର ଏକ ଭାବପ୍ରବଣ ଅଧ୍ୟାୟ।
କେବଳ ଏହି ଦେଶ ନୁହେଁ, ସମଗ୍ର ବିଶ୍ବର ମହାନ ଫୁଟବଲ୍ ତାରକା ଲିଓନେଲ୍ ମେସି ନିଜ ଘରୋଇ ମାଟିରେ ଶେଷ ଥର ପାଇଁ ଆର୍ଜେଣ୍ଟିନା ଜାତୀୟ ଦଳ ଲାଗି ମୈଦାନକୁ ଓହ୍ଲାଇଲେ।
ପଶ୍ଚିମ ଆଫ୍ରିକୀୟ ଦେଶ ବେନିନ୍ ବିପକ୍ଷ ଏହି ମ୍ୟାଚ୍ କେବଳ ଏକ ଫୁଟବଲ୍ ମ୍ୟାଚ୍ ନଥିଲା, ଏହା ଥିଲା ଆର୍ଜେଣ୍ଟିନାର ସୁପରିଚିତ ମେସିଙ୍କ "୧୦ ନମ୍ବର ଜର୍ସି"କୁ ଆବେଗଭରା ବିଦାୟର ବଡ଼ ମଞ୍ଚ।
Advertisment Messi And Ronaldo: ଏକାଠି ଖେଳିବେ ମେସି, ରୋନାଲ୍ଡୋ ଷ୍ଟାଡିୟମ୍ରେ ହଜାର ହଜାର ସମର୍ଥକ ଆର୍ଜେଣ୍ଟିନାର ନୀଳ-ଧଳା ଜର୍ସି ପିନ୍ଧି ମେସିଙ୍କୁ ଶେଷ ଥର ଜାତୀୟ ଦଳର ଜର୍ସିରେ ଦେଖିବାକୁ ଏକାଠି ହୋଇଥିଲେ।
ଷ୍ଟାଡିୟମ୍ ଭିତରେ ଏକ ବିଶାଳ ୧୦ ନମ୍ବର ଜର୍ସିରେ "ଗ୍ରେସିଅସ୍" ଲେଖାଯାଇଥିଲା।
ଏହି ଗୋଟିଏ ଶବ୍ଦ ହିଁ ମେସିଙ୍କ ପ୍ରତି ଆର୍ଜେଣ୍ଟିନାବାସୀଙ୍କ ଭାବନାକୁ ପ୍ରକାଶ କରୁଥିଲା।
ମେସି ତାଙ୍କ ତିନି ପୁଅ ଥିଆଗୋ, ମାତିଓ ଓ ସିରୋଙ୍କ ସହ ମୈଦାନକୁ ପ୍ରବେଶ କରିବା ମାତ୍ରେ ଷ୍ଟାଡିୟମ୍ରେ ଆତସବାଜି ଫୁଟିଥିଲା।
ଜାତୀୟ ସଙ୍ଗୀତ ବାଜିବା ସମୟରେ ମେସି ଭାବବିହ୍ୱଳ ହୋଇ ଲୁହକୁ ରୋକିପାରି ନଥିଲେ।
ପ୍ରଶିକ୍ଷକ ଲିଓନେଲ୍ ସ୍କାଲୋନି ମଧ୍ୟ ନିଜ ଭାବନାକୁ ଲୁଚାଇ ପାରି ନଥିଲେ।
ପୁଣି ମେସି ମାୟାରେ ବୁଡ଼ିଲେ ସମର୍ଥକ, "୧୦ ନମ୍ବର ଜର୍ସି"ର ଅବସର ମ୍ୟାଚ୍ ଆରମ୍ଭ ହେବା ପରେ ମେସି ନିଜ ଚିର ପରିଚିତ ଶୈଳୀରେ ଧୀରେ ଧୀରେ ଖେଳକୁ ନିୟନ୍ତ୍ରଣ କରିବାକୁ ଲାଗିଥିଲେ।
ଦଶମ ମିନିଟ୍ରେ ମେସିଙ୍କ ସମ୍ମାନରେ ଆଉ ଏକ ବିଶେଷ ଆୟୋଜନ ହୋଇଥିଲା।
ଆତସବାଜିରେ ଆକାଶ ଆଲୋକିତ ହୋଇଥିବା ବେଳେ ଦର୍ଶକମାନେ ଦଣ୍ଡାୟମାନ ହୋଇ ନିଜ ପ୍ରିୟ ଖେଳାଳିଙ୍କୁ ସମ୍ମାନ ଜଣାଇଥିଲେ।
ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ବଲ୍ ଦଖଲରେ ଆଗରେ ରହିଥିଲେ ମଧ୍ୟ ବେନିନ୍ ଦୃଢ଼ ପ୍ରତିରୋଧ କରିଥିଲା।
ଫଳରେ ଏହି ଅର୍ଦ୍ଧ ଗୋଲ୍ଶୁନ୍ୟ ରହିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ପରେ ଆର୍ଜେଣ୍ଟିନା ତା"ର ଆକ୍ରମଣକୁ ଆହୁରି ତୀବ୍ର କରିଥିଲା।
ମେସିଙ୍କ ଚମତ୍କାର କ୍ରସ୍ରୁ ନିକୋଲାସ୍ ଓଟାମେଣ୍ଡି ଗୋଲ୍ କରି ଆର୍ଜେଣ୍ଟିନାକୁ ଆଗୁଆ କରିଥିଲେ।
ଏହି ଗୋଲ୍ ଓଟାମେଣ୍ଡିଙ୍କ ପାଇଁ ମଧ୍ୟ ବିଶେଷ ଥିଲା, କାରଣ ଏହା ତାଙ୍କର ମଧ୍ୟ ଆର୍ଜେଣ୍ଟିନା ପାଇଁ ଶେଷ ମ୍ୟାଚ୍ ଥିଲା।
ପରେ ସେ ବଦଳି ହୋଇ ମୈଦାନ ଛାଡ଼ିଥିଲେ।
ଏହା ପରେ ନିକୋ ପାଜ୍ ଏକ ଚମତ୍କାର ଗୋଲ୍ କରି ଆର୍ଜେଣ୍ଟିନାର ଅଗ୍ରଣୀକୁ ୨-୦ କରିଥିଲେ।
ତଥାପି ଷ୍ଟାଡିୟମ୍ର ଅପେକ୍ଷା ଆଉ କିଛି ପାଇଁ ଥିଲା, ତାହା ହେଲା ମେସିଙ୍କ ଗୋଲ୍।
୬୯ତମ ମିନିଟ୍ରେ ଆର୍ଜେଣ୍ଟିନା ପେନାଲ୍ଟି ପାଇଥିଲା।
କିଛି ସମୟର ମନ୍ତ୍ରଣା ପରେ ମେସି ବଲ୍କୁ ପେନାଲ୍ଟି ସ୍ପଟ୍ରେ ରଖିଲେ।
ମୋନୁମେଣ୍ଟାଲ୍ରେ ହଜାର ହଜାର ଲୋକ ନିଶ୍ୱାସ ଅଟକାଇ ତାଙ୍କ ବିଦାୟୀ ଗୋଲ୍କୁ ଅପେକ୍ଷା କରିଥିଲେ।
ତା"ପରେ ମେସିଙ୍କ ଶକ୍ତିଶାଳୀ ସଟ୍ ସିଧା ଗୋଲ୍ପୋଷ୍ଟ୍ର ଉପର ଡାହାଣ କୋଣକୁ ଚାଲିଗଲା।
ସମଗ୍ର ଷ୍ଟାଡିୟମ୍ କମ୍ପି ଉଠିଥିଲା।
ଆର୍ଜେଣ୍ଟିନା ପାଇଁ ଶେଷ ଗୋଲ୍ରେ ପ୍ରାୟ ଦୁଇ ଦଶନ୍ଧି ଧରି ଅସଂଖ୍ୟ ସ୍ମରଣୀୟ ମୁହୂର୍ତ୍ତ ଦେଇଥିବା ଏହି ମହାନ ଖେଳାଳିଙ୍କ ପାଇଁ ବୁଧବାର ରାତି ଏକ ଅବିସ୍ମରଣୀୟ ବିଦାୟ ହୋଇ ରହିଗଲା।
ଏହି ମ୍ୟାଚ୍କୁ ୩-୦ରେ ଜିତି ଆର୍ଜେଣ୍ଟିନା ଦଳ ମଧ୍ୟ ତାଙ୍କୁ ଉଚିତ ବିଦାୟ ଦେଇଥିଲା।
Protest: ସିଇସି ବିରୋଧରେ ଆନ୍ଦୋଳନ ଜାରି ରଖିବେ ଛାତ୍ର ସଂଗଠନ, ସିଜେପି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।