Rice: ଚାଉଳ ଗ୍ରହଣ ବନ୍ଦ କରିଦେଇଛନ୍ତି: ୧୦.୧୫ ଲକ୍ଷ ଟନ୍ କ୍ରୟ ପରେ ବନ୍ଦ
ସମ୍ବଲପୁର (ଗାର୍ଗୀ ଶତପଥୀ): ଚାଉଳ ଗ୍ରହଣ ବନ୍ଦ କରିଦେଇଛି ରାଜ୍ୟ ଖାଦ୍ୟଶସ୍ୟ ଭଣ୍ଡାର। ଚଳିତ ବର୍ଷ ଆବଶ୍ୟକତା ଅନୁସାରେ, ଯୋଗାଣ ନିଗମ ଚାଉଳ କ୍ରୟ କରିସାରିଥିବାରୁ ଆଉ ଚାଉଳ ଗ୍ରହଣ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସମ୍ପର୍କରେ ଯୋଗାଣ ନିଗମ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଏହାକୁ ବିଶ୍ବାସ କରାଯାଇ ପାରୁ ନାହିଁ। ଏତେ ବଡ଼ ନିଷ୍ପତ୍ତି ପରେ ରାଜ୍ୟ ଯୋଗାଣ ନିଗମ ମଧ୍ୟ ଏହାକୁ ନେଇ ଅହରହ ବୈଠକ କରୁଛି। ଆବଶ୍ୟକ କ୍ଷେତ୍ରରେ ଏହାକୁ ବାତିଲ କରିବା ପାଇଁ ମଧ୍ୟ କିଛି ଅଧିକାରୀ ମତ ଦେଉଥିବା ଜଣାପଡ଼ିଛି। ଅନ୍ୟଦିଗରେ ଅଚାନକ ଭାବରେ ଶସ୍ୟ ଭଣ୍ଡାର ଚାଉଳ ନେବା ବନ୍ଦ କରିଦେବାରୁ ଧାନ ସଂଗ୍ରହ ବ୍ୟବସ୍ଥା ସହିତ ବିଭିନ୍ନ ପ୍ରକାର ଖାଦ୍ୟ ଯୋଜନାକୁ ପ୍ରଭାବିତ ଏବଂ କେନ୍ଦ୍ର ଉପରେ ନିର୍ଭରଶୀଳତାକୁ ବଢ଼ାଇବା ନେଇ ଆଶଙ୍କା ରହିଛି। ଯୋଗାଣ ନିଗମର ସୂଚନା ଅନୁସାରେ, ଚଳିତ ବର୍ଷ ୭୭ ଲକ୍ଷ ୪୮ ହଜାର ୦୮୩ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି।
Rice crop disease: ଧାନ ଫସଲରେ ପତ୍ରପଡା ରୋଗ, ଚିନ୍ତାରେ ଚାଷୀ
ନିୟମ ଦୃଷ୍ଟିରୁ ଏଥିରୁ ୫୨ ଲକ୍ଷ ୪୯ ହଜାର ୮୮୭ ମେଟ୍ରିକ ଟନ୍ କଷ୍ଟମମିଲିଂ ଚାଉଳ ଉତ୍ପାଦିତ ହେବ। ଏଥିରୁ ରାଜ୍ୟ ଖାଦ୍ୟଶସ୍ୟ ଭଣ୍ଡାର ୧୦ ଲକ୍ଷ ୧୫ ହଜାର ୮୨୭ ମେଟ୍ରିକ୍ ଟନ୍ ଚାଉଳ ଗ୍ରହଣ ପରେ ଅଚାନକ ବନ୍ଦ କରିଦେଇଛି। ଆଶ୍ଚର୍ଯ୍ୟଜନକ ଭାବରେ ସର୍ବାଧିକ ଧାନ ଉତ୍ପାଦନ କରୁଥିବା ବରଗଡ଼ ଜିଲ୍ଲାରୁ ଦ୍ବିତୀୟ ସର୍ବନିମ୍ନ ଅର୍ଥାତ ମାତ୍ର ୬୪୮୦ ମେଟ୍ରିକ ଟନ୍ ଚାଉଳ ରାଜ୍ୟ ଖାଦ୍ୟଭଣ୍ଡାର ନେଇଛି। ତାହା ଘଟଣାକୁ ଆହୁରି ରହସ୍ୟାବୃତ କରିଛି। ଫଳରେ ବରଗଡ଼ ଉପରେ ନିର୍ଭରଶୀଳ ଅନ୍ୟ ୫ ଜିଲ୍ଲାକୁ ଚାଉଳ ଯୋଗାଣ ବନ୍ଦ ହେବାର ଆଶଙ୍କା ରହିଛି। ଆଇସିଡିଏସ୍, ଜେଲ୍, ସ୍କୁଲ୍ ଏମ୍ଡିଏମ୍ ଚାଉଳ ପାଇଁ କେନ୍ଦ୍ର ଉପରେ ନିର୍ଭରଶୀଳ ହେବା ନେଇ ଆଶଙ୍କା ରହିଛି।
ସର୍ବୋପରି ଜଟିଳ ହୋଇପଡ଼ିଥିବା ବରଗଡ଼ର ଧାନ ସଂଗ୍ରହ ପ୍ରକ୍ରିୟା ଆହୁରି ଅନିଶ୍ଚିତ ହେବ। ଅନ୍ୟତମ ଧାନ ଉତ୍ପାଦନକାରୀ ସୁବର୍ଣ୍ଣପୁର ଜିଲ୍ଲାର
ଖାଦ୍ୟଭଣ୍ଡାରରେ ମଧ୍ୟ ୬୪୮୦ ମେଟ୍ରିକ୍ ଟନ୍ ଚାଉଳ, କନ୍ଧମାଳରେ ସର୍ବନିମ୍ନ ୧୩୮୮ ମେଟ୍ରିକ୍ ଟନ୍, ସମ୍ବଲପୁରରେ ୨୮ ହଜାର ୩୧୪ ମେଟ୍ରିକ୍ ଟନ୍, କଳାହାଣ୍ଡିରେ ୨୧ ହଜାର ୭୭୪ ମେଟ୍ରିକ୍ ଟନ୍ ଏବଂ ଗଞ୍ଜାମରେ ସର୍ବାଧିକ ୮୪ ହଜାର ୪୦ ମେଟ୍ରିକ୍ ଟନ୍ ଚାଉଳ ରହିଛି। ସୂଚନା ଅନୁଯାୟୀ, ଖରିଫ ଧାନ ସଂଗ୍ରହକୁ ମାତ୍ର ଗୋଟିଏ ମାସ ବାକି ରହିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୬ ପ୍ରତିଶତ କଷ୍ଟମମିଲିଂ ଡେଲିଭର ବାକି ରହିଛି। ୨୦୨୫-୨୬ ବର୍ଷ କେଏମ୍ଏସ୍ ଅନୁସାରେ, ରାଜ୍ୟରେ ସମୁଦାୟ ୨୯ ଲକ୍ଷ ୬୫ ହଜାର ୩୯୯ ମେଟ୍ରିକ୍ ଟନ୍ର କଷ୍ଟମମିଲିଂ ଚାଉଳ ଆର୍ଆର୍ସି ଏବଂ ଏଫ୍ସିଆଇ ନେଇଛନ୍ତି। ଯାହାକି ଗତବର୍ଷଠାରୁ ଆହୁରି କମ୍ ଅଟେ। ଗତବର୍ଷ ଏହି ସମୟରେ ଏଫ୍ସିଆଇ ୧୭ ଲକ୍ଷ ୮୧ ହଜାର ୦୬୪ ମେଟ୍ରିକ୍ ଟନ୍ କଷ୍ଟମମିଲିଂ ଚାଉଳ ଗ୍ରହଣ କରିଥିଲା। କିନ୍ତୁ ଚଳିତ ବର୍ଷ ମାତ୍ର ୯ ଲକ୍ଷ ୩୪ ହଜାର ୪୬୯ ମେଟ୍ରିକ୍ ଟନ୍ ନେଇଛି। ଆର୍ଆର୍ସି ବା ରାଜ୍ୟ ଖାଦ୍ୟଶସ୍ୟ ଗ୍ରହଣ କେନ୍ଦ୍ର ଗତବର୍ଷ ୨୧ ଲକ୍ଷ ୨୬ ହଜାର ୧୯୭ ମେଟ୍ରିକ୍ ଟନ୍ ନେଇଥିବା ବେଳେ ଚଳିତ ବର୍ଷ ୨୦ ଲକ୍ଷ ୩୦ ହଜାର ୯୩୦ ମେଟ୍ରିକ୍ ଟନ୍ ନେଇଛି। ବୋନସ୍ ବ୍ୟବସ୍ଥା ଲାଗୁ ହେବା ପରେ କ୍ରମାଗତ ଭାବରେ କଷ୍ଟମମିଲିଂ ଚାଉଳ ଗ୍ରହଣକୁ ନେଇ ସମସ୍ୟା ଲାଗିରହୁଛି। ଏଫ୍ସିଆଇ ଏଥିପାଇଁ ସମସ୍ୟା କରୁଥିବାରୁ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ବଢ଼ୁଛି। ବର୍ତ୍ତମାନ ରାଜ୍ୟ ଖାଦ୍ୟଶସ୍ୟ ଭଣ୍ଡାର ଚାଉଳ କ୍ରୟ ବନ୍ଦ କରିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।