Mining operations: ଖଣି ଆଁରେ ପଶିଲା ମଶାଣି: ଘର ଆଗରେ ସ୍ବାମୀଙ୍କୁ କବର
କାଳିଆପାଣି (ରବିନାରାୟଣ କର): ସବୁକିଛି ନେଇଗଲା ଖଣି। ଜଙ୍ଗଲ, ପାହାଡ଼, ନଦୀ, ଝରଣା ଖଣି ଆଁରେ ପଶିଗଲାଣି। ଯେଉଁଠି ଦିନେ ମହାବଳ ବାଘ, ବିରଳ ବନ୍ୟଜନ୍ତୁଙ୍କ ବିଚରଣ ଭୂଇଁ ଥିଲା ସେ ଅଞ୍ଚଳ ଏବେ ପଦା। ଖଣି ପାଇଁ ଜଙ୍ଗଲ ନଷ୍ଟ ହେବା ସହିତ ଜୈବ ବିବିଧତା ବି ନଷ୍ଟ ହେଲା। ଖଣି ଖନନ କରୁଥିବା ଲିଜ୍ଧାରୀଙ୍କ ପେଟ ପୂରିଲା, ସରକାର ଭଲ ରାଜସ୍ବ ପାଇଲେ ହେଲେ କ୍ଷତି ସହିଲେ ସ୍ଥାନୀୟ ଲୋକ। ଏବେ ଖଣି ପାଇଁ ବଢ଼ୁଥିବା ପ୍ରଦୂଷଣ କାରଣରୁ ଲୋକଙ୍କ ଜୀବନ ଯାଉଛି। ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଅକାଳରେ ଲୋକଙ୍କ ପ୍ରାଣହାନି ଘଟୁଛି। ଅପପୁଷ୍ଟି, ମାତୃ ଓ ଶିଶୁ ମୃତ୍ୟୁହାରରେ ସୁକିନ୍ଦା ବା କାଳିଆପାଣି ଖଣି ଅଞ୍ଚଳ ସବୁଠୁ ଆଗରେ ରହିଛି। ନାନାପ୍ରକାର ସମସ୍ୟାରେ ଛନ୍ଦି ହୋଇଥିବା କାଳିଆପାଣି ଅଞ୍ଚଳରେ ଆଉ ଏକ ଛାତିଥରା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି। ଖଣି ଯୋଗୁଁ ଗାଁରେ ମଶାଣି ନାହିଁ। ଖ୍ରୀଷ୍ଟିଆନ ସଂପ୍ରଦାୟଙ୍କ କବରଖାନା (ସିମେଟ୍ରି) ଖଣି ତଳେ ପୋତି ହୋଇଯାଇଛି। ଏହି କାରଣରୁ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଶବକୁ ନିଜ ଘର ସାମନାରେ କବର ଦେବାକୁ ବାଧ୍ୟ ହୋଇଛନ୍ତି। ଶ୍ମଶାନ ନ ମିଳିବାରୁ ମହିଳାଜଣକ ବାଧ୍ୟ ହୋଇ ଏଭଳି କରିଛନ୍ତି।
Judgement: ସିଇସି ନିଯୁକ୍ତି ଆଇନ ମାମଲା: ବିଭାଜିତ ରାୟ ପ୍ରତ୍ୟାହାର ପାଇଁ ଆବେଦନ
ଏହାକୁ ନେଇ ଖ୍ରୀଷ୍ଟିଆନ ସଂପ୍ରଦାୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତଥ୍ୟ ମୁତାବକ, କିଡ୍ନି ରୋଗରେ କାଳିଆପାଣି ଚିରିଗୁଣିଆ ମାଝିସାହିର ଛଟେଇ ଖଣି ଶ୍ରମିକ ଲେଲସାନ ଟପ୍ନୋ ଓରଫ ଟୁନା(୩୮)ଙ୍କର ଅକାଳ ମୃତ୍ୟୁ ହୋଇଥିଲା। କଟକ ବଡ଼ଡାକ୍ତରଖାନାରୁ ମୃତଶରୀର ଚିରିଗୁଣିଆ ମାଝିସାହିସ୍ଥିତ ଘରେ ପହଞ୍ଚିବା ପରେ ସ୍ବାମୀଙ୍କ ଶେଷକୃତ୍ୟକୁ ନେଇ ପତ୍ନୀ ହୀରାମଣିଙ୍କ ଦୁଶ୍ଚିନ୍ତା ବଢ଼ିଥିଲା। ଶେଷକୃତ୍ୟ ପାଇଁ ଶ୍ମଶାନ ନଥିଲା। ଖଣି ଲିଜ୍ ଏରିଆରେ ଥିବା ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର କବରଖାନା ୩ ବର୍ଷ ତଳୁ ଖଣିର ମାଟି ଡମ୍ପ୍ ତଳେ କବର ନେଇସାରିଛି। ଏପଟେ ପୈତୃକ ଗାଁ ଝାଡ଼ଖଣ୍ଡ ରାଜ୍ୟ ସିମଡେଗା ଜିଲ୍ଲା କୋଲେବିରା ଥାନା କରମଘାଟ୍ରେ ପହଞ୍ଚିବାକୁ ଦିନଟିଏ ଲାଗିଯିବ। ହାତରେ ଟଙ୍କାଟିଏ ନଥିବାବେଳେ ମରଶରୀର ଗାଁକୁ ନେବା ପାଇଁ ଗାଡ଼ିଭଡ଼ା ୩୫ ହଜାର ଟଙ୍କା ଶୁଣି ହୀରାମଣି ଅସହାୟ ହୋଇ ପଡ଼ିଥିଲେ। ସୀମିତ ସମ୍ବଳରେ ସ୍ବାମୀଙ୍କ ଚିକିତ୍ସା ଓ ଶବ ଆଣିବାକୁ ନିଅଣ୍ଟ ଥିଲା। ବାଧ୍ୟହୋଇ ମହିଳା ଜଣକ ତାଙ୍କର ଦୁଇ ପୁଅ, ସଂପର୍କୀୟ ଓ ବନ୍ଧୁବାନ୍ଧବଙ୍କ ସହଯୋଗରେ ନିଜ ଘର ଅଗଣାରେ ଗାତ ଖୋଳି ସ୍ବାମୀଙ୍କ ମରଶରୀରକୁ କବର ଦେଇଥିଲେ। ଏହାକୁ ନେଇ କାଳିଆପାଣି ଖଣି ଅଞ୍ଚଳରେ ବସବାସ କରୁଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
Tribal student: ୧୧ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳିଲା ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍
ସୂଚନାଯୋଗ୍ୟ ଯେ, କାଳିଆପାଣି ଖଣି ଅଞ୍ଚଳରେ ଗସନର ଇଭାଞ୍ଜେଲିକାଲ ଲୁଥରାନ ଓ ରୋମାନ କ୍ୟାଥଲିକ୍ ସମ୍ପ୍ରଦାୟର ୪୦ରୁ ଅଧିକ ଖ୍ରୀଷ୍ଟିଆନ ପରିବାର ୫୦ ବର୍ଷ ହେଲା ବସବାସ କରି ଆସୁଛନ୍ତି। କୋଳିପଶି ଚିରିଗୁଡ଼ା ବସ୍ତି ପାଖରେ ଥିବା କବରସ୍ଥାନକୁ ବ୍ୟବହାର କରୁଥିଲେ। ସେଠାରେ ୫୦ରୁ ଅଧିକ କବର ରହିଛି। ଶେଷଥର ପାଇଁ ୨୦୨୧ ନଭେମ୍ବର ୨୧ରେ ଏଠାରେ ଜଣଙ୍କୁ କବର ଦିଆଯାଇଥିଲା। ଏବେ ଉକ୍ତ ଶ୍ମଶାନ କ୍ରିୟାଶୀଳ ଖଣି ଲିଜ୍ ଏରିଆର ମାଟି ଡମ୍ପ୍ରେ ପୋତି ହୋଇଯାଇଛି। ଏଠାରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ସ୍ବତନ୍ତ୍ର କବରସ୍ଥାନ ପାଇଁ ଉଦ୍ୟମ କରାଯାଇଥିଲେ ହେଁ ଏଯାଏଁ ତାହା ହୋଇପାରିନାହିଁ। ମୃତ୍ୟୁପରେ ଶବକୁ ସମ୍ମାନର ସହ ସଂସ୍କାର ପାଇଁ ପ୍ରଶାସନ ବ୍ୟବସ୍ଥା କରିବାକୁ ଦାବି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।