03 SEPTEMBER 2026

Welcome!

Unlock your personalized experience.
Sign Up

Ashutosh Parida: ଆଶୁତୋଷ ପରିଡ଼ାଙ୍କୁ ଶାରଳା ପୁରସ୍କାର

Aug 20, 2026 - 06:40
Ashutosh Parida: ଆଶୁତୋଷ ପରିଡ଼ାଙ୍କୁ ଶାରଳା ପୁରସ୍କାର
ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ କବି, ପ୍ରାବନ୍ଧିକ ତଥା ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ପୂର୍ବତନ ବୈଜ୍ଞାନିକ ଆଶୁତୋଷ ପରିଡ଼ା ଚଳିତ ବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବେ। ପ୍ରଭା ପବ୍ଲିକେସନ୍‌ ଦ୍ୱାରା ୨୦୨୪ ମସିହାରେ ପ୍ରକାଶିତ ତାଙ୍କର କବିତା ସଙ୍କଳନ ‘ବିଶ୍ୱାସ ଦେ’ ପୃଥ୍ବୀ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ସାମାଜିକ ଶାଖା ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ’ (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ୱତ କୃତି ଲାଗି ‘ଶାରଳା ପୁରସ୍କାର’ ଘୋଷଣା କରାଯାଇଆସୁଛି। ଆସନ୍ତା ଅକ୍ଟୋବର ୨୫ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଲେଖକଙ୍କୁ ମାନପତ୍ର, ତାମ୍ରଫଳକ ଓ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।
ଏହି ବିଚାର ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟରେ ୭ଟି ବହି ସ୍ଥାନ ପାଇଥିଲା। ପୁସ୍ତକ ମନୋନୟନ କମିଟିରେ ଇନ୍ଦିରା ଦାଶ, ପ୍ରତୀକ୍ଷା ଜେନା, ଅମୀୟ ବେଜ, ପ୍ରଦୀପ କୁମାର ପଣ୍ଡା ଓ ଅଭୟ ନାୟକ ସଦସ୍ୟ ଥିଲେ। ବିଚାରକ ମଣ୍ଡଳୀରେ ସୁଚେତା ମିଶ୍ର, ହୃଷୀକେଶ ମଲ୍ଲିକ, ସଂଗ୍ରାମ ଜେନା, ସ୍ୱପ୍ନା ମିଶ୍ର, ପ୍ରଫେସର ନଟବର ଶତପଥୀ, ସରୋଜିନୀ ସାହୁ ଓ ଅଜୟ କୁମାର ମହାପାତ୍ର ସାମିଲ ଥିଲେ। ଏହାବ୍ୟତୀତ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ‘ଇମ୍ପାକ୍ଟ’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ଘୋଷଣା କରାଯାଇଛି। ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର ଓ ଶିଳ୍ପୀ ଦାମୋଦର ବେହେରାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଉଭୟଙ୍କୁ ମାନପତ୍ର, ତାମ୍ରଫଳକ ସହ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ପ୍ରଦର୍ଶନୀ କଳା ପାଇଁ ଗୁରୁ ପୁଷ୍ପିତା ମିଶ୍ର, ନାଜିଆ ଆଲାମ ଓ ସୁରମଣି ଅଭିରାମ ନନ୍ଦ ବିଚାରକ ଥିଲା ବେଳେ ଦୃଶ୍ୟ କଳା ପାଇଁ ପଞ୍ଚମୀମାନୁ ଉକିଲ, ସଙ୍ଗୀତା ପଟ୍ଟନାୟକ ଓ ବୈଜୟନ୍ତ କୁମାର ଦାଶ ବିଚାରକ ଭାବେ ଚୟନ ପ୍ରକ୍ରିୟା ପରିଚାଳନା କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।