Azad’s 15-Year Ordeal Ends: ୧୫ ବର୍ଷ ପରେ ଆଜାଦ୍ ହେଲେ ଆଜାଦ୍, CBI ତଦନ୍ତ ଦାବି କଲେ ସ୍ବାମୀଜୀଙ୍କ ଅନୁଗତ

Aug 19, 2026 - 20:33
Azad’s 15-Year Ordeal Ends: ୧୫ ବର୍ଷ ପରେ ଆଜାଦ୍ ହେଲେ ଆଜାଦ୍, CBI ତଦନ୍ତ ଦାବି କଲେ ସ୍ବାମୀଜୀଙ୍କ ଅନୁଗତ

୧୫ ବର୍ଷ ପରେ ଜେଲ ଜୀବନରୁ ମୁକ୍ତ ମାଓନେତା ଆଜାଦ...ଭୁବନେଶ୍ବର ଝାରପଡ଼ା ଜେଲରୁ ଖଲାସ ପରେ ସ୍ବାଧିନତାର ଖୁସି ପାଇଥିବା କହି ଆତ୍ମବିଭୋର ଆଜାଦ ଓରଫ୍ ଡୋନା କେଶବ ରାଓ। ଗୋଟିଏ କି ଯୋଡ଼ିଏ ନୁହଁ। ଅଠଚାଳିଶଟି ସଂଗୀନ ମାମଲା। ଆଉ ସେସବୁ ମାମଲାରୁ ନିର୍ଦ୍ଦୋଷ ପ୍ରମାଣିତ ହେବା ପରେ ଏବେ ବନ୍ଦୀ ଜୀବନରୁ ମୁକୁଳି ବେଶ ଖୁସି କହିଛନ୍ତି ଆଜାଦ୍ । କାହିଁକି ବା ଖୁସି ହେବେନି। କାରଣ ନା ତାଙ୍କ ବିରୋଧରେ ପ୍ରମାଣିତ ହୋଇପାରିଲା ଅଭିଯୋଗ, ନା ମିଳିଲା ସାକ୍ଷୀ।

ଶେଷରେ ୧୫ ବର୍ଷ ୨ ମାସର ଜେଲ୍ ଜୀବନରୁ ଗତ ରାତିରେ ଆଜାଦ୍ ହୋଇଛନ୍ତି ୫୭ ବର୍ଷୀୟ ଆଜାଦ୍। ସବୁ ମାମଲାର ବିିଚାର ପରେ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ପାରଳାଖେମୁଣ୍ଡି ସ୍ୱତନ୍ତ୍ର ଅଦାଲତ। ତେଣୁ ବିଳମ୍ବରେ ହେଲେ ବି ନ୍ୟାୟ ମିଳିଥିବା କହିଛନ୍ତି ଆଜାଦଙ୍କ ଓକିଲ। 

ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ମଣ୍ଡଳ ଅନ୍ତର୍ଗତ ନାଲାବାବଲୁର୍ ଗାଁର ଡୋନା କେଶବ ରାଓ ଓରଫ ଆଜାଦ୍। ୨୦୦୪-୨୦୦୫ ବେଳକୁ ମାଓନେତା ଭାବେ ମୁଣ୍ଡ ଟେକନ୍ତି। ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପ୍ରମୁଖ ସହଯୋଗୀ ସାଜି ବନିଯାଆନ୍ତି ଦୁର୍ଦ୍ଦାନ୍ତ ନକ୍ସଲ। ସେ ଆନ୍ଧ୍ର ହେଉ କି ଓଡ଼ିଶା, ମାଓ କାର୍ଯ୍ୟକଳାପରେ ଲିପ୍ତ ରହି ନୟାଗଡ଼ ଜିଲ୍ଲା ଅସ୍ତ୍ରାଗାର ଲୁଟ୍, ଆର.ଉଦୟଗିରି ଜେଲ ଭଙ୍ଗାରୁଜା ସହ ପୋଲିସକୁ ଅପହରଣ, ଅଡବା ଲ୍ୟାଣ୍ଡମାଇନ ବିସ୍ଫୋରଣ, ପୋଲିସ୍ ଇନଫର୍ମର ସନ୍ଦେହରେ ନୀରିହ ଲୋକଙ୍କୁ ହତ୍ୟା ଭଳି ଜଘନ୍ୟ ଅପରାଧରେ ତାଙ୍କ ନାଁରେ ଲାଗେ ୪୮ଟି ସଂଗୀନ ମାମଲା।

ଶେଷରେ ୨୦୧୧ ମେ ୨୯ରେ ପୋଲିସ ନିକଟରେ କରନ୍ତି ଆତ୍ମ ସମର୍ପଣ। ୪୮ଟି ମାମଲା ମଧ୍ୟରୁ କେବଳ ୩୬ଟି ମାମଲା ପାରଳାଖେମୁଣ୍ଡି ସ୍ୱତନ୍ତ୍ର ଅଦାଲତରେ ବିଚାରାଧୀନ ଥିଲା। ଆଉ ସବୁ ମାମଲାରେ ପ୍ରମାଣ ଅଭାବରୁ ଆଜାଦଙ୍କୁ ଏବେ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବର୍ଷେ ଭିତରେ ମାମଲାର ବିଚାର ସହ ପାରଳାଖେମୁଣ୍ଡିରେ ସ୍ବତନ୍ତ୍ର କୋର୍ଟ ଖୋଲି ଆଜାଦଙ୍କୁ ୩୬ଟି ମାମଲାରୁ ଖଲାସ କରି ଦିଆଯାଇଛି। ତେବେ ୧୫ ବର୍ଷର ଜେଲ୍ ଜୀବନ ଭିତରେ ବି କାହିଁକି ଦୋଷୀ ସାବ୍ୟସ୍ତ ହୋଇପାରିଲେନି ଆଜାଦ୍ ?

୨୦୦୮, ଅଗଷ୍ଟ ୨୩। ଜଳେଶପଟା ଆଶ୍ରମରେ ଭୟାବହ ସଶସ୍ତ୍ର ଆକ୍ରମଣ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସହ ୫ ଜଣଙ୍କୁ ହତ୍ୟା ପ୍ରମାଣିତ ହୋଇଥିଲେ ବି କାହିଁକି ଅଭିଯୁକ୍ତ ଥିବା ଆଜାଦକୁ ଦୋଷୀ ପ୍ରମାଣିତ କରିପାରିଲାନି ତଦନ୍ତକାରୀ ସଂସ୍ଥା ? ଏକାଧିକ ମାଓ ହିଂସା ସତ୍ତ୍ବେ କେମିତି ଦୋଷୀ ସାବ୍ୟସ୍ତ କରିପାରିଲେନି ତଦନ୍ତକାରୀ ଅଧିକାରୀ ? ତାକୁ ନେଇ ନାନା ପ୍ରଶ୍ନ ଭିତରେ ଉଦବେଗ ପ୍ରକାଶ କରିଛନ୍ତି ସ୍ବାମୀଜୀଙ୍କ ଅନୁଗତ ଓ ବିଶ୍ବହିନ୍ଦୁ ପରିଷଦ ସଦସ୍ୟ। ତା ସହ ସ୍ବାମୀଜୀ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। 

ମାଳ ମାଳ ମାଓ ହିଂସା ସହ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ପଛରେ ଜଣେ ଅଭିଯୁକ୍ତ ଏବେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବାବେଳେ 
ସ୍ବାମୀଜୀଙ୍କୁ ତାହେଲେ କିଏ ଓ କାହିଁକି ହତ୍ୟା କଲା ? ତାହାର ରହସ୍ୟ ଖୋଲିବ କେବେ ? ଉଠିଛି ନାନା ପ୍ରଶ୍ନ।.....

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।