Bhimpur murder case ଘରୁ ଡାକିନେଲେ, ମଦ ପିଆଇ ହାଣି ଫିଙ୍ଗିଦେଲେ

Jun 18, 2026 - 02:11
Bhimpur murder case ଘରୁ ଡାକିନେଲେ, ମଦ ପିଆଇ ହାଣି ଫିଙ୍ଗିଦେଲେ

"ଅଭିଯୁକ୍ତ ୨ଭାଇଙ୍କୁ ଘଟଣାସ୍ଥଳକୁ ଆଣିବା ଜିଦ୍‌ରେ ରାସ୍ତାରୋକ ଫୁଲନଖରା-ନିଆଳି ରାସ୍ତାରେ ୩ଘଣ୍ଟା ଯାତାୟାତ ଠପ୍‌ ବାଲିଅନ୍ତା ବଜାର(ଗଦାଧର ଜେନା): ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଭୀମପୁରରେ ମଙ୍ଗଳବାର ରାତିରେ ପୁଣି ଏକ ଜଘନ୍ୟ ଅପରାଧ ଘଟିଛି।

ଏହି ଅପରାଧରେ ବାଲି ମାଫିଆ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ବାଲିମାଫିଆ ଓ ଗୁଣ୍ଡାମାନେ ଜଣେ ଯୁବକଙ୍କୁ ଘରୁ ଡାକିନେଇ ଅତି ଜଘନ୍ୟ ଭାବେ ହତ୍ୟା କରିବା ପରେ ଫିଙ୍ଗିଦେଇ ଚାଲିଯାଇଛନ୍ତି।

ଘଟଣାକୁ ନେଇ ମୃତ ଯୁବକଙ୍କ ପରିବାର ଓ ସ୍ଥାନୀୟ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।

ସମ୍ପୃକ୍ତ ବାଲିମାଫିଆଙ୍କୁ ସେମାନଙ୍କ ସମ୍ମୁଖରେ ହାଜର କରିବାକୁ ଜିଦ୍‌ ଧରିଛନ୍ତି।

Advertisment ସୂଚନାନୁସାରେ, ପୂର୍ବାହ୍‌ଣରେ ପାହାଳ ଥାନା  ଅଧୀନ ଭୀମପୁର ନିକଟ ତଳ-ଅନ୍ତପୁରଗାଁର ପ୍ରସନ୍ନ ବେହେରାଙ୍କ ପୁଅ ପ୍ରଭାାତ ବେହେରା ଓରଫ ଜଗା (୩୪)ଙ୍କ କ୍ଷତାକ୍ତ ମୃତଦେହ ପୋଲତଳୁ ଉଦ୍ଧାର କରାଯାଇଥିଲା।

ମୃତଦେହ ପାଖରେ ଭଙ୍ଗା ମଦ ବୋତଲ, ଭଙ୍ଗା ମୋବାଇଲ୍‌, ପ୍ଲାଷ୍ଟିକ ପାଇପ, ଏଟିଏମ୍‌ କାର୍ଡ ପଡ଼ିଥିଲା ଏବଂ କିଛି ଦୂରରେ ଏକ କଳାରଙ୍ଗର ସ୍କୁଟି ଥିଲା।

ପ୍ଲାଷ୍ଟିକ୍‌ ପାଇପ୍‌ରେ ନିର୍ଘାତ ପିଟିବା ସହ ମୁହଁରେ ଭଙ୍ଗା ମଦବୋତଲ ଭୁସି ଯୁବକଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଥିଲା।

ଘଟଣା ସମ୍ପର୍କରେ ପୁଲିସ ସୂଚନା ପାଇ ଅନୁସନ୍ଧାନ ଆରମ୍ଭ କରିଥିଲା।

ପ୍ରାଥମିକ ଅନୁସନ୍ଧାନରେ ଜଣାଯାଇଛି, ଗାଁ ନିକଟ‌ କଟକ ସଦର ଥାନା ବେତଖଲିନଗରୀ ଗାଁର ୨ ଭାଇ ଦେବାଶିଷ ପାତ୍ର ଓରଫ ଟେନିସ୍‌, ପ୍ରୀତିଶ ପାତ୍ର ଓ ତାଙ୍କର କିଛି ସହଯୋଗୀ ପ୍ରଭାତକୁ ଘରୁ ଡାକିନେଇଥିଲେ।

ଏହା ଜାଣିବା ପରେ ପାହାଳ ଥାନା ପୁଲିସ ଅଭିଯୁକ୍ତ ଦୁଇ ଭାଇ- ଟେନିସ୍‌ ଓ ପ୍ରୀତିଶଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଅନ୍ୟ ଅଭିଯୁକ୍ତମାନେ ବର୍ତ୍ତମାନ ସୁଦ୍ଧା ଫେରାର୍‌ ଅଛନ୍ତି।

ହତ୍ୟା ଘଟଣାକୁ ନେଇ ଭୀମପୁର ଓ ଅନନ୍ତପୁରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

ହତ୍ୟା ଅଭିଯୁକ୍ତ ୨ ଭାଇଙ୍କୁ ପୁଲିସ ଗିରଫ କରିବା ପରେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଫୁଲନଖରା-ନିଆଳି ରାସ୍ତା ଅବରୋଧ କରିଥିଲେ।

ଅଭିଯୁକ୍ତ ୨ଭାଇଙ୍କୁ ଘଟଣାସ୍ଥଳକୁ ଅଣାଯାଉ ବୋଲି ଦାବିକରି ପୁଲିସକୁ ମୃତଦେହ ଜବତ କରିବା ପାଇଁ ଦେଇ ନଥିଲେ।

ଅଭିଯୁକ୍ତ ୨ଭାଇଙ୍କୁ ଘଟଣାସ୍ଥଳକୁ ଅଣାଯାଉ ବୋଲି ଅଡ଼ି ବସି ଟାୟାର୍‌ ଜାଳି ରାସ୍ତା ଅବରୋଧ କଲେ।

ଡିସିପି ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ଅନୁପ କାନୁନ୍‌ଗୋ, ଏସିପି ଅଭିମନ୍ୟୁ ନାୟକ, ପ୍ରଶାନ୍ତ ସାହୁ, ପାହାଳ ଥାନା ଅଧିକାରୀ ଅଶ୍ୱିନୀ ଜେନା, ସରପଞ୍ଚ ବିଶ୍ୱଜିତ ଭୋଇ ପ୍ରମୁଖ ଲୋକଙ୍କୁ ବୁଝାସୁଝା କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପ୍ରାୟ ୩ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା।

ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଟେନିସ୍‌ର ହାଇୱା ଅଛି ଏବଂ ସେ ଚୋରାରେ ବାଲିମାଟି ଚାଲାଣ କରୁଛି।

କିଛି ଦିନ ପୂର୍ରରୁ ଜଗା ତା"ପାଖରୁ ହାଇୱା ବୁଝାସୁଝା କାମ ଛାଡ଼ିଦେଇଥିଲା।

ଏହାପରେ ଟଙ୍କାପଇସା ହିସାବପତ୍ରକୁ ନେଇ ଟେନିସ୍‌ ଓ ପ୍ରୀତିଶ ବହୁଥର ଜଗାକୁ ଧମକ ଦେଇଥିଲେ ଓ କାମ କରିବାକୁ ବାଧ୍ୟ କରୁଥିଲେ।

କିନ୍ତୁ ଜଗା ମନା କରିଥିଲା।

ଗତକାଲି ରାତି ପ୍ରାୟ ୯ଟା ବେଳେ ଟେନିସ୍‌ ଘରକୁ ଆସି ଜଗାକୁ ଡାକିଥିଲା।

ଘରକୁ ଫେରିଲେ ଖାଇବ ବୋଲି କହି ଜଗା ସେମାନଙ୍କ ସହ ଯାଇଥିଲା।

ଫେରିବା ବିଳମ୍ବ ହେବାରୁ ସାନ ଭାଇ ବିରଞ୍ଚି ଫୋନ୍‌ କରିଥିଲା।

କିନ୍ତୁ ଫୋନ୍‌ ସୁଇଚ୍‌ଅଫ୍ ହୋଇଯାଇଥିଲା।

ରାତିସାରା ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ଜଗାକୁ ପାଇନଥିଲେ।

ତେଣୁ ଜଗାଙ୍କ ସାନ ଭାଇ ବିରଞ୍ଚିଙ୍କ କହିବା କଥା ଟେନିସ୍‌ ଓ ଅନ୍ୟ ୫ଜଣ ଜଗାକୁ ହତ୍ୟା କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।