BJD’s Political U-Turn Raises Questions: ଦିଲ୍ଲୀରେ ସମର୍ଥନ, ଓଡ଼ିଶାରେ ୟୁ-ଟର୍ଣ୍ଣ; ବିଜେଡିକୁ ନେଇ ବଢ଼ିଲା ଦ୍ବନ୍ଦ୍ବ

Oct 07, 2026 - 19:44
BJD’s Political U-Turn Raises Questions: ଦିଲ୍ଲୀରେ ସମର୍ଥନ, ଓଡ଼ିଶାରେ ୟୁ-ଟର୍ଣ୍ଣ; ବିଜେଡିକୁ ନେଇ ବଢ଼ିଲା ଦ୍ବନ୍ଦ୍ବ

ଗତକାଲି ଦିଲ୍ଲୀରେ ଇଣ୍ଡିଆ ବ୍ଲକର ମଞ୍ଚରେ ବିଜେଡିର ଉପସ୍ଥିତି। ଆଜି ଓଡ଼ିଶା ବନ୍ଦକୁ ସମର୍ଥନ ଘୋଷଣା। ନବୀନ ନିବାସରେ ବୈଠକ ସାରି ବାହାରିବା ପରେ ବନ୍ଦକୁ ସମର୍ଥନ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଗୋଟିଏ ବୟାନ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଥିଲା। ଚର୍ଚ୍ଚା ହେଲା ସତରେ କଣ ଇଣ୍ଡିଆ ବ୍ଲକରେ ସାମିଲ ହୋଇଗଲା ବିଜେଡି ? ପ୍ରମିଳାଙ୍କ ବୟାନ ଆସିଲା, ଆଉ ରାଜ୍ୟ ରାଜନୀତିରେ କିଛି ସମୟ ପାଇଁ ସୃଷ୍ଟି ହେଲା ଝଡ଼। 

ତାର ଅଧଘଣ୍ଟା ଯାଇନି ପଲଟିଗଲେ ପ୍ରମିଳା, ବଦଳିଗଲା ବୟାନ। ନିଜ ସରକାରୀ ବାସଭବନରେ ଗଣମାଧ୍ୟମକୁ ଡାକି କହିଲେ, ବନ୍ଦକୁ ସମର୍ଥନ କରିବନି ବିଜେଡି। କଂଗ୍ରେସ ପ୍ରତି କୌଣସି ଦୁର୍ବଳତା ନାହିଁ। ପୁଣି ଥରେ ପୁରୁଣା ସମଦୂରତା ନୀତିର ପାଠ ପଢ଼ାଇଥିଲେ ପ୍ରମିଳା। 

ମାତ୍ର ଅଧଘଣ୍ଟାରେ କାହିଁତି ମତ ବଦଳାଇଲେ ପ୍ରମିଳା ? ତାଙ୍କୁ ବାଧ୍ୟ କଲା କିଏ ? କାହା ଚାପରେ ନିଆଗଲା ୟୁ-ଟର୍ଣ୍ଣ ? ନବୀନ ନିବାସ ବୈଠକରେ ଚର୍ଚ୍ଚା ହୋଇନଥିଲେ, ପ୍ରମିଳାଙ୍କ ଭଳି ଜଣେ ଅନୁଭବୀ ନେତ୍ରୀ ଏତେ ବଡ଼ ବୟାନ ଦେଇଥାନ୍ତେ କେମିତି ? ଦିଲ୍ଲୀରେ ସିଇସିଙ୍କ ଇସ୍ତଫା ଦାବି ରାଲିରେ ଇଣ୍ଡିଆ ବ୍ଲକ ସହ କାନ୍ଧକୁ କାନ୍ଧ ମିଳାଇବା ପରେ ଆଜି କାହିଁକି ଏହି ୟୁ-ଟର୍ଣ୍ଣ ପଲିଟିକ୍ସ ? ବିଜେଡିର ଏହି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛି କଂଗ୍ରେସ। ଦଳ କହିଛି, ବିଜେଡି ଏବେ ସମ୍ପୂର୍ଣ୍ଣ ଦିଗହରା ! ଦିଲ୍ଲୀରୁ ଫୋନ୍ ଆସିବା ପରେ ଡରିଗଲେ। କଟାକ୍ଷ କରି ବିଜେପି କହିଛି, ପ୍ରମିଳା କାହିଁକି ସ୍ୱର ବଦଳାଇଲେ, ସେକଥା ସେ ହିଁ କହିପାରିବେ। କିନ୍ତୁ ଶହେଟା ମିଛ ମିଶି କେବେ ହେଲେ ସତ ହୋଇପାରିବ ନାହିଁ। 

ଓଡ଼ିଶାରୁ ସରକାରରୁ ଯିବା ପରେ ଗତ କେତୋଟି ରାଜନୈତିକ ଘଟଣାବଳୀ ଦେଖିଲେ, ଇଣ୍ଡିଆ ମେଣ୍ଟ ଆଡକୁ ଧୀରେ ଧୀରେ ବିଜେଡି ଢଳିବା ଆରମ୍ଭ କରିଛି ଅନୁମାନ କରାଯାଇପାରେ। ରାଜନୈତିକ ସମୀକ୍ଷକଙ୍କ ମତରେ, ହତାଶ ହୋଇପଡ଼ିଥିବା କର୍ମୀ ଓ ଭୋଟରଙ୍କୁ ଭରସା ଦେବାକୁ ନବୀନ ଆମେ ବିଜେପି ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ ଅଛୁ ବୋଲି ବାର୍ତ୍ତା ଦେବାକୁ ଚାହୁଁଛନ୍ତି। 

ଦିଲ୍ଲୀରୁ ଭୁବନେଶ୍ୱର। ରାଲିରୁ ବନ୍ଦ। ସମର୍ଥନରୁ ୟୁ-ଟର୍ଣ୍ଣ। ଏସବୁ ଘଟଣାବଳୀ ଦର୍ଶାଉଛି, ନବୀନଙ୍କ ପୁରୁଣା ସମଦୂରତା ନୀତି ଏବେ ସମ୍ପୂର୍ଣ୍ଣ କାଠଗଡ଼ାରେ। କାରଣ ଏହି ଫର୍ମୁଲାକୁ ନେଇ ଦଳ ଭିତରେ ଓ ବାହାରେ ଏବେ ବିରାଟ ପ୍ରଶ୍ନବାଚୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।