Odisha Bandh Tomorrow: କାଲି ଓଡ଼ିଶା ବନ୍ଦ, ପ୍ରଭାବିତ ହୋଇପାରେ ଯାତାୟାତ
କେନ୍ଦ୍ର ସରକାରଙ୍କ ଏମଏମଡିଆର ଆଇନ୍ ପ୍ରତ୍ୟାହାର, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ରାଜ୍ୟରେ ବହି ତ୍ରୁଟି ପ୍ରତିବାଦରେ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ। ଦଳ କହିଛି, ଏ ବନ୍ଦ ଶାନ୍ତିପୂର୍ଣ୍ଣ ରହିବ। ମେଡିକାଲ, ଔଷଧ ଦୋକାନ ଓ ଆମ୍ବୁଲାନ୍ସ ଭଳି ଅତ୍ୟାବଶ୍ୟକ ସେବା, ବନ୍ଦରୁ ବାଦ ପଡ଼ିବେ। କିନ୍ତୁ ବସ୍, ଟ୍ରେନ୍ ଭଳି ଯାତାୟାତ ସେବାକୁ ରୋକାଯିବା ସହ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ଆଗରେ ପିକେଟିଂ କରାଯିବ। କାଲିର ବନ୍ଦ ପାଳନ ଆଗରୁ ଆଜି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ସହ ୯ଟି ଦଳ। AG ଛକରେ ବଡ଼ ପୋଷ୍ଟର ବ୍ୟାନର ସହ ଏକ ପଦଯାତ୍ରାରେ ବାହାରିଥିଲେ ବିରୋଧୀ। ସେହିଭଳି ସଂଧ୍ୟାରେ ଆୟୋଜନ ହୋଇଥଲା ମସାଲ ଶୋଭାଯାତ୍ରା। ଏ ବନ୍ଦ ଡାକରାରେ ସବୁ ବର୍ଗର ଜନସାଧାରଣ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି କଂଗ୍ରେସ, ବାମ ଓ ଅନ୍ୟ ମିଳିତ ବିରୋଧୀ ଦଳ।...ସେପଟେ ବିଜେପି କହିଛି ରାଜ୍ୟବାସୀଙ୍କ ଉପରେ ଏ ବନ୍ଦର କୌଣସି ପ୍ରଭାବ ପଡ଼ିବନି। ବରଂ ବିରୋଧୀ ଏକଜୁଟ ଏବଂ ଶକ୍ତିଶାଳୀ ହୋଇ ଆମ ସହ ଲଢନ୍ତୁ ବୋଲି ଆହ୍ବାନ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ଏପଟେ ବିରୋଧୀଙ୍କ କାଲିର ବନ୍ଦ ଡାକରାକୁ ରାଜ୍ୟର କିଛି ଗୋଷ୍ଠୀ ସମର୍ଥନ ଜଣାଇଥିବା ବେଳେ ଆଉ କିଛି ସାମିଲ ହେବେ ନାହିଁ ସୂଚନା ଦେଇଛନ୍ତି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏ ବନ୍ଦରେ ସାମିଲ ହେଉନି। ଯଦି ସରକାର ସୁରକ୍ଷା ଯୋଗାଇ ଦିଅନ୍ତି, ତେବେ ରାସ୍ତାରେ ବସ୍ ସେବା ଜାରି ରହିବ ବୋଲି ସଂଘ କହିଛି। ଏପଟେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ଅଟୋ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ନିଖିଳ ଉତ୍କଳ ଅଟୋ ଚାଳଖ ସଂଘର ସାଧାରଣ ସମ୍ପାଦକ। ସେପଟେ କଟକ ମାଲଗୋଦାମ ବ୍ୟବସାୟୀ ସଂଘ ଏହି ବନ୍ଦକୁ ସମର୍ଥନ କରିବା ସ୍ଥିତିରେ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଏଣେ କାଲିର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜଧାନୀର ସ୍ଥିତି ଉପରେ ସତର୍କ ନଜର ରଖିଛି କମିଶନରେଟ୍ ପୋଲିସ। ସହରର ପ୍ରମୁଖ ଥାନାରେ ୧୮ ପ୍ଲାଟୁନ୍ ଫୋର୍ସ ସହ ୧୦୦ ଅଫିସରଙ୍କୁ ପ୍ରସ୍ତୁତ ରଖାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।