BJP to Go Solo in Punjab Polls: SAD ସହ ମେଣ୍ଟ ଚର୍ଚ୍ଚାରେ ବ୍ରେକ୍, ପଞ୍ଜାବରେ ଏକାକୀ ଲଢ଼ିବ BJP
ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ BJP ଏକାକୀ ଲଢ଼ିବ। ଦଳ ରାଜ୍ୟର ସମସ୍ତ ୧୧୭ଟି ବିଧାନସଭା ଆସନରେ ନିଜ ପ୍ରାର୍ଥୀ ଦେବ ବୋଲି BJPର ଜାତୀୟ ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ କହିଛନ୍ତି। Shiromani Akali Dal (SAD) ସହ BJPର ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ତାଙ୍କର ଏହି ବୟାନ ଆସିଛି।
ଚଳିତ ମାସରେ ଦିଲ୍ଲୀରେ SAD ମୁଖ୍ୟ ସୁଖବୀର ସିଂହ ବାଦଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ BJP-SAD ମେଣ୍ଟକୁ ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଥିଲା। ତେବେ ୨୦୨୦ରେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି SAD, BJP ନେତୃତ୍ୱାଧୀନ NDAରୁ ଓହରିଯିବା ପରେ ଦୁଇ ଦଳର ମେଣ୍ଟ ଭାଙ୍ଗିଥିଲା।
ଦୁଇ ଦିନିଆ ପଞ୍ଜାବ ଗସ୍ତରେ ବିଏଲ୍ ସନ୍ତୋଷ
ଦଳର ସାଂଗଠନିକ କାର୍ଯ୍ୟକଳାପର ସମୀକ୍ଷା କରିବା ସହ ତୃଣମୂଳସ୍ତରରେ ସମନ୍ୱୟ ଓ ନିର୍ବାଚନୀ ପ୍ରସ୍ତୁତିକୁ ମଜବୁତ କରିବା ପାଇଁ ବିଏଲ୍ ସନ୍ତୋଷ ଦୁଇ ଦିନିଆ ପଞ୍ଜାବ ଗସ୍ତରେ ଅଛନ୍ତି।
ଦଳୀୟ ବିବୃତି ଅନୁସାରେ, ଗସ୍ତ ସମୟରେ ସନ୍ତୋଷ ରାଜ୍ୟର ବିଭିନ୍ନ ସ୍ଥାନରେ BJP ନେତା ଓ ସାଂଗଠନିକ ପଦାଧିକାରୀଙ୍କ ସହ ଜୋନ୍ସ୍ତରୀୟ ବୈଠକ କରିବେ।
ସୋମବାର ପଟିଆଲା ଓ ବଠିଣ୍ଡାରେ ସେ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପଟିଆଲା ବୈଠକରେ ମୋହାଲି, ପଟିଆଲା ନର୍ଥ, ପଟିଆଲା ଅର୍ବାନ, ପଟିଆଲା ସାଉଥ, ଫତେଗଡ଼ ସାହିବ ଓ ସଙ୍ଗରୁରର ପ୍ରତିନିଧିମାନେ ସାମିଲ ହୋଇଥିଲେ। ସେହିପରି ବଠିଣ୍ଡା ବୈଠକରେ ବର୍ଣ୍ଣାଲା, ମାନସା, ବଠିଣ୍ଡା ରୁରାଲ, ବଠିଣ୍ଡା ଅର୍ବାନ, ମୁକ୍ତସର ସାହିବ, ଫାଜିଲ୍କା ଓ ଫରିଦକୋଟର ପ୍ରତିନିଧିମାନେ ଯୋଗ ଦେଇଥିଲେ।
ମଙ୍ଗଳବାର ଲୁଧିଆନା, ଜଲନ୍ଧର ଓ ଅମୃତସରରେ BJPର ସାଂଗଠନିକ ବୈଠକ ଜାରି ରହିବ।
ଲୁଧିଆନା ବୈଠକରେ ଲୁଧିଆନା ରୁରାଲ, ଲୁଧିଆନା ଅର୍ବାନ, ମୋଗା, ଜଗରାଓଁ, ଖାନ୍ନା, ମାଲେରକୋଟଲା ଓ ରୋପରର ପ୍ରତିନିଧିମାନେ ଯୋଗଦେବେ। ଜଲନ୍ଧର ବୈଠକରେ ଜଲନ୍ଧର ନର୍ଥ, ଜଲନ୍ଧର ଅର୍ବାନ, ଜଲନ୍ଧର ସାଉଥ, ହୋସିଆରପୁର ଅର୍ବାନ, ହୋସିଆରପୁର ରୁରାଲ, ନୱାନଶହର ଓ କପୁରଥଲାର ନେତାମାନେ ସାମିଲ ହେବେ।
ଏହି ସମୟରେ BJPର ରାଜ୍ୟ ୟୁନିଟ୍ରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି। ସମ୍ପ୍ରତି ହୋଇଥିବା ସାଂଗଠନିକ ପୁନର୍ଗଠନକୁ ନେଇ ଦଳର କିଛି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟ ନେତୃତ୍ୱ ପୁରୁଣା କ୍ୟାଡରକୁ ଅଣଦେଖା କରୁଥିବା ନେଇ କିଛି ନେତା ଅଭିଯୋଗ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।