Why Did Ocean Winner Sink So Quickly: ମାତ୍ର ୮ ମିନିଟରେ ବୁଡ଼ିଗଲା ଓସନ୍ ୱିନର, ୨୨ ଜଣ କ୍ରିୟୁ କେଉଁଠି

Aug 24, 2026 - 20:09
Why Did Ocean Winner Sink So Quickly: ମାତ୍ର ୮ ମିନିଟରେ ବୁଡ଼ିଗଲା ଓସନ୍ ୱିନର,  ୨୨ ଜଣ କ୍ରିୟୁ କେଉଁଠି

୬୦ ଘଣ୍ଟାରୁ ଅଧିକ ସମୟ। ବଙ୍ଗୋପସାଗରର ଗଭୀର ଜଳରାଶିରେ ନନଷ୍ଟପ୍ ସର୍ଚ୍ଚ ଅପରେସନ। ଅଥଳ ସମୁଦ୍ରରେ ଚାଲିଛି ଜୀବନ ଖୋଜା। ଦୁଇ ଜଣ ମିଳିଲେ, ଆଉ ୨୨ ଏବେ କେଉଁଠି ? କୌଣସି ଲାଇଫ୍ ରାଫ୍ଟରେ ଅଛନ୍ତି ନା ଜାହାଜ ସହ ସେମାନେ ବି ଡୁବିଯାଇଛନ୍ତି? ବଙ୍ଗୋପସାଗରରେ ପାନାମା ପତାକାଧାରୀ ଜାହାଜ MV Ocean Winner ବୁଡ଼ି ଘଟଣାକୁ ନେଇ ବଢୁଛି ସସପେନ୍ସ। ସବୁଠୁ ବେଶି ଟେନସନ୍ ୨୨ କ୍ରିୟୁ ମେମ୍ବରଙ୍କୁ ନେଇ। ନିଖୋଜଙ୍କୁ ଖୋଜିବା ପାଇଁ ସମୁଦ୍ର ସହ ଲଢ଼ୁଛି ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ। ନୌସେନାର P-8I ମ୍ୟାରିଟାଇମ୍ ସର୍ଭେଲାନ୍ସ ଏୟାରକ୍ରାଫ୍ଟ ସହ ତଟରକ୍ଷୀ ବାହିନୀର ଜାହାଜଗୁଡ଼ିକ ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି। ଦୁଇ ଜଣ ଚାଇନିଜ୍ କ୍ରିୟୁ ମେମ୍ବର ଲାଇଫ୍ ରାଫ୍ଟରୁ ଉଦ୍ଧାର ହେବା ରେସ୍କ୍ୟୁ ଟିମକୁ ଅନେକ ସଂକେତ ଦେଇଛି। 

ସୂଚନା ଅନୁସାରେ, ଜାହାଜ ଦୋହଲିବାର ପ୍ରାୟ ୮ ମିନିଟରେ ସଂପୂର୍ଣ୍ଣ ବୁଡ଼ିଯାଇଥିଲା। ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି, ଜାହାଜ ବୁଡ଼ିଥିବା ସ୍ଥାନକୁ ଚିହ୍ନଟ କରିବା। ଯଦି ଲାଇଫ୍ ରାଫ୍ଟରେ ଅନ୍ୟ କ୍ରିୟୁ ମେମ୍ବର ବାହାରି ଆସିଛନ୍ତି ତେବେ ସେମାନେ ଏବେ କେଉଁଠି, ତାହା ଆକଳନ କରିବା ମୁସ୍କିଲ୍। ପ୍ରତି ମୁହୂର୍ତ୍ତରେ ବଦଳୁଛି ସମ୍ଭାବ୍ୟ ସର୍ଚ୍ଚ ଏରିଆ। ଏଣୁ ଗୋଟିଏ ପଏଣ୍ଟ ନୁହେଁ, ବଡ଼ ଅଞ୍ଚଳକୁ ନଜରରେ ରଖି ଚାଲିଛି ଖୋଜାଖୋଜି। ତଟରକ୍ଷୀ ବାହିନୀର ଜନୈକ ଅଧିକାରୀଙ୍କ ଆଶଙ୍କା, ନିଖୋଜ କ୍ରିୟୁ ମେମ୍ବର ଜୀବିତ ଥିବା ଆଶା ଖୁବ୍ କମ୍। ଅତି କମ୍ ସମୟରେ ଜାହାଜ ବୁଡ଼ିଥିବାରୁ ଲାଇଫ୍ ରାପ୍ଟରେ ବାହାରକୁ ଆସିବା ସମ୍ଭବ ନୁହେଁ।

କାହିଁକି ବୁଡ଼ିଲା Ocean Winner ? ମଝି ସମୁଦ୍ରରେ ବିଶାଳ ଜାହାଜ ସହ ଘଟିଲା କଣ? ଅଘଟଣର ପ୍ରାୟ ଅଢ଼େଇ ଦିନ ପରେ ବି କାରଣ ଅସ୍ପଷ୍ଟ। କୋଷ୍ଟଗାର୍ଡ କିମ୍ବା ନୌସେନା ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନି। ତେବେ ବିଶେଷଜ୍ଞଙ୍କ ଆକଳନ କହୁଛି, ବିଶେଷକରି ଦୁଇଟି କାରଣ ପାଇଁ ବୁଡ଼ି ଯାଇଥାଇପାରେ ଜାହାଜ । ପ୍ରଥମତଃ ଓଦା ଆଇରନ୍ ଓର୍। ମାତ୍ରାଧିକ ଅର୍ଥାତ ୭୧ ହଜାର ୨୦୦ ମେଟ୍ରିକ ଟନ ଲୁହାପଥର ଗୁଣ୍ଡର ଓଜନ କାରଣରୁ ଜାହାଜ ଗୋଟିଏ ପଟକୁ ଢଳିବା ପରେ ଆଉ ସିଧା ହୋଇନଥାଇପାରେ। ନଚେତ ଓଦାଳିଆ ଏବଂ ଓଜନିଆ କାର୍ଗୋ ସାଙ୍ଗକୁ ଅଶାନ୍ତ ସମୁଦ୍ର ଲହଡ଼ି ମାଡ଼ ଜାହାଜକୁ ଦୁଇ ଖଣ୍ଡ କରିଦେଇଥାଇପାରେ। 

ଗତ ୨୦ ତାରିଖରେ ପାରାଦୀପରୁ ଲୁହାପଥର ଗୁଣ୍ଡ ନେଇ ଚୀନ ବାହାରିଥିଲା Ocean Winner । ପ୍ରାୟ ୪୦୭ କିଲୋମିଟର ଯିବା ପରେ ୨୨ ତାରିଖ ଦିନ ୧୧ଟା ୪୮ ମିନିଟରେ ଯୋଗାଯୋଗ ହରାଇବା ସହିତ ସମୁଦ୍ରରେ ବୁଡ଼ିଯାଇଥିଲା। ତେବେ ଆସନ୍ତୁ ଜାଣିବା ସମୁଦ୍ରରେ ଜାହାଜ ବୁଡ଼ିଗଲେ କ୍ରିୟୁ ମେମ୍ବରଙ୍କ ବଞ୍ଚିବା ପାଇଁ କ'ଣ ଥାଏ ବିକଳ୍ପ ବ୍ୟବସ୍ଥା। ସବୁଠୁ ଭଲ ବିକଳ୍ପ ହେଉଛି ଲାଇଫ୍ ବୋଟ୍। ଏହାଛଡ଼ା ଲାଇଫ୍ ରାଫ୍ଟ ବି ବିପଦ ବେଳେ ଜୀବନ ବଞ୍ଚାଇପାରେ। ଲାଇଫ୍ ରାଫ୍ଟ ହେଉଛି ଏକ ପ୍ରକାର ଜରୁରୀ ଉଦ୍ଧାର ନୌକା। ଏଥିରେ ଏକାଧିକ ଲୋକ ବସିପାରିବେ। ଯେଉଁଥିରେ ପାଣି, ଖାଦ୍ୟ, ଔଷଧ ସହିତ ସିଗ୍ନାଲ୍ ଦେବା ଉପକରଣ ରହିଥାଏ। ତେବେ ନିଖୋଜ କ୍ରିୟୁ ମେମ୍ବରଙ୍କଠାରୁ କୌଣସି ସିଗନାଲ୍ ଆସୁନଥିବାରୁ ସେମାନେ ଜୀବିତ ନା ନାହିଁ ତାକୁ ନେଇ ନାନା ଆଶଙ୍କା ଉପୁଜିଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।