12 OCTOBER 2026

Welcome!

Unlock your personalized experience.
Sign Up

BMC: ଦିନକୁ ୧୫୦ କେଏଲ୍‌ ବର୍ଜ୍ୟଜଳ ପୁନଃଚକ୍ରଣ କରିବ ବିଏମ୍‌ସି: ରାଜଧାନୀର ୩୦ଟି ଶୌଚାଳୟରେ ସ୍ଥାପନ ଯୋଜନା

Oct 12, 2026 - 05:49
BMC: ଦିନକୁ ୧୫୦ କେଏଲ୍‌ ବର୍ଜ୍ୟଜଳ ପୁନଃଚକ୍ରଣ କରିବ ବିଏମ୍‌ସି: ରାଜଧାନୀର ୩୦ଟି ଶୌଚାଳୟରେ ସ୍ଥାପନ ଯୋଜନା

ଭୁବନେଶ୍ୱର: ସହରର ସ୍ୱଚ୍ଛତା ସହ ସଂରକ୍ଷିତ ହୋଇରହିବ ମଧୁର ଜଳ। ରାଜଧାନୀର ଶୌଚାଳୟଗୁଡ଼ିକରେ ଅଯଥାରେ ନଷ୍ଟ ହେବନି ଶହ ଶହ ଲିଟର ପାଣି। ଭୂତଳ ଜଳ ସଂରକ୍ଷଣ ପ୍ରକ୍ରିୟାକୁ ଆଉ ପାଦେ ଆଗକୁ ନେବା ପାଇଁ ବିଏମ୍‌ସି ରାଜଧାନୀର ୩୦ଟି ସାଧାରଣ ଶୌଚାଳୟରେ ବର୍ଜ୍ୟଜଳ ପୁନଃ ଚକ୍ରଣ ୟୁନିଟ୍ ସ୍ଥାପନ କରିବାକୁ ଯୋଜନା କରିଛି। ଏହାଦ୍ୱାରା ଦୈନିକ ପ୍ରାୟ ୧୫୦ କିଲୋଲିଟର ବ୍ୟବହୃତ ଜଳକୁ ପୁନଃ ବ୍ୟବହାର କରାଯାଇପାରିବ। ଶୌଚାଳୟରୁ ବାହାରୁଥିବା ହାତଧୁଆ ଓ ଗାଧୁଆ ପାଣିକୁ ପୁନଃଚକ୍ରଣ କରି ବ୍ୟବହାର ଉପଯୋଗୀ କରିବା ପାଇଁ ବିଏମ୍‌ସି ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଶୌଚାଳୟର ସଫେଇ ତଥା ଅନ୍ୟ ବ୍ୟବହାରରେ ଭୂତଳ ମଧୁର ଜଳ ଉପରେ ଚାପ ହ୍ରାସ ପାଇବ ବୋଲି ଡେପୁଟି କମିସନର ଏନ୍‌. ଗଣେଶ ବାବୁ ସୂଚନା ଦେଇଛନ୍ତି। ଦିନକୁ ଦିନ ରାଜଧାନୀର ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏହି ପରିପେକ୍ଷୀରେ ବିଏମ୍‌ସି ସହରରେ ଜଳ ଅପଚୟ ରୋକିବା ଓ ଜଳ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି। ସୁଜଳ ଅଭିଯାନ ମାଧ୍ୟମରେ ଜଳ ଅପଚୟ ହ୍ରାସ କରିବା ଏବଂ ସ୍ଥାନୀୟ ଜଳ ଉତ୍ସଗୁଡ଼ିକର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଉଛି।

ଏଥିପାଇଁ ଗତ ଅଗଷ୍ଟ ୩ ତାରିଖରେ ଟେଣ୍ଡର ଡକାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଟେଣ୍ଡର ବୈଷୟିକ ବିଡ୍‌ ଓ ଉପସ୍ଥାପନା ସରିଛି। କର୍ପୋରେସନ ବୈଠକରେ ଏହାର ଉପସ୍ଥାପନା ଓ ଅନୁମୋଦନ ହେବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଚୟନ କରାଯାଇଥିବା ସଂସ୍ଥା କାର୍ଯ୍ୟ ଅନୁମୋଦନ ମିଳିସାରିବା ପରେ ୪ମାସ ମଧ୍ୟରେ ଏହି ୟୁନିଟ୍‌ ସ୍ଥାପନ କରିବ। ପ୍ରତିଦିନ ସହରର ଶୌଚାଳୟଗୁଡ଼ିକରେ ବାହାରୁଥିବା ହାରାହାରି ୫କିଲୋଲିଟର ଅପମିଶ୍ରିତ ପାଣିକୁ ଏହି ୟୁନିଟ୍‌ରେ ସଫା କରାଯିବ। ଏହି ଜଳରେ ଯେଉଁଭଳି ବାୟୋକେମିକାଲ ଅକ୍ସିଜେନ୍‌ ଡିମାଣ୍ଡ(ବିଓଡି) ଓ କେମିକାଲ୍‌ ଅକ୍ସିଜେନ୍‌ ଡିମାଣ୍ଡ(ସିଓଡି) ଯେଉଁଭଳି ନିୟନ୍ତ୍ରିତ ରହିବ ସେଥିପାଇଁ ଦୃଷ୍ଟି ଦେବେ ବୋଲି ଟେଣ୍ଡରରେ ଉଲ୍ଲେଖ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସହରର ମାଷ୍ଟରକ୍ୟାଣ୍ଟିନ ଓ ଜୟଦେବ ବିହାର ଛକରେ ଥିବା ଶୌଚାଳୟରେ ଏହି ୟୁନିଟ୍‌ ସ୍ଥାପନ କରାଯାଇଛି। ଉଭୟ ଶୌଚାଳୟରୁ ବାହାରୁଥିବା ବର୍ଜ୍ୟଜଳକୁ ଏକ ପାଇପ୍‌ ଯୋଗେ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ପଠାଯାଉଛି। ଏହାପରେ ଦୁଇରୁ ତିନୋଟି ପ୍ରକ୍ରିୟା ମାଧ୍ୟମରେ ଏହାକୁ ପରିଷ୍କାର କରାଯିବା ପରେ ପୁନଃ ବ୍ୟବହାର ପାଇଁ ପଠାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।